News
WhatsApp Image 2023-10-04 at 17.25.00
samparksetu

ମଗଜି ଲଡୁ

ଖାଦ୍ୟ ପେୟକୁ ନେଇ ବିଭିନ୍ନ ଅଞ୍ଚଳରେ ଏକ ସ୍ଵତନ୍ତ୍ରତା ରହିଛି । ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥକୁ ନେଇ ସଂପୃକ୍ତ ଅଞ୍ଚଳକୁ ମଧ୍ୟ ମିଳିଛି ପରିଚୟ । ବେଳେବେଳେ ସେହି ପରିଚୟ ସମଗ୍ର ରାଜ୍ୟର ଗୌରବରେ ପରିଣତ ହୁଏ। ବର୍ତ୍ତମାନ ଜିଆଇ ଟ୍ୟାଗ୍ ପାଇଁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ନେଇ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି । ରସଗୋଲା,ଛେନାପୋଡ଼ ଓ ଆହୁରି ଅନେକ ମିଠା ପରେ ଅବଲୁପ୍ତ ଆଡକୁ ଯାଉଥିବା ମଗଜି ଲଡୁ ପାଇଁ ଏବେ କସରତ ଆରମ୍ଭ ହୋଇଛି ।

ଏହି ସ୍ଵତନ୍ତ୍ର ମିଠା କେବଳ ହିଁ ଢେଙ୍କାନାଳ ଜିଲ୍ଲାରେ ତିଆରି ହେଉଥିବା ମିଠା । ଓଡ଼ିଶାର ଅନ୍ୟତ୍ର ଏ ମିଠା ମିଳେ ନାହିଁ । ପ୍ରାୟ ୩୦ ବର୍ଷ ତଳେ ମଗଜିଲଡୁ ଢେଙ୍କାନାଳ ଜିଲ୍ଲାର ବହୁ ଅଞ୍ଚଳରେ ଉପଲବ୍ଧ ହେଉଥିଲା । ସମୟ ବଦଳିବା ସହିତ ନାନା କାରଣରୁ କ୍ରମଶଃ ଏ ମିଠା ଲୋକଙ୍କ ପାଖରୁ ଦୂରେଇ ଯାଇ ଢେଙ୍କାନାଳ ଜିଲ୍ଲାର ଅଳ୍ପ କେତୋଟି ଯାଗାରେ ସୀମିତ ହୋଇ ଯାଇଛି ।

ଅନେକ ବୟସ୍କ ଲୋକଙ୍କ ମତ ଅନୁସାରେ ,ଢେଙ୍କାନାଳ ଜିଲ୍ଲାର ଗଁଦିଆ ହେଉଛି ମଗଜିଲଡୁର ଏନ୍ତୁଡିଶାଳ । ପ୍ରାୟ ୧୨୦ ବର୍ଷ ପୂର୍ବରୁ ବର୍ତ୍ତମାନର ଗଁଦିଆ ପାଟଣା ଛକ(ବସଷ୍ଟାଣ୍ଡ)ରାସ୍ତା କଡ଼ରେ ଗୋଟିଏ ଡାଳ ଛାମୁଣ୍ଡିଆ କରି ବୋଦ୍ଧି ସାହୁ ନାମକ ଜନୈକ ବ୍ୟକ୍ତି ଜଳଖିଆ ଦୋକାନଟିଏ କରି ବ୍ୟବସାୟ ଆରମ୍ଭ କରିଥିଲେ । ପରେ ଡାଳ ଛାମୁଣ୍ଡିଆ ରୁ ଚାଳ ଘର ଓ ପରେ ଛୋଟିଆ ଛାତଘରରେ ଦୋକାନଟି ରୂପାନ୍ତରିତ ହୋଇ ଥିଲା । ବୋଦ୍ଧି ସାହୁ ସେତେବେଳେ ଗଁଦିଆ ରେ ସର୍ବ ପ୍ରଥମେ ଏହି ଅଭିନବ ମିଠା ପ୍ରସ୍ତୁତ କରି ଥିଲେ ବୋଲି ଗଁଦିଆ ଅଞ୍ଚଳର ବହୁ ବୟସ୍କ ବ୍ୟକ୍ତି ମତ ଦିଅନ୍ତି ।

ପରବର୍ତ୍ତୀ କାଳରେ ମଗଜିଲଡୁର ଲୋକପ୍ରିୟତା ବଢିବାରୁ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏ ମିଠା ପ୍ରସ୍ତୁତ କରାଯାଇ ବ୍ୟବସାୟ ଆରମ୍ଭ ହୋଇଥିଲା । ଗଁଦିଆ ର ବୋଦ୍ଧି ସାହୁଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ନୃସିଂହ ସାହୁ ପିତାଙ୍କ ଉଦ୍ଭାବିତ ମଗଜିଲଡୁ କୁ ଆଗକୁ ନେବାପାଇଁ ଚେଷ୍ଟାକରି ସଫଳ ମଧ୍ୟ ହୋଇଥିଲେ । ନୃସିଂହ ସାହୁଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁତ୍ରମାନେ ଜଳଖିଆ ଦୋକାନରେ ଜେଜେବାପା ଅମଳରୁ ଆରମ୍ଭ ହୋଇଥିବା ମଗଜି ଲଡୁ ତିଆରି କରି ବ୍ୟବସାୟ କରୁଛନ୍ତି ।

ମଗଜିଲଡୁ ପ୍ରସ୍ତୁତ ପ୍ରକ୍ରିୟା ସମୟ ସାପେକ୍ଷ । ଏହି ମିଠା କେବଳ ମଇଁଷି ଛେନାରୁ ପ୍ରସ୍ତୁତ କରାଯାଏ । ମଇଁଷି ଛେନା ସହିତ ଚିନି ମିଶ୍ରଣ କରାଯାଇ ଗାଈଘିଅ ଦ୍ଵାରା ଏହି ସ୍ଵତନ୍ତ୍ର ମିଠା ପ୍ରସ୍ତୁତ କରାଯାଇଥାଏ । ହାତରେ ବଳିବଳି ଗୋଲାକୃତି ଆକାରରେ ଏହି ମିଠା ପ୍ରସ୍ତୁତ କରାଯାଏ । ଚିନିର ମାତ୍ରା ସାମାନ୍ୟ ଅଧିକ ହୋଇଗଲେ ମଗଜିର ସ୍ଵାଦ ଏବଂ କ୍ଵାଲିଟି ନଷ୍ଟ ହୋଇଯାଏ । ତେଣୁ ଏହାର ପ୍ରସ୍ତୁତି ସମୟରେ ମିଠା କାରିଗର ମାନଙ୍କୁ ଅଧିକ ସତର୍କ ରହିବାକୁ ପଡେ । ଏହାର ସ୍ଵାଦ ଅନ୍ୟ ଶୁଖିଲା ମିଠା ଅପେକ୍ଷା ନିଆରା ।

ଏକଦା ଗଁଦିଆ, ବିଧାରପୁର,ଷଡଙ୍ଗୀ, ମନ୍ଦାର,ପିଙ୍ଗୁଆ, ନିହଲପ୍ରସାଦ,କାଇମାଟି,ବେଲଟିକିରି,ଯୋରନ୍ଦା ଓ ଏହାର ଆଖପାଖ ଅଞ୍ଚଳରେ ମଗଜିଲଡୁ ବ୍ୟାପକ ଭାବେ ପ୍ରସ୍ତୁତ କରାଯାଉଥିଲା । ଆଧୁନିକ କାଳରେ ନାନା ପ୍ରକାର ମିଠାର ବଜାର ପ୍ରବେଶ ପରେ ଧୀରେ ଧୀରେ ମଗଜି ଲଡୁ ବଜାରରୁ ଦୂରେଇ ଯାଇ ଗଁଦିଆ ଓ ତାର ଆଖପାଖ ଅଞ୍ଚଳରେ ତିଷ୍ଟି ରହିଛି । ମଇଁଷି ଛେନାର ଅଭାବ,ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ବ୍ୟବସାୟୀ ମାନେ ଏହାର ପ୍ରସ୍ତୁତି ନିମନ୍ତେ ଅନାଗ୍ରହ ପ୍ରକାଶ କଲେ ।

ଫଳରେ ମଗଜି ର ଚାହିଦା ଆଉ ରହିଲା ନାହିଁ । ନୂଆ ପୀଢିର ମିଠା କାରିଗର ମାନେ ଏ ମିଠାର ପ୍ରସ୍ତୁତି ପ୍ରଣାଳୀ ଶିଖିଲେ ନାହିଁ । ଯାଦ୍ଵାରାକି ଢେଙ୍କାନାଳ ଜିଲ୍ଲାର ଏ ସ୍ଵତନ୍ତ୍ର ମିଠାଟି ସୀମିତ ପ୍ରଚଳନ ହୋଇ ପଡିଲା ।

ଖୁସିର କଥା ଯେ,ଏବେ କିଛି ଉତ୍ସାହୀ ବ୍ୟକ୍ତି ମଗଜିର ଜି.ଆଇ ଟ୍ୟାଗ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏ ଦାବିକୁ ସର୍ବମାନ୍ୟ କରିବା ପାଇଁ ଅଧିକ ଐତିହାସିକ ତଥ୍ୟ ଯୋଗାଡ କରି ଆମ ଉଦ୍ୟମକୁ ଅଧିକ କ୍ରିୟାଶୀଳ କରାଯିବା ଉଚିତ୍ ହଜି ଯାଉଥିବା ଢେଙ୍କାନାଳର ଏହି ସ୍ଵତନ୍ତ୍ର ମଗଜିଲଡୁ ମିଠା ଢେଙ୍କାନାଳ ମାଟିର ପରିଚୟ ଓ ଅସ୍ମିତାର ପ୍ରତୀକ । ଏହାକୁ ଜି.ଆଇ ଟ୍ୟାଗ୍ ନିମନ୍ତେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ବ୍ୟାପକ ଉଦ୍ୟମ କରାଯିବା ଆବଶ୍ୟକ ।

new life
You might also like
error: Content is protected !!