ତୋ ଆଖି ଦୁଇଟିର ପଲକ ଭିତରେ
କେତେଯେ ଅକୁହା କଥା
ଗୁରୁଣ୍ଡି ଗୁରୁଣ୍ଡି ପଡି ଉଠି ଚାଲୁଥାଉ ଯେ
ଝୁଣ୍ଟି ପଡି ଭୂଇଁରେ ପଡିଗଲେ
ମାଆର ପଣତ କାନିଟା ଲମ୍ବିଆସେ
ତୋତେ ଝାଡି ଝୁଡି କୋଳେଇ ନେବାକୁ
ତା ସହିତ ଆଗ ତୋର ଚିହ୍ନା ପରିଚୟ ହେଲା ଯେ
ତୋର ସବୁ ଅଳି ଅର୍ଦ୍ଦଳି, ଅଝଟ ପଣିଆକୁ
ତୋ ପାଖରୁ ଛଡାଇ ନିଏ
ଆଉ ତୋ ପଛେ ପଛେ ଜଗି ରହିଥାଏ।
ତୁତ ବିଧାତା ସୃଷ୍ଟିର ଏକ
ଦରଫୁଟା କୁସୁମ କଳିକା
ସେ କଳିକା ଦିନେ ଫୁଟି ବାସ ଚହଟାଇ
ମହକରେ ମହକାଇ ଦେବ
କେତେ ମନ କେତେ ପ୍ରାଣ।
ତା’ ଭିତରେ ଭରି ରହିଛି
ଅଜସ୍ର ସମ୍ଭାବନା ଆଉ ପ୍ରତିଶୃତି
ସୁବାସିତ ମହକ।
ତୁ ଏ ସୃଷ୍ଟିର ଅମୃତମୟ ସର୍ଜନା
ଆସନ୍ତାକାଲି ପାଇଁ କେତେ ସ୍ବପ୍ନ ଆଉ ସମ୍ଭାବନା
ତୁତ ଏ ଅବକ୍ଷୟ ମୁଖୀ ସମାଜର
ନୂଆ ନିଶ୍ବାସ, ନୂଆ ବିଶ୍ବାସ…
ପଥ ଓ ବିପଥ ଭିତରେ ଆଗାମୀର ଅସଂଖ୍ୟ ପ୍ରତିଶୃତି,
ତୁ ଏତେ ନିଷ୍ପାପ ନିଷ୍କଳଙ୍କ ଯେ
ଆସନ୍ତାକାଲି ପାଇଁ ସକଳ ଆଶା ଭରସା
ଆଉ ସଂସ୍କାରର ଦୀପ୍ତି ଓ ଦ୍ୟୁତି।
ସେଇ ଉଜ୍ଜ୍ୱଳ ଦୀପ୍ତି ସହିତ ତୁ ମୁହଁ ଖୋଲି ହସୁଥା..
ତୋର ସେହି ଖୋଲାମୁହଁ ଭିତରେ ବିଶ୍ବବ୍ରହ୍ମାଣ୍ଡ ଝଲକ ଖେଳିଯାଉ ଆଉ ତୋର ଠୋ ଠୋ ହସରେ ଜଗତଟା ହସୁଥାଉ।
✍️ଜ୍ୟୋତିର୍ମୟୀ ଶତପଥୀ