ତୁମେ ନିରାକାର ଦରଦୀ ଠାକୁର
ଭକତ ଜୀବନ ଧନ
ଚତୁର୍ଦ୍ଧା ମୂରତି ଦରଶନ ପାଇଁ
ବ୍ୟାକୁଳ ହୁଏ ମୋ ମନ !
କୋଟି ଓଡିଆଙ୍କ ପ୍ରାଣର ଦେବତା
ତୁମେ ତ ନୀଳ ଶଇଳ
ସପନରେ ମୋର ତୁମକୁ ଦେଖିକି
ଆଖି ଲୁହ ଛଳଛଳ |
ଆଖି ଆଢ଼ୁଆଳେ ସଭିଙ୍କୁ ରଖିଛ
ଆହେ ପ୍ରଭୁ ଜଗନ୍ନାଥ
ଏତିକି ମାଗୁଣି ମୋ ମଥା ଉପରେ
ରଖିବ ଅଦେଖା ହାତ |
ଭାବୁଛି କହିବି ମନ କଥା ମୋର
କହିବାକୁ ଲାଗେ ଡ଼ର
ଦୁଃଖ କଥା ଶୁଣି ତୁମେ ଯଦି ପ୍ରଭୁ
କରିଦେବ ସାତ ପର |
ତୁମ ଡ଼ୋରି ଟିକେ ଲଗାଇ ଦିଅ ହେ
ତୁମ ଦରଶନେ ଯିବି
ବଡ଼ ଦେଉଳରେ ତୁମ ସେବା କରି
ଅବଢ଼ା ଅନ୍ନ ଭୁଞ୍ଜିବି |
କିଏ କହେ ତୁମେ ମନୁଆଁ ହଟିଆ
କାଳିଆ ଜଗତ ନାଥ
ଭକତ ଚାହାନ୍ତି ଦେଖିବାକୁ ବଡ଼
ଦାଣ୍ଡେ ନନ୍ଦିଘୋଷ ରଥ |
ଆଖି ଆଢ଼ୁଆଳେ ସଭିଙ୍କୁ ରଖିଥା
ତୁମ ପାଶେ ଥାଉ ଭାବ
ଓଡ଼ିଆ ଜାତିଟା ତୁମ ପାଇଁ ପ୍ରଭୁ
ମନେ କରୁଥାଏ ଗର୍ବ |
ଯେତେ ଦୁଃଖ ଦେବ ସବୁ ସହିଯିବି
କରିବିନି ଅଭିମାନ
ଝୁଣ୍ଟି ଗଲେ କେବେ ଧରିନେବ ହାତ
ଏତିକି ମୋ ନିବେଦନ |
✍️ ବିକାଶ କୁମାର ହୋତା