News
WhatsApp Image 2023-10-04 at 17.25.00
samparksetu

ବ୍ରାହ୍ମଣୀ ନଦୀରେ ଅଟକିଲା ଡଙ୍ଗା ,ଫସି ରହିଲେ ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ପରଜଙ୍ଗ ଅଞ୍ଚଳର ହୋଇଥିବା ସୂଚନା । ବେଆଇନ ଡଙ୍ଗାରେ ଓଡାପଡ଼ା ବ୍ଲକ ନାଧେରା ବାଲି ପଡିଆ ଠାରୁ ପରଜଙ୍ଗ ବ୍ଲକ ଚାନ୍ଦପୁର ଦୁଆରଶୁଣିକୁ ଫେରୁଥିଲେ ଭକ୍ତ ଓ ଶ୍ରଦ୍ଧାଳୁ ।

ଫେରୁଥିବା ବେଳେ ଅଧା ନଈରେ ଅଟକି ଯାଇଥିଲା ଏକମାତ୍ର ମୋଟର ଚାଳିତ ବେଆଇନ ଡଙ୍ଗା । କିଛି ସମୟ ଧରି ହାହାକାର ହୋଇ ଯାଇଥିଲା ବ୍ରାହ୍ମଣୀ ନଦୀର ଗର୍ଭ । କିଛି ଲୋକଙ୍କ ଉପସ୍ଥିତ ବୁଦ୍ଧି ବଳରେ ଆହୁଲା ମାରି ଦୀର୍ଘ ସମୟ ପରେ କୂଳକୁ ଫେରିଥିଲା ଡଙ୍ଗା । ନାଧେରା ଘାଟରେ ଅଟକି ରହିଥିବା ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ସହଯୋଗରେ ନିକଟସ୍ଥ ମନ୍ଦିର ଓ ସ୍କୁଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କ ସୂଚନା ।

ଏଥି ସହିତ ସମସ୍ତଙ୍କୁ ସକାଳୁ ନିଜ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ,ଏବଂ ଖୁବଶୀଘ୍ର ସେ ବେଆଇନ ଘାଟ ବନ୍ଦ କରାଯିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଯାହାକୁ ନେଇ ଓଡାପଡା ଓ ପରଜଙ୍ଗ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ବ୍ରାହ୍ମଣୀ ନଦୀରେ ବାରମ୍ବାର ଅନେକ ଅଘଟଣ ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନର ଢିଲା ପଦକ୍ଷେପ ଯୋଗୁଁ ଏଭଳି ଘଟଣା ସାମ୍ନାକୁ ଆସୁଥିବା ସ୍ପଷ୍ଟ ଅନୁମେୟ ।

new life
You might also like
error: Content is protected !!