ଭୁଲି ନାହିଁ ତୁମ ଶେଷ ସ୍ପର୍ଶ ପ୍ରିୟା
ଭୁଲି ନାହିଁ ସେହି ରାତି,
ଭୁଲିବାକୁ ଯେବେ ଚେଷ୍ଟା କରେ ମୁହିଁ
ଦେହରେ ବଢୁଛି ତାତି ।
ଜାଳି ଦିଏ ମୋତେ ମାରି ଦିଏ ମୋତେ
ଅଭୁଲା ତୁମର ପ୍ରୀତି,
କେମିତି ଭୁଲିବି ଶେଷ ସ୍ପର୍ଶ ତୁମ
ସାଇତି ରଖିଛି ସ୍ମୃତି ।
ଆଖିରେ ତୁମର ଅସୁମାରୀ ପ୍ରେମ
ବିରହରେ ଜାଳି ଦିଏ,
କେମିତି କହିବି କେତେ ଭଲ ପାଏ
କଳନା ମୁଁ କରୁଥାଏ ।
ଓଠରେ ମୋହର ଗୁଣୁ ଗୁଣୁ ହୋଇ
ତୁମ ନାଁ ହେଉଛି ଭାଳି,
ପାଗଳ ସାଜିଛି ତୁମରି ପ୍ରେମରେ
ପାରୁନି ଆଉ ସମ୍ଭାଳି ।
ଜଡ଼ତା ସେ ରାତି ଉତ୍ତପ୍ତର ଛାତି
ଆହୁରି ଉତ୍ତପ୍ତ ଓଠ,
ଲୁହ ଝରୁ ଥିଲା କୋହ ବଢୁଥିଲା
ପଢିବାକୁ ପ୍ରେମ ପାଠ ।
ହଜି ଯାଇଥିଲେ ଭିଜି ଯାଇଥିଲେ
ପ୍ରୀତିର ବର୍ଷାରେ ଆମେ,
ଅଝଟ କେଶଟି ବାଧା ଦେଉଥିଲା
ଭୁଲି ପାରିବକି ତୁମେ ।
ଆସ ଆଉ ଥରେ ମୋ ମନ ମନ୍ଦିରେ
ପ୍ରୀତି ରଙ୍ଗ ଥାଳି ଭରି,
ଉପାସକ ମୁହିଁ ତୁମ ସ୍ପର୍ଶ ପାଇଁ
ସାଜିଛି ପ୍ରେମ ପୂଜାରୀ ।
ଛାତିରେ ସାଇତା ତୁମ ପ୍ରତିଛବି
ଲିଭାଇ ପାରୁନି କେବେ,
କଥା ଦେଲି ପ୍ରିୟା ଲିଭିବ ସେଦିନ
ପ୍ରାଣ ଛାଡ଼ି ଯିବ ଯେବେ ।
✍️ସୁବ୍ରତ ସେଠୀ