News
WhatsApp Image 2023-10-04 at 17.25.00
samparksetu

ଜୀବନ ଜାତକ

   ରାୟଗଡ଼ାରେ ସାନପୁଅ ଘରେ ଦି-ମାସ ରହି ଯେତେବେଳେ ଘରକୁ ଫେରି ଅବଧାନେଙ୍କ କଥା ଶୁଣିଲେ , ଠୁକୁରା ଦାସେ ଥମ୍ କରି ବସିପଡିଲେ । ତାଙ୍କ ସନ୍ଦେହ ସର୍ବଦା ସେ ଦି କୁଳାଙ୍ଗାରଙ୍କ ଉପରେ ଥିଲା । କିନ୍ତୁ ଏଭଳି ମିଛ ଓ ଘୃଣ୍ୟ ଅଭିଯୋଗର ସାହାଯ୍ୟ ନେଇ ଶ୍ୟାମାକୁ ବୃଦ୍ଧାଶ୍ରମ ପଠେଇ ଦେବା କଥା ତାଙ୍କୁ ବିବ୍ରତ କରିପକାଇଲା । ପୋଷାକ ନପାଲିଟି, ଘରୁ ବାହାରିଲେ । ଅବଧାନେଙ୍କ ଘର ବାଟ ଦେଇ ବୃଦ୍ଧାଶ୍ରମ ଗଲା ବେଳକୁ ଅନେକ ଛି-ଛାକର, ଘୃଣ୍ୟ ମନ୍ତବ୍ୟ, ପ୍ରାୟଶ୍ଚିତର ଉପାୟ ଏବଂ ପୁଳାପୁଳା ସମ୍ବେଦନା ରାସ୍ତାରେ ପଡି ଗଡୁଥିଲା ଯାହା ।
 
ଅବଧାନେଙ୍କୁ କିଏ ନଜାଣେ ! ବାପା-ମା’ ଙ୍କ ସେବା ଦେଖି ଦେଖି ଲୋକେ “ଶ୍ରବଣ ଅବଧାନେ”ବୋଲି ବେଳେବେଳେ ରଡ଼ି ଛାଡ଼ନ୍ତି । ଡ଼ାକବାଜି ଯନ୍ତ୍ରର ତୁରୀ-ଭେରୀ ଚିତ୍କାରକୁ ପେଲିପେଲି , ପବନର ବିପରୀତ ଦିଗରେ ଏବଂ ତାଙ୍କୁ ଅବମାନନା କରୁଥିବା କିଛି ବେହିଆ ବାହାପିଆଙ୍କ ଦାଣ୍ଡ ପିଣ୍ଢାରେ ଅବଧାନେଙ୍କ ଗୁଣ ଗାଇଗାଇ ଗାଁ ଟୋକାଏ ମାତନ୍ତି । ପ୍ରଧାନ ଶିକ୍ଷକ, ଜିଲ୍ଲା ସାହିତ୍ୟ ପୁରସ୍କୃତ କବି ଏବଂ ଉଦ୍ଭଟ ଯୁବ ସମାଜର କାନମୂଳ ତତେଇ ଅବାଟରୁ ବାଟ ଓ ବାଟରୁ ମଣିଷପଣିଆ ତିଆରି କରୁଥିବା ଜଣେ ବ୍ୟକ୍ତି ଥିଲେ “ଶ୍ୟାମ ସୁନ୍ଦର ନାୟକ” ଅର୍ଥାତ ସଭିଙ୍କ ପ୍ରିୟ ‘ଶ୍ୟାମା ଅବଧାନେ’ ।

  ଆଉ ଠୁକୁରା ଦାସ ? ସେଇ ମାଇନର ସ୍କୁଲରେ ପିଅନ । ଆଗେଆଗେ ଶ୍ୟାମା ମାଷ୍ଟ୍ରେ, ପଛେ ପଛେ ଠୁକୁରା ଦାସ, ହୁଗୁଳା ହାତ ଓ ଢୋଲା ପେଟ ଥିବା ସାର୍ଟ ଓ ଧଳା କଛାମରା ଧୋତି ସହ ବେତଟିଏ ଧରି ନୁଙ୍ଗୁରୁପୁଙ୍ଗୁରୁ ଧୁର୍ମୁସା ଠୁଣୁକା ମଣିଷଟିଏ ।
   ଯେତେବେଳେ ଅବଧାନେଙ୍କ କବିତ୍ଵରୁ ଠୁଣୁକା,ଧୁର୍ମୁସା , ବହକାଳିଆ ଇତ୍ୟାଦିରୁ ଅପଭ୍ରଂଶ ଶବ୍ଦ “ଠୁଣୁମୁସିଆ” ଆବିର୍ଭାବ କଲେ ଦାସେଙ୍କ ପାଇଁ, ଦୁଇ ଚାରିଥର ତ କ୍ରିକେଟ ଅଧାରୁ ଏଇ ନାଁ ଉପାଧି ଶ୍ରବଣ କରି କେତୋଟି ବାଙ୍ଗୁରିଆ ଦକ୍ଷ ଖେଳାଳି ଗୋଡ଼ କଚାଡି ନାକ-କାନ ଦଳି ଫଁ-ଫଁ ହୋଇ ପଳାଇଥିଲେ । ଏଣେ ମାଷ୍ଟ୍ରେ ଗଣୁଥିଲେ ଗୋଟା ‘ଛ’ କୁ ପାଞ୍ଚ ଟଙ୍କା । ଯାଉଛି ଯିଏ ଯାଉ । କିରେ ! ବାହୁବଳ ଓ କଦବଳ ନଥିଲେ କିଏ ଛ’ ବାଡେଇଲାଣି ?
   କିନ୍ତୁ ଦାସେଙ୍କୁ କଡ଼ା ଲାଗେନା ।

“ଯାହା ଦେଇଛି ଜଗନ୍ନାଥେ, କି ତୋଷିବେ ଏ ଅବଧାନେ !?” ଅବଧାନେଙ୍କ ଯୋଗୁ ପିଲାଦିନୁ ପଣ୍ଡିତଙ୍କ ଶ୍ଳୋକ ପାଇଁ ଅଜରା ଚୋପା ଛଡା ମାଡ଼, ଆମ୍ବ ଚୋରି ବେଳେ ଧରା ପଡିବା ଭୟରେ ଦୁଇ ତିନୋଟି କଞ୍ଚା ଆମ୍ବର ଅସ୍ଵାଦରେ ଦାନ୍ତ ଖଟା କରି ରାତ୍ରି ଭୋଜନ ବେଳେ ମାଡ଼, ବେଙ୍ଗ ମୁତା ପାଣିର ଆସୁଥିବା ନୀଳ ନୀଳ ଶୈବାଳ ଯୁକ୍ତ ପଙ୍କ ବଦଳରେ ଗାଧୋଇ ଧରାପଡିଥିବା ମାଡ଼ ଇତ୍ୟାଦିରେ ତ ଏ ସମ୍ବୋଧନ ନା କୁ ନିଶ୍ଚିହ୍ନ ଯାହା । ଏ ଚାକିରି ତ ବଡ଼ ଅବଧାନେଙ୍କ ଅବଦାନ ଥିଲା !! ଶ୍ୟାମା ଅବଧାନେ ଜିଦ୍ଦି ଧରିଥିଲେ ଯଦି ଠୁକୁରା ଦାସ ତାଙ୍କ ପିଅନ ରୂପେ ଶ୍ରମଦାନ ,ବୁଦ୍ଧିଦାନ,ଅଳ୍ପଜ୍ଞାନଦାନ,ସମୟଦାନ ଏବଂ ମନଯୋଗ ଦାନ କରି ତାଙ୍କ ଛାଇ ସଦୃଶ ପିଲାଦିନର ବନ୍ଧୁ ଭଳି ରହେ, ତେବେ ସେ ମାଷ୍ଟର ହେବେ । ନଚେତ ସରକାରଙ୍କ ବାରତା ସେ ପାଇସାରିଛନ୍ତି କି କନ୍ଧମାଳର ସେ ଅଭେଦ୍ୟ ଜଙ୍ଗଲ ଚଲାପଥ ଗୁଳା ଦେଇ ଚାଟଶାଳୀର ଗୁରୁ ଆଜ୍ଞା ହେବାପାଇଁ ।
 
ବଡ଼ ଅବଧାନେ ଦୁଇ ଓଳା ତିନି ବକତ ନଖାଇ,ଅବଧାନୀ,ଜମିଦାରୀ ଓ ସଂସାର ଠାରୁ ଏକ ପାଖିଆ ଗ୍ରହଣ ଲଗାଇ ଚିନ୍ତା କରି ଦେଖିଲେ ଯେ ପ୍ରସ୍ତାବ ଟି ମନ୍ଦ ନୁହେଁ । ନଚେତ ନିଜ ବାପ ଗୋସଁବାପ ଜମିଦାରୀ ଅର୍ଥ ଉପରେ ସେ ଯେଉଁ ବିଦ୍ୟାଳୟଟି ଗଢିଛନ୍ତି ସେଇଠି ଅନ୍ୟକେହି ମାଷ୍ଟର ହେଲେ ରାଜଧାନୀ ଦିଲ୍ଲୀ ସେ ଜିତିବ, ଆଉ ନିଜ ସନ୍ତାନ ହୋଇଯିବ ଲୋକହସା ନୟାଗଡ଼ିଆ ଭାଲୁ !!!  କଥା ଛିଣ୍ଡିଲା, ଠୁକୁରା ନେବ ମାସକୁ ଦଶ ଟଙ୍କା, ଚାରି ଗଉଣୀ ଉସୁନା ଧାନ ଓ ରୋଗବ୍ୟାଧି ବେଳକୁ ବଇଦଙ୍କଠାରୁ ଓଷ । ସବୁଠୁ ବଡ଼ କଥା ସରକାର ଯଦି ନିଜ ହାତକୁ ସଂସ୍ଥାଟି ହାତକୁ ନିଅନ୍ତି ତେବେ ତ ଆଗ ସରକାରୀ ଲୋକ ହେବେ ଶ୍ୟାମ ସୁନ୍ଦର ପରେ ତାଙ୍କ ସୁପାରିଶ ରେ ଠୁକୁରା ।
  
ଶୁଣିବା ଲୋକେ ପ୍ରଶଂସାରେ ପୋତି ପକେଇଲେ ବଡ଼ ଅବଧାନେଙ୍କ ଭବିଷ୍ୟତ ଖଡ଼ି ଚାଳନା ବିଦ୍ୟାକୁ । ବଡ଼ ଅବଧାନେ ଖଡ଼ି ଗଡେଇଦେଲା ପରେ ଆଖପାଖ ତିନି ଜିଲ୍ଲାରେ କେହି ନଥିଲେତାଙ୍କ ପାଠଟି ଭୁଲ କହିଦେବାକୁ । ଯେତକ ବିବାହ ଯୋଟକ,ଜାତକ ଯୋଟକ ଗଢ଼ିଦେଇଥିଲେ,ବଡ଼ ଅବଧାନେ ପରଲୋକ ପ୍ରାପ୍ତି ପର୍ଯ୍ୟନ୍ତ ଧନ୍ୟ ଧନ୍ୟ ଶୁଣିଥିଲେ । ଦାସେ ଦିନେ ପଚାରିଥିଲେ “କିହୋ ଶ୍ୟାମା ! ଅବଧାନୀ କିଛି ଶିଖୁଛ ନା ନାହିଁ ? ଏ ଅଲୌକିକ ବିଦ୍ୟା ମଧ୍ୟ ଆମ ଗାଁ ଗାଉଁଲି ଲୋକଙ୍କ ପାଖରେ ମୁଣ୍ଡ ଟେକ ରଖେ ।” ଏକଥା କେବଳ ଦାସେ ନୁହେଁ ଅନେକ ବନ୍ଧୁ ମଧ୍ୟ ପଚାରନ୍ତି ବେଳ ଅବେଳରେ । ଏମାନଙ୍କ ମିଠା ଅଭିଯୋଗ ହେଉ କିମ୍ବା ସ୍ୱଇଚ୍ଛା ! ଶ୍ୟାମସୁନ୍ଦର ନାୟକ ଶିଖିଲେ ଅବଧାନୀ ।
 
ଏକଦା ଅବଧାନେ ଦାସେଙ୍କ ହାତ ଦେଖି ସଙ୍ଗମେଳେ କହିଥିଲେ “ବୁଝିଲ ଦାସେ, ଦେଖିବ ତୁମେ ରହିବ ରାଜ ଉଆସେ ।” ଦାସେଙ୍କ ଚିନ୍ତିତ ଚେହେରା ପଢି ପୁଣି କହିଲେ “ଚିନ୍ତା ପୁଣି କ’ଣ ? କିରେ ତୁମେ ପା ସରକାରୀ ପିଅନ ହୋଇସାରିଛ ଦଶ ବର୍ଷ ହେବ ! ଦରମା ତ ହୁ-ହୁ ହୋଇ ବଢୁଛି, ପୁଅ ବାହାଘର କରେଇ ଦିଅ । ଶଃ… ତୁମର ତ ଟାଣୁଆ ଭାଗ୍ୟ । ପୁଅ ଦି’ଟା ଯେ ସବୁବେଳେ ଶ୍ରେଣୀରେ ଆଗୁଆ । ଓଃ, ସୁନା ମୁଣ୍ଡା ଦିଓଟି ।” ବଡ଼ପୁଅକୁ ବାରଣ କରି ଦାସେ ଏକାଏକା ପଶିଲେ ବୃଦ୍ଧାଶ୍ରମ ହତା ଭିତରକୁ । ଠୁଣୁକା ଶରୀର ଓ ବିଷାଦଗ୍ରସ୍ତ କଖାରୁଆ ଚେହେରା ଦେଖି କିଛି ବୃଦ୍ଧ ଅଣଦେଖା କରିଲେ, ଭାବିଥିବେ ଏ ମଧ୍ୟ ଏକ ଅସହାୟ “ବାପଟିଏ”। କେହିକେହି ସମବେଦନାର କ୍ଷଣିକ ହସଟିଏ ଦେଉଥାନ୍ତି ଏ ସମୟର ଶକ୍ତିଶାଳୀ ସାହାଯ୍ୟ ରୂପେ ! କିନ୍ତୁ ଦାସେଙ୍କ ଆକ୍ଷି ଦୁଇଟି ଖୋଜିବୁଲୁଥାଏ ତାଙ୍କ ପିଲାଦିନର ବନ୍ଧୁ ଶ୍ୟାମାକୁ ।
 
ପରିଚାରକ ଜଣେ ପାଛୋଟି ନେଲାବେଳେ କହିଲା “ଜାଣିଲେ ଆଜ୍ଞା ! ସାରେ ଯେବେଠାରୁ ଆସିଲେଣି ଜାଣ ଯେପରି ଆମେ ନୁହେଁ , ସାରେ ଚଳେଇଛନ୍ତି ଏ ଆଶ୍ରମଟିକୁ । ମୋ ମାମୁଁ ପୁଅ ଭାଇ ଆଉ ମୋର ଜଣେ ସାଙ୍ଗ ସାରେଙ୍କ ଛାତ୍ର ଥିଲେ । ତିନି ଚାରିଥର ୟାରି ଭିତରେ ବୁଲି ଆସିଲେଣି । ଆପଣଙ୍କ ଭଳି ଅନେକ ବୁଢ଼ା ବି ଆସୁଛନ୍ତି ତାଙ୍କୁ ଦେଖା କରିବାକୁ । ଘଣ୍ଟା ଘଣ୍ଟା ଧରି ଆଲୋଚନା କରୁଛନ୍ତି, ଯାଉଛନ୍ତି । ଦେଖାସାକ୍ଷାତ ନିୟମ ଗଲାଣି ଜାଣ । ଆପଣ କ’ଣ ତାଙ୍କ ଚିହ୍ନା ?”
   ଦାସେ ଚୁପ୍ ରହିଲେ । ଆଖି ଜକେଇ ଆସିଲା ଦୂରରେ ନଇଁ ପଡ଼ିଥିବା ଶ୍ୟାମାକୁ ଦେଖି ।

   ଗାଟିଏ ସଂଧ୍ୟାସନ୍ନ ବେଳେ ଜମିଦାର ଦିବ୍ୟଶଙ୍କର ନାୟକ ଏବଂ କାଶୀ ଦାସଙ୍କ ଘରେ ଏକାବେଳେ କୁଆଁ କୁଆଁ ଡାକ ଶୁଭିଥିଲା । ଗାଁ ମଝି ମା ମଙ୍ଗଳାଙ୍କ ଆଳତୀର ପ୍ରଥମ ଘଣ୍ଟବାଡ଼ିଆ ବେଳେ । ଷଠିପୂଜା ସକାଳେ ଯେବେ ଲୋକେ ଦେଖିଲେ କି ଜମିଦାର ଅବଧାନେ କାଶୀ ଦାସର ଘର ପିଣ୍ଢାରେ ବସି ଦୁଇଟି ଜାତକର ପ୍ରାକ୍ ପ୍ରସ୍ତୁତି କରୁଛନ୍ତି , ଗାଁ ଲୋକେ ତାଜୁବ୍ ହେଲେ ସତ କିନ୍ତୁ ପ୍ରଶଂସା ଦେବାକୁ ଭୁଲିଲେ ନାହିଁ, “ବାଃ କି ବ୍ୟକ୍ତିତ୍ୱ !” ତଥାପି ଠୁକୁରା ଦାସେ ଅନେକ ବର୍ଷ ପରେ ହୃଦୟଙ୍ଗମ କରିଥିଲେ ଯେ ବଡ଼ ଅବଧାନେ ଜମିଦାରୀରେ ଦୁର୍ବଳ ପଡି ପରୋକ୍ଷରେ ଶ୍ୟାମା ପାଇଁ ସରକାରୀ ସ୍ଥାନ ଜାଣିଶୁଣି ସରଂକ୍ଷିତ କରିଗଲେ । ଏବଂ ପାଠ ଓ ବୁଦ୍ଧି ହିସାବରେ ଦାସେଙ୍କ ପାଇଁ ପିଅନ । ଯାହାହେଉ,ଏକାସଙ୍ଗେ ଚାଟଶାଳୀ,ବିଦ୍ୟାଳୟ, ଚାକିରୀ ଓ ଏବେର ପାଚିଲା ବାଳ ଭର୍ତ୍ତି ମୁହଁ-ମୁଣ୍ଡର ଶୁଖିଲା ଚର୍ମଯୁକ୍ତ ବୁଢା ଦି-ଜଣ । କିନ୍ତୁ ଭାଗ କରିଦେଲେ ଦୁଃଖ !!!
   ଦାସେଙ୍କ ସେ ଲୋଚାକୋଚା ଆଖି ଦୁଇଟି ଭିଜିଗଲା । ଶ୍ୟାମା ଦଣ୍ଥଡ଼ା କୋଡ଼ିଟିଏ ଧରି ନଇଁ ପଡ଼ି ଫୁଲ ବଗିଚା ଖୁସଉଥିଲେ । ଦାସେଙ୍କ ମନେ ପଡିଯାଉଥାଏ ଅନେକ ସମୟରେ ମାଷ୍ଟ୍ରେ ତାଙ୍କୁ କୁହନ୍ତି “ଦାସେ ! ସରକାରୀ ପିଅନ ହେଲା ପରେ ଏମିତି ଦିନମଜୁରିଆ ଭଳି ବିଦ୍ୟାଳୟ ହତା ବଗିଚାରେ ଦା-କଟୁରି ଧରି ଟୁଙ୍ଗୁରୁଟାଙ୍ଗୁରୁ କାହିଁ ହେଉଛ ?” ଦାସେ କ୍ଷଣିଏ ଠିଆ ହୋଇ ଟାହୁଲି କରିବା ଭୁଲନ୍ତି ନାହିଁ । କୁହନ୍ତି “ଆପଣ ତ ଜମିଦାରୀ ଛାଡି ସରକାରୀ ଚାକିରିଆ ହେଲ, ଏ କାମ ବି ଟିକେ ଶିଖିଥାନ୍ତୁ । ଅବସର ନେବା ପରେ ଦେହକୁ ଟିକିଏ କଷଣ ଦେବେ ଯେ ରାତିରେ ଭଲ ନିଦ ହେବ ।” ବିଦ୍ୟାଳୟ ସମୟରେ ଦାସେ ଆବଧାନେଙ୍କୁ ଆପଣ ସମ୍ବୋଧନ କରନ୍ତି ।ଦାସେ କୋହଭରା ହୃଦୟ ଓ ଲୋତକଭରା ଆଖିରେ ଠିଆହୋଇ ସମୟ, ପରିସ୍ଥିତି ଓ ଭାଗ୍ୟକୁ କୋଷିଲେ । ଅବଧାନେ ଦାସେଙ୍କୁ ଦେଖି ଖାଲିଟାରେ ଚମକି ପଡିଲେ, କହିଲେ “ଆରେ ଠୁକୁରା ! କେବେ ଆସିଲ ପୁଅ ଘରୁ ? ଆଉ ତମ ନାତୁଣୀଟି ଗୋରୀ ନା ତମଭଳି ଠୁଣୁମୁସିଆ ତ୍ରିପଣ୍ଡ କଳା ?”  ଦାସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ,ଶ୍ୟାମାକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦିପକେଇଲେ ।

  ମାଷ୍ଟ୍ରେ ଆସିବା ଦିନରୁ ଏଭଳି ଘଟଣା ପ୍ରାୟଦିନ ଘଟୁଛି । ଅନେକ କାନ୍ଦନ୍ତି,ଅନେକ ଖୋଲା ହାତେ ଆଶ୍ରମକୁ ଦାନ କରନ୍ତି । ମିଳିମିଶି ନିଆଶ୍ରି ବୁଢାବୁଢ଼ୀ ମାନଙ୍କ ସହ ମିଶି ସନ୍ଧ୍ୟା କାଟନ୍ତି, ଛୁଟିଦିନରେ ସତସଙ୍ଗ କରନ୍ତି । ମାଷ୍ଟ୍ରେ କୁହୁକ ଛଡ଼ି ପାଲଟିଛନ୍ତି । ନିଜ ପରିବାର ବ୍ୟତୀତ ସଭିଙ୍କର ସେ ପ୍ରିୟ ମାଷ୍ଟ୍ରେ,ଅବଧାନେ, କବି ଆଉ ବନ୍ଧୁ ।
   ମାଷ୍ଟ୍ରେଙ୍କ ଆଖିରେ କିନ୍ତୁ ଲୁହ ନଥିଲା କି ଆଶ୍ଚର୍ଯ୍ୟର କ୍ଷୀଣ ଝଲକ । କୋଡ଼ିଟିକୁ ତଳେ ପକେଇଦେଇ କହିଲେ “ଆରେ ଠୁକୁରା, ମୋ ଗାମୁଛା ଦେଖିଛୁ କି ? ଏବେ ଏବେ ଧରିଥିଲି , ଆରେ ତୋ ନାତୁଣୀ ଗୋରୀଟିଏ ହୋଇଛି ତ ?”ଦାସେଙ୍କ ଆକ୍ଷି, ନାକ, କାନ ଏମିତିକି ସ୍ପନ୍ଦନ କୋହର ତାଡନାରେ ଧିମା ପଡିଯାଉଥାଏ । ଅତିପ୍ରିୟ ବନ୍ଧୁ ର ଏ ବୃଦ୍ଧକାଳୀନ ବାଚାଳତା ତାଙ୍କୁ ଯେପରି ବିଗଳିତ କରିପକାଉଥାଏ । ଆହାଃ ! କିଛି ବି ହେଲେ କରିପାରିଥାଆନ୍ତେ କି ତାଙ୍କ ପାଇଁ !!!
   ମାଷ୍ଟ୍ରେଙ୍କ କାନ୍ଧରୁ ଗାମୁଛାଟି ସନ୍ତର୍ପଣରେ ଟାଣି ଆଣି ତାଙ୍କ ହାତରେ ଧରାଇଦେଲେ ।

ଦୁହିଁଙ୍କ ଆଖି କେଇକ୍ଷଣ ମିଶିଗଲା । ଦାସେ ବୁଝିପାରୁଥିଲେ ମାଷ୍ଟ୍ରେଙ୍କ ଆଖିରୁ ଲୁହ ବାହାରୁ ବାହାରୁ କାହିଁକି ଶୁଖି ଯାଉଥିଲା । ଦୁହେଁ ବସିପଡିଲେ ସେ ବଗିଚାର ଇଟା ବାଡ଼ ଉପରେ । କାହା ପାଖରେ ଭାଷା ନଥାଏ । ଦୁର୍ଦ୍ଦଶାର କାହାଣୀ ନା ବଖାଣି ହୁଏ ନା ପଚାରି ହୁଏ ନିଜ ପ୍ରିୟ ବନ୍ଧୁକୁ । ସବୁକିଛି ଆପେଆପେ ତ ବୁଝିହୁଏ !
   ସେତିକିବେଳେ କେହି ଜଣେ ବଗିଚାର ଆରପଟୁ ଡାକ ପକାଇଲା । ମାଷ୍ଟ୍ରେ ଧଡ଼ପଡ଼ ହୋଇ ଉଠି ଗୋଟିଏ ଅଧା ଗଢ଼ା ଚାଳିଆ ଆଡେ ଗଲେ । ପଛେ ପଛେ ଠୁକୁରା ଦାସ ।  ସେ ଦୁଇ ବଖୁରିଆ ଚାଳଘର ଓଳି ତଳେ ଠିଆ ହୋଇ ଶ୍ୟାମା ମାଷ୍ଟ୍ରେ ବଡ଼ବଡେଇ ହେଲେ । “ଜାଣୁ ଠୁକୁରା ! ପ୍ରାୟ ବର୍ଷେ ହେବ ମୁଁ ଅନେକ କିଛି ଭୁଲି ସରିଛି । ତୋ ବଡ଼ ନାତି ଜନ୍ମଦିନ ବେଳେ ତୁ ଯେବେ ମୋ ହାତରେ ନିମନ୍ତ୍ରଣ ପତ୍ର ଧରେଇ ଚାଲିଗଲୁ, ମୁଁ ଓଳିଏ ବସି ମନେ ପକାଇଥିଲି ତୋର କେଇଟି ନାତି ନାତୁଣୀ । ସେଦିନ ମୋ ପୁଅବୋହୂ ହୁଏତ ଚିଡି ନଥିଲେ , କିନ୍ତୁ ଧୀରେ ଧୀରେ ଏଇମିତି ଅନେକ କିଛି ଭୁଲିଲି । ସେମାନେ ମୋତେ ପାଗଳ କହିଲେ । ନାତି ନାତୁଣୀ ମାନଙ୍କୁ ମୋଠାରୁ ଦୂରେଇ ରଖିଲେ । ବେଳେବେଳେ ମୁଁ ଭୋକ ଭୁଲିଯାଏ ।

ସେମାନେ ଖାଇବା ଟେବୁଲ୍ କୁ ବି ଡାକିଲେ ନାହିଁ ମୋତେ । ତୁମେ କୁହ ତ ! ଭୋକ ଶୋଷ ଯଦି ଜଣେ ଭୁଲିଯାଏ ତେବେ ସେ କଣ ପାଗଳ ? ସମ୍ପତ୍ତି ବାଡ଼ି ବିକ୍ରି ଭାଗ କରି ସହର ଚାଲିଯିବାର ଶୁଣିଲି, ବିରୋଧ କରିବାରୁ ପାଗଳ ଆଖ୍ୟା ପାଇଲି । ସେମାନେ କଣ ଜାଣିବେ ଓଡିଶା ମାଟି ପାଣି ପବନର ଅତ୍ମୀୟତା ? ଏତେ ଖର୍ଚ୍ଚ କରି ଆମେରିକା ଇଂଲଣ୍ଡରେ ପଢେଇ ମାଟି ପ୍ରତି ଭଲପାଇବା ଶିଖାଇ ପାରିଲି ନାହିଁ । ଆଜି ଭୋଗୁଛି । କହିଲେ ଆଲଜାଇମର ବେମାରର ଶେଷ ଅବସ୍ଥା ହେଲେ କିଏ ପାଖରେ ରଖିବ ? ବରଂ ଡାକ୍ତରଖାନାରେ ଭର୍ତ୍ତି କରେଇ ବିଦେଶରୁ ଫୋନ କରି ବୁଝିଦେଲେ ହେଲା । ଡାକ୍ତରଖାନାର ଅଜଣା ଲୋକଙ୍କ ସହ ରହିବା ଅପେକ୍ଷା ଏଇ ଆଶ୍ରମରେ ରହିବା ଠିକ୍ ଭାବିଲି ।

ଏ ଦାମ ଲେଙ୍କା ମୋ ଛାତ୍ର ଥିଲା, ଭାରି ମାନେ ମୋତେ । ତାରି ପାରିଲାପଣ ଏକାଗ୍ରତାରୁ ଏଇ ବୃଦ୍ଧାଶ୍ରମ । ଏଠାକୁ ଆସିଲି,ସେମାନେ ମଧ୍ୟ ଥରୁଟିଏ ଆସିଲେ ନାହିଁ ମୋତେ ଘରକୁ ନେବାକୁ । ପରଦିନ ଭୁବନେଶ୍ୱର ଚାଲିଗଲେ । ଶୁଣିଲି ସେମାନେ ବିଦେଶ ପଳେଇଛନ୍ତି । ଯାଆନ୍ତୁ ! ଏ ବେମାରରେ ଦିନେ ସେମାନେ ମୋ ଅଂଶ ଥିଲେ ବୋଲି ମୁଁ ହୁଏତ ଭୁଲିଯିବି । ଏବେ ଲାଗେ ଏ ବେମାରଟି ଅତି ଆପଣାର । ମୃତ୍ୟୁ ବେଳେ ଜନ୍ମ ବେଳର ମମତା ଦେଇ ଶୁନ୍ୟକୁ ନେଇଯିବ । ଯେତେଯେତେ ମୁଁ ଭୁଲିଯାଉଛି ସେତେସେତେ ଆଜିକାଲି କାହିଁକି କେଜାଣି ମୋ ବୋଉ, ବାପା, ଜେଜେମା, ଜେଜେ ବେଶି ମନେ ପଡୁଛନ୍ତି ରେ ।”  ଗାଁ ସାହିତ୍ୟର ଅବୁଝା ଶବ୍ଦ,ଉପମା,ଢଗଢମାଳି କ୍ରିକେଟ କଥା କିମ୍ବା ଅବଧାନୀ ବିଜ୍ଞାନ ଇତ୍ୟାଦି ନ ଯୋଡି ମାଷ୍ଟ୍ରେଙ୍କ ମୁହଁରୁ ଏତେଗୁଡିଏ କଥା ପ୍ରଥମଥର ଆଜି ଶୁଣିଗଲେ ଦାସେ । ହୃଦୟଟି ତାଙ୍କର ଫାଟି ପଡୁଥାଏ ।

  “ହେ ଜଗନ୍ନାଥେ, କାହିଁକି ବିନା ଦୋଷେ ଏ ବୁଢ଼ାଟାକୁ ଦଣ୍ଡିଲ ? କି ପାପ କରିଥିଲା ହେ ପ୍ରଭୁ ? ଏଭଳି ନିରୀହ ମଣିଷଟି କୋଉ ଜନ୍ମରେ କି ପାପ କରିଥିଲା ଯେ ଏତେ ଦହଗଞ୍ଜ ତା ଭାଗରେ ଯୋଖିଲ ?” ଏତିକି କହି ପୁଣି କାନ୍ଦି ପକାଇଲେ ଠୁକୁରା ଦାସ । ଅଳ୍ପ ଲୋକ ରୁଣ୍ଡ ହୋଇଗଲେ । ସମସ୍ତଙ୍କ ଆଖିରେ ଅଳ୍ପ ଅଳ୍ପ ଲୁହ । ଯେପରି ଏମାନଙ୍କ ଦୁଃଖ ଦେଖି କାନ୍ଦିଲେ ମଧ୍ୟ ଆଉ ଲୁହ ବାହାରିବ ନାହିଁ । ସବୁ ଶୁଖିଗଲାଣି । ସମସ୍ତଙ୍କର ତ ସମାନ କ୍ଷତ, ସମାନ ମନ ଆଉ ସମାନ ଜୀବନ ।
 

ଶ୍ୟାମା ମାଷ୍ଟ୍ରେ ଉଠିଲେ । ଠୁକୁରା ଦାସଙ୍କ କାନ୍ଧରେ ହାତ ଥାପୁଡ଼େଇ କହିଲେ “ତୁ ଚିନ୍ତା କରେନା ଠୁକୁରା । ଏବେ ଏଇ ମୋ ଘର । ତୁ ଯା ସନ୍ଧ୍ୟା ହେଲାଣି, ମୋ ଚଷମାଟି ମଧ୍ୟ ମିଳୁନି । ଆରେ ହଁ ତୋର ନାତି ନା ନାତୁଣୀ ହୋଇଛି ?”ଦାସେ ବିଦାୟ ନେଲାବେଳେ ଅବଧାନେ କହିଲେ “ଆଉ ଥରେ ଆସିବ ତ ?”ଭୁଲିଯିବ ନାହିଁ ତ ?”
   “ଆରେ ଶ୍ୟାମା ! ଗୋଟିଏ ସମୟରେ ପରା ଆମର ଜନ୍ମ, ପିଲାବେଳୁ କେବେ ତମ ହାତ ଛାଡିଛି ? ଆଜିବି ଦଶଖଣ୍ଡ ମଉଜାରେ ମୋତେ ତୁମ ପିଅନ ବୋଲି ଜାଣିଛନ୍ତି , ଆଜିବି ଗାଁରେ ଆମ ପିଲାଦିନର ଆମ୍ବ ପିଜୁଳି ଚୋରି ଘଟଣା ଛୁଆ ଶୁଣୁଛନ୍ତି । କ୍ରିକେଟ ଖେଳ ହେଲେ ଆମ ଦୁହିଁଙ୍କ ନାଁ ଡାକରା ପଡୁଛି । ବିଧାତା ଆମ ଜାତକରେ ଏ ବୁଢାଦିନକୁ ଏମିତି କାହିଁକି ଖଞ୍ଜିଲେ କେଜାଣି ?” ଏତିକି କହି ଶ୍ୟାମାଙ୍କ ସାର୍ଟ ପକେଟରୁ ଚଷମାଟି କାଢି ଅତି ଯତ୍ନରେ ସଫାକରି ତାଙ୍କ ହାତରେ ଧରାଇଦେଲେ ଦାସେ ।

✍️ହିମାଂଶୁ ଭୂଷଣ ସାହୁ , ଢେଙ୍କାନାଳ

new life
You might also like
error: Content is protected !!