ବେଦନା ବିଧୂର ବୋଧିସତ୍ତ୍ୱ ତୁମେ
ଜ୍ଞାନାଲୋକେ ହେଲ ସିକ୍ତ
ପୁନଶ୍ଚ ପୃଥିବୀ ଫେରି ପାଇଥିବା
ଦ୍ରୁପ୍ତ ଚେତନା ବ୍ରତ ll
ଶଇଳ ଶିଖରେ ସୀମନ୍ତିନୀ ସମ
ଶାନ୍ତ କି ସୁଧାର ମୂର୍ତ୍ତି
ମାନବବାଦର ମହାମିଳନରେ
ଭରିଛ ଅପାର ଶକ୍ତି ll
ସାଂସାରିକ କ୍ଷୁଧା କ୍ଷାନ୍ତ ହେ ପଥିକ
ପରିତ୍ୟକ୍ତ କଲ ଦର୍ପେ
ଅନୁସନ୍ଧିତ୍ସୁ ସେ ନୟନ ଯୁଗଳ
ଧାଇଁଲା ଶାନ୍ତିର ପଥେ ll
ନିରଞ୍ଜନା ନଦୀ ତନ୍ମୟ ତଟରେ
ଅଶ୍ୱତଥ ଦ୍ରୁମ ମୂଳେ
ସମାଧିସ୍ଥ ସେଇ ସପନ ସନ୍ୟାସୀ
ବିନିଦ୍ର ଜାଗର ଜାଳେ ll
ମହା କାରୁଣ୍ୟର କମଣ୍ଡଳୁ ନୀରେ
ବିଶ୍ୱେ ବୁଣିଲ ବାର୍ତ୍ତା
ପଥ ପ୍ରାନ୍ତ ଧାରେ ଶ୍ରମଣ ସାଧକ
କରନ୍ତି ସୁରମ୍ୟ ଯାତ୍ରା ll
ଚିର ପ୍ରଶାନ୍ତିର ତପୋବନ ଟିଏ
ଗଢ଼ିଲ ଜ୍ଞାନର ବଳେ
ଗରୀୟାନ ହେଲା ବୌଦ୍ଧିକ ଚେତନା
ସାଧନାର ସିଦ୍ଧି ତଳେ ll
ଦୁଃଖର କାରଣ କାମନା ବା ତୃଷ୍ଣା
ସମାଜରେ ଦେଲ ବୁଣି
କାମନା ବିନାଶେ ଦୁଃଖର ବିନାଶ
ମହାଜାଗତିକ ବାଣୀ ll
ମହା ନିର୍ବାଣର ମହନୀୟ ମନ୍ତ୍ର
ମନୋଜ୍ଞ ମଞ୍ଜୁଳ ଧାରା
ଯଜ୍ଞ ଉପବୀତ, ସମିଧ ସମକି
ଜଳୁଛି ଏ ବିଶ୍ୱ ସାରା ll
ପ୍ରଣମ୍ୟ ହେ ବୁଦ୍ଧ ବରେଣ୍ୟ ସାଧକ
ଯାତନାରୁ କର ମୁକ୍ତ
ମାନବ ରୂପରେ ଦେବତା ହେ ତୁମେ କରୁଛି ମୁଁ ମଥାନତ ll
✍️ଗୀତାଞ୍ଜଳି ପୃଷ୍ଟି