News
WhatsApp Image 2023-10-04 at 17.25.00
samparksetu

ବିସର୍ଜିତା

ସେ ସହର ବାହାର ନିଶବ୍ଦତାକୁ ନିଜ ହାଜିରି ଦେବାକୁ ଯାଇ ନଦୀଟି କୁଳୁକୁଳୁ ସ୍ୱଶବ୍ଦରେ ନିମଗ୍ନ ଥିଲା । ଇଛା ହେଉଥିଲା ସେ ସୃଷ୍ଟି ନିୟମକୁ ଟିକେ ସମୟ ପାଇଁ ନିଜ ଆୟତରେ ରଖି ବହିଯାଅନ୍ତା ଦେବୀଙ୍କ ମୃଣ୍ମୟ ପ୍ରତିମାର ପାଦପଦ୍ମ ପାଖକୁ । ଆଉ ଆଞ୍ଜୁଳା ଆଞ୍ଜୁଳା ଶୀତଳ ଜଳ ଦେବୀଙ୍କ ମୋହିନୀ ରୁପ ଉପରେ ସିଞ୍ଚନକରି କୁହନ୍ତା “ହେ ଦେବୀ ! ଆଉ ଅପେକ୍ଷା କରାନ୍ତୁ ନାହିଁ । ମୋ ଅଧିକାରର ଭାଗ ପ୍ରାପ୍ତିରେ ମୋତେ ଭାଗ୍ୟବତୀ କରାନ୍ତୁ । ବିଦାୟ ନିଅନ୍ତୁ ଲୀନ ହୋଇ ମୋ ଦେହେ । ଉତ୍ସବ ମୁଖର ଏ ଧରିତ୍ରୀ , ଆତ୍ମଉଲ୍ଲସିତ ପରିପୂର୍ଣ୍ଣ ଏ ମାନବଙ୍କ ସେବାରୁ କ୍ଷାନ୍ତ ହୋଇ ଫେରିଯାଅନ୍ତୁ ଦିଗବଳୟର ଅନନ୍ତତାକୁ । ଏ ମୋହାଚ୍ଛନ୍ନ ପରିବେଶକୁ ବିରାମ ଦିଅନ୍ତୁ ମା ! ନଚେତ୍ ଏ ମାନବ ସମାଜ ଦେବତା ପାଲଟିବାର ମୋହରେ ପଡିଯିବ ।

ସଂସାରରେ ମାତ୍ରାଧିକ ସୁଖ କ’ଣ ଏ ମାନବ ଜାତି ସହ୍ୟ କରିପାରିବ ?” ସହରର କ୍ଷୀଣ ଅସ୍ଥିରତା ନଦୀକୁ ଛୁଇଁଯାଉଥିଲା । ଅତ୍ୟାଧୁନିକ ବାଦ୍ୟଯନ୍ତ୍ରର ଶବ୍ଦେ ଶବ୍ଦେ ତୁହାକୁ ତୁହା ଭାସିଆସୁଥିଲା ଭିନ୍ନ ଭିନ୍ନ ଭାଷାର ଦେବୀ ବନ୍ଧନା । କାନଫଟା ଅସହ୍ୟ ଶବ୍ଦ ମଝିରେ ମଝିରେ ନଦୀର ସ୍ଥିରତାକୁ ଚହଲେଇ ଦେଉଥିଲା । ଠିକ୍ ସେଇ ମୁହଁ ଅନ୍ଧାର ସଞ୍ଜୁଆ ଆଳସ୍ୟକୁ ଭଙ୍ଗ କରି ନଦୀର ସ୍ତରକୁ ଛୁଇଁଗଲା କୁଆଁ କୁଆଁ ଶବ୍ଦର ରୋମାଞ୍ଚ । ନଦୀ କ୍ଷୁଦ୍ର ମୁହାଣର ଏକ ପରିତ୍ୟକ୍ତ ସନ୍ତସନ୍ତିଆ ମଗ୍ନମାଟି ଉପରୁ । ନଦୀ ଚାହିଁଲା ! ନିଜ ଜଳର ପରଶରେ ସୃଷ୍ଟି କରିଦେଇଥିବା ମାଟି ମାଆର ସେ ପଙ୍କିଳ ସନ୍ତସନ୍ତିଆ ଉର୍ବରତାକୁ । ଦିନର ରୌଦ୍ର ଉତ୍ତପ୍ତ ସହ୍ୟ କରି ଶୁଖି ପଡ଼ିଥିବା ଫାଟରୁ କିପରିଭାବରେ ଉଙ୍କି ମାରିଛି ଲକ୍ଷ ଲକ୍ଷ ଗୁଳ୍ମ । ଶହ ଶହ ତରୁଲତାଙ୍କ ଶ୍ୟାମଳତାରେ ଲୁଚକାଳି ଖେଳୁଛନ୍ତି କୁନି କୁନି ତାରା ଆଉ ସହର ଭିତରୁ ଆକାଶକୁ ଭାଗ ଭାଗ କରିଦେଉଥିବା ନୃତ୍ୟରତ ରଙ୍ଗୀନ୍ ଗାଢ଼ା ଆଲୁଅ ।

କିନ୍ତୁ ଏ ତ ଦେବୀଙ୍କ ବିଦାୟର ସମୟ ନୁହେଁ ! ତେବେ ଦେବୀ ଦଶଭୁଜାଙ୍କ ଏ କି ରୂପର ଆବିର୍ଭୂତା ତା କୂଳରେ ? ନଦୀ ଶଙ୍କିତ ହୋଇପଡିଲା । ଅମାନିଆ ନିଜ ଢ଼େଉ ଗୁଡିକୁ ଆୟତ୍ତ କରିବାକୁ ଲାଗିଲା । କିନ୍ତୁ ଶତ ସହସ୍ର ଢ଼େଉର ଶବ୍ଦକୁ ମନ୍ତ୍ରିତ କରିଦେଉଥାଏ ସେ ଅସ୍ଥିର କୁଆଁ କୁଆଁ ରାବ ।
  
ନଦୀ ତା ବିସ୍ତୃତ ନୟନେ ଦେଖିଲା ଦୁଇଜଣ ଭୟଦ୍ରବିଭୂତ ମାନବୀଙ୍କ ଚଳଚଞ୍ଚଳ କୁପ୍ରକୃତି । ଜଣେ ନାରୀ ଖୋଦନ କରିଚାଲିଥିଲା ନଦୀ ପଠାର ସନ୍ତସନ୍ତିଆ ଶୁଷ୍କ ପଙ୍କ ! ଗୋଟିଏ ଶକ୍ତ ଶୁଷ୍କ କାଷ୍ଠକୁ ଅସ୍ତ୍ରର ମାଧ୍ୟମ କରି । ଆଉ ଜଣେ ଅଧନିମିଳିତ ଆଦ୍ର ଅପଲକ ନୟନେ ଅନେଇ ରହିଥିଲା ନବଜନ୍ମିତ କନ୍ୟା ରତ୍ନଟିର ସମ୍ପୂର୍ଣ୍ଣ ଅଳ୍ପ ଲାଳ ରକ୍ତ ବୋଳା ଶରୀରଟିକୁ ।
  
ତେବେ ଏ କ’ଣ ଏକ ହତ୍ୟାର ଷଡ଼ଯନ୍ତ୍ର ? ଜନନୀ କିପରି ନିଜ ସନ୍ତାନର ହତ୍ୟା କରିପାରେ ? କି ଦୁଃଖ ଯନ୍ତ୍ରଣା ତା ଅତୀତ ଆଉ ବର୍ତ୍ତମାନରେ ? ହତ୍ୟା କରି କ’ଣ ଦୁଃଖ ଲାଘବ ପ୍ରାପ୍ତି ହୁଏ ? ନାରୀ ନାରୀର ଶତ୍ରୁ ହେଲେ ଏ ଜଗତ ସଞ୍ଚାଳନ କିପରି ହେବ ?
   ଅନେକ ପ୍ରଶ୍ନ ନଦୀର ମନରେ । ଅନେକ ପ୍ରଶ୍ନ ମାଟିର । ଅନେକ ପ୍ରଶ୍ନ ସଞ୍ଜ ଆକାଶ ଆଉ ଅନୁଭୂତ ହେଉଥିବା ପ୍ରତ୍ୟକ ଭୌତିକ ସତ୍ତାର । କିନ୍ତୁ ନୀରବ ସବୁକିଛି । ସେ ନବ ଜନ୍ମିତା ଶିଶୁର ସରଳତା ପରି ।

  ନଦୀ ଗର୍ଜି ଉଠିଲା । ଚେଷ୍ଟା କଲା ନିଜ ଅନ୍ତର ଚିରି ନିଜର ବିରୋଧାଭାଷ ପ୍ରକଟ କରାଇବାକୁ ରାକ୍ଷସୀ ସାଜିଥିବା ଦୁଇଟି ନାରୀଙ୍କ ସମ୍ମୁଖରେ ! କିନ୍ତୁ ପ୍ରକୃତିର ନିୟମରେ ବନ୍ଧା ତା ଆତ୍ମା କେବଳ କିଛି ଭଉଁରୀ ସୃଷ୍ଟି କରି ଉଭେଇଗଲା ନଦୀର ଗର୍ଭରେ । ନଦୀ କହି ଉଠିଲା “ହେ ନାରୀ ରୂପୀ ରାକ୍ଷସୀଗଣ ! ତୋତେ ମୁଁ ଅଧିକାର ଦେଉନାହିଁ ମୋ ଗର୍ଭରେ ତ୍ୟାଗ କରିବାକୁ ଈଶ୍ୱରଙ୍କ ଏ ସୃଷ୍ଟି । ଏ ପୁଣ୍ୟର ଜଳ ମୋର , ଏ ପଠା ମୋର , ଶହ ଶହ ଗଜ ଭେଦିଯାଇଥିବା ମୋ ଜଳର ଏ ଭୂଭାଗ ମୋର । ମୋ ଜଳରେ ସ୍ପର୍ଶ ହୋଇ ଜଳ ବୁନ୍ଦା ନେଉଥିବା ଏ ବାୟୁ ମୋର । ମୋ ଜଳରୁ ସୃଷ୍ଟି ଏ ମେଘ ଓ ମେଘ ଜଳବୁନ୍ଦେ ତୃପ୍ତ ସଚରାଚାର ଜୀବ ମୋର । ମୋ ଜଳକୁ ଚାହିଁ ନିଜ ମୁଖ ଦର୍ଶନ କରୁଥିବା ଏ ଆକାଶ , ଏ ସୂର୍ଯ୍ୟ , ଚନ୍ଦ୍ର, ପଶୁପକ୍ଷୀ ମୋର ।

ଏମାନେ ବସବାସ କରୁଥିବା ସ୍ଥାନ ମୋର । ଏ ସାରା ସଂସାର ମୋର । ହେ ମାନବୀ ! ମୋ ପୃଥିବୀରେ ତୁ ଏ ପାପ କରିପାରିବୁ ନାହିଁ । ଏ ଅଧିକାର ତୋର ନାହିଁ ।”  କିନ୍ତୁ ମନୁଷ୍ୟ ନଦୀର ଭାଷାକୁ ବୁଝିବା କାହିଁ କେଉଁ ଯୁଗରୁ ଅଣଦେଖା କରିଆସିଛି । ସେ ଦୁଇ ରାକ୍ଷସୀ କିନ୍ତୁ ଚମକି ପଡିଲେ । ଚତୁର୍ଦିଗକୁ ପହଁରେଇ ଆଣିଲେ ଢ଼ିମା ଢ଼ିମା ରକ୍ତ ପିପାସୁ ଆକ୍ଷି । କିଛିକ୍ଷଣ ଖୋଦନ ବନ୍ଦ କରି ଉଠିବସିଲା ଅଳ୍ପ ବୃଦ୍ଧା ରାକ୍ଷସୀ । ତା ପଥର ଛାତିସ୍ପନ୍ଦନର ଭୟତା ବାରି ପାରୁଥିଲା ନଦୀ । ମାତୃତ୍ବର ଘୃଣ୍ୟଶିଖର ଛୁଇଁଯାଉଥାଏ ଅନ୍ୟ ଚାଣ୍ଡାଳି ନାରୀର ହୃଦୟ । ଆଉ ସେ ନବାଗତା ଶିଶୁ ! କ୍ଷୁଧାରେ ଚିତ୍କାର କରିଉଠିଲା ସାରା ଭାବନାକୁ ବିରାମ ଦେଇ ।
  

ନଦୀ ହୁଏତ କାନ୍ଦି ଉଠିଲା । କୋହ ଭରିଦେଲା ଅତଳ ଜଳର କେଉଁ ଗହ୍ୱରତା ମଧ୍ୟରେ । ନିଜ ତାଡନାର ନିଜେ କଇଁ କଇଁ ହୋଇ କାନ୍ଦି ଉଠିଲା ନଦୀ । ଆଉ ସ୍ମରଣ କଲା ମା ଦୂର୍ଗା ଦୂର୍ଗତି ନାଶିନୀଙ୍କୁ ।
   “ହେ ମା ମହାମାୟୀ ଦୁଃଖ ବିନାସିନୀ ବିଶ୍ୱସ୍ୱରୂପିଣୀ ! ତୁମ ପାଦପଦ୍ମେ ଏ ଅସହାୟା ପ୍ରକୃତି ନିୟମ ବନ୍ଦିନୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ହେ ଜଗଦ୍ଧାତ୍ରି ! ତୁମ ବିସର୍ଜିତା ମାଟି ପିଣ୍ଡ ସହ କ’ଣ ଏ କୋମଳ ଶିଶୁର ପ୍ରାଣହୀନ ଶରୀର ମୋ ଉପକୂଳ ସହ୍ୟ କରିପାରିବ ? ବିସର୍ଜନର ବିଦାୟ ପର୍ବରେ ତୁମେ ପ୍ରକଟ ହୁଅ ମା । ଏ ପାପ ଭାଗରୁ ମୋତେ ବଞ୍ଚିତ କରାଅ । ପ୍ରେରଣ କର ଦେବଦୂତ । ସଂହାର କର ମହିଷାସୁରର ନାରୀ ରୂପ ଗୁଡିକୁ ।”
  

ନିଶବ୍ଦ ଉପକୂଳବର୍ତ୍ତୀ ସେ କ୍ଷୁଦ୍ର ମୁହାଣ ଦେଇ ନଦୀର ସ୍ତବକ ହୁଏତ ପହଞ୍ଚି ପାରୁନଥିଲା ମୃଦଙ୍ଗ , ତୂରୀ , ଭେରୀ , ମାଦଳ ଝାଞ୍ଜ , ଶଙ୍ଖ ଓ ବିଶାଳକାୟ ବିଦ୍ୟୁତ ବାଦ୍ୟଯନ୍ତ୍ର ଶବ୍ଦ ଭେଦ କରି ମାଆଙ୍କ ପାଖେ । ନଦୀ ଦୁଃଖିତ ହୋଇପଡି ପୁଣି ବିନମ୍ରତାର ସହ ଗୁଣୁଗୁଣାଇଲା “ହେ ମା ! ଦେଖୁଛ ସେ ଶିଶୁର ନୟନ ଯୁଗଳକୁ ! ତୁମ ମୃଣ୍ମୟୀ ରୂପ କାନ୍ତିର ଅପଲକ ନୟନକୁ କେମିତି ନକଲ କରିଛି ? ତା ଥର ଥର ଓଷ୍ଠ କେମିତି ତୁମ ସ୍ମିତ ହସ ସହ ମିଶି ଯାଉଛି ? ଦେଖୁଛ ତା ଅସ୍ଥିର ପାଦ ! ତୁମ ରୁଣୁଝୁଣୁ ପଦଗୁଞ୍ଜନ କୁ ଥରେ ପିନ୍ଧାଇ ଦେଲେ କିଏ ଦେବ କି ମାନବ ଅଛି , ଯିଏ ତୁମର ଦୁଇଭୁଜା ସ୍ବରୂପ ଦେହଜନ୍ମ ନ ଭାବିବ ? ହେ ଦେବୀ ! ତୁମେ ହିଁ ଏଇ ଶିଶୁ । ହଁ ତୁମେ ଏଇ ଲାଳ ରକ୍ତ ବୋଳା ଦେବୀ ଦୁଇଭୁଜା “ଦୁର୍ଗା” । ଆଜି ବିସର୍ଜିତା ନୁହେଁ , ଆବିର୍ଭୂତା ଭାବ ତୁମର ଏ କାନ୍ତି ହେଉ । ତୁମେ ଆବିର୍ଭାବ ହୋଇଛ ମା । ତୁମେ ଆବିର୍ଭୁତା ।”

  ନଦୀ ତା ନିଜ ଭାବନାର ସ୍ତୁତିରେ ନିମଗ୍ନ ଥାଏ । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦରେ ନଦୀ ବିଚଳିତ ହୋଇଉଠିଲା । ବିଚଳିତ ହୋଇଉଠିଲେ ସେ ନାରୀ ରୂପୀ ରାକ୍ଷସୀ ଦ୍ବୟ । ବିଚଳିତ ହୋଇଉଠିଲେ ଆଖପାଖର ସୁଖନିଦ୍ରିତ ପଶୁପକ୍ଷୀଗୁଡିକ । ରାହା ଧରି କାନ୍ଦି ଉଠିଲା କୁନି ‘ଦୁର୍ଗା’ । ନଦୀ ଅନୁଭବ କଲା ଦୁମ୍ ଦୁମ୍ କରି କ୍ଷିପ୍ର ଗତିରେ ଧାଇଁ ଆସୁଥିବା ଦଶଟି ଶକ୍ତ ପାଦ । ଦେବୀ ଦୁର୍ଗାଙ୍କ ଦେବ ଦୂତ ! ସ୍ୱରକ୍ଷା ନିମନ୍ତେ ଯେପରି ମା ଆଜି ବଦ୍ଧପରିକର । ଦେବଦୂତରେ ଜଣେ ଥିଲେ ବନ୍ଧୁକଧାରୀ ପୁରୁଷ । ସୁରକ୍ଷା ବାହିନୀ ପୋଷାକ ଆଉ ଆଖିରେ ଜଳନ୍ତା ଆକ୍ରୋଶ । ତିନିଜଣ ଦେବନାରୀ ଝପଟି ପଡିଲେ ସେ ଦୁଇ ରାକ୍ଷସୀଙ୍କ ଅଲରା କେଶରାଜି ଓ ପ୍ରହାର କରିଚାଲିଲେ ସେ ଦୁହିଁଙ୍କ ଚିବୁକ , ଅନ୍ତନାଡୀ , ପଥର ହୃଦୟ ରଖିଥିବା ଛାତି ଓ ସମଗ୍ର ପାପୀନି ଶରୀରକୁ ।

ଏବଂ ଘୋଷାରି ଘୋଷାରି ନେଇଗଲେ ନଦୀ ପଠା ସେପାଖରେ ଗର୍ବରେ ଛାତି ଫୁଲେଇ ଦଣ୍ଡାୟମାନ ଥିବା ସୁରକ୍ଷା ବାହିନୀ ଯାନକୁ । ଆଖିରେ ଆଖିଏ ଲୋତକ ଭର୍ତ୍ତି କରି ଅତି ଯତ୍ନରେ ଶେଷ ଦେବନାରୀ କୋଳେଇ ଧରିଥିଲେ ନବଜନ୍ମିତ ମା ଦୁର୍ଗାଙ୍କୁ । ଡାକ୍ତରାଣୀଙ୍କ କୋଳରେ କୁନିକୁନି ପାଦ ଛାଟି ମା’ଦୁର୍ଗା  ଯେପରି କହୁଥାନ୍ତି “ଆଉ ଟିକେ ଡେରି କରିଥିଲେ କି ଅନର୍ଥ ତୁ ଦେଖିଥାନ୍ତୁ ଦେବୀ !”
   ନଦୀ ଶୁଣୁଥିଲା ସେ ନାମକରଣ କରିଥିବା ମାନବରୂପୀ ମା ଦୁର୍ଗାଙ୍କ କ୍ରନ୍ଦନ । ଆଃ..! ଆଜି ଏ ଦୁର୍ଗାଙ୍କ ଆଖିର ଲୁହ କେତେ ସୁଖ ପ୍ରଦାୟକ ! ଅବିର , ସିନ୍ଦୁର , ଅଗୁରୁ ଚନ୍ଦନ ଅପେକ୍ଷା ଏ ରକ୍ତ ଆଉ ଲାଳର ଅଳ୍ପ ଛିଟା କେତେ ଚିତ୍ତାକର୍ଷକ ଲାଗୁଛି !
 
ସେମାନଙ୍କ ଚାଲିଯିବା ବେଳେ ନଦୀ ପୁଣି ଅନୁଭବ କଲା ଥିରି ଥିରି ଅସଂଖ୍ୟ ପଦ ଯୋଡିଙ୍କର କୋମଳ ସ୍ପର୍ଶ । କ୍ଷୀଣ କ୍ଷୀଣ ଆଲୁଅ ହସ୍ତରେ ଜାବୁଡି ଧରି ଅନେକ କିଶୋରୀ କିଶୋରଙ୍କ ଆଗମନ ସେ ଛୋଟ ନଦୀ ଘାଇ ପାଖ ଗାଧୁଆ ତୁଠ ଆଡକୁ । ଅନ୍ଧାରର ଆଗମନ ସହ ସାରା ସହରକୁ ପଛରେ ଛାଡ଼ିଦେଇ ମା ଦୁର୍ଗା ବିରାଜିତା ହୋଇଛନ୍ତି ଗୋଟିଏ କିଶୋରର ଫୁଙ୍ଗୁଳା ଅବିର ବୋଳା ଶରୀରର କାନ୍ଧ ଉପରେ । ସଜ ସଜ ନାଲି ଫୁଲ ସମାହାରର ମାଳା ଗୁଡିକରେ ମା’ଙ୍କ ସମ୍ପୂର୍ଣ୍ଣ ମୂର୍ତ୍ତି ଯେପରି ବୁଡି ଯାଇଥାଏ । ଭିନ୍ନ ଭିନ୍ନ ଅବିର ଛିଟା ରଙ୍ଗରେ ମା’ ଆହୁରି ରଙ୍ଗୀନ ହୋଇପଡୁଥାନ୍ତି । ସେଇ ଅପଲକ ତୀବ୍ର ଓ ଶାନ୍ତ ନୟନ ଯୁଗଳ ଚାହିଁ ରହିଥାନ୍ତି ନଦୀର ପ୍ରଶସ୍ତ ଜଳରାଶିକୁ । ଓଠରେ ରାହସ୍ୟମୟୀ ସ୍ମିତ ହସ । କିଶୋରୀ କେଇଜଣ ଘଣ୍ଟ ଶବ୍ଦ , ଧୂପ ଓ ଝୁଣାର ମହକ ଆଉ ପୁଷ୍ପବୃଷ୍ଟି କରାଉଥାନ୍ତି ମା’ଙ୍କ ଯାତ୍ରା ଆଗମନ ରାସ୍ତାରେ ।

ମଦମତ୍ତ ହୋଇ କେତୋଟି କିଶୋର କିଶୋରୀ ବେଢଙ୍ଗର ନୃତ୍ୟରେ ମା’ଙ୍କ ବିଦାୟର ପର୍ବକୁ ଆନନ୍ଦର ପର୍ବରେ ରୂପାନ୍ତରିତ କରିବାରେ ଲାଗିପଡିଥାନ୍ତି ।କିଶୋର ଜଣକ ନଦୀର ସ୍ୱଚ୍ଛ ଅଜସ୍ର ବାଲିଗରଡା ଉପରେ ଶୀତଳ ନଦୀଜଳ ସିଞ୍ଚନ କରି ଶ୍ରଦ୍ଧାର ସହ ନଦୀମୁହାଁ କରି ସ୍ଥାପନ କଲା ମା’ଙ୍କ କୁନି ପ୍ରତିମୂର୍ତ୍ତି । ନଦୀ ଆନନ୍ଦରେ କୁରୁଳି ଉଠିଲା । ତା ଆନନ୍ଦର ଲହରୀ ଛୁଇଁଗଲା ମାଙ୍କ ପାଦପଦ୍ମ । ବାରମ୍ବାର ଓ ଅବିଶ୍ରାନ୍ତ ହୋଇ ।ନଦୀ ଦେଖୁଥିଲା ମା’ଙ୍କ ପ୍ରତିମୂର୍ତ୍ତି ପଛରେ ସେ ସଡକ ଉପର ଦେଇ ଏ ମୁହଁ ଅନ୍ଧାରକୁ ଚିରି ସହର ଭିତରକୁ ଚାଲିଯାଉଥିବା ସୁରକ୍ଷା ବାହିନୀଙ୍କ ଲୁହାର ଦୁର୍ଗାକବଚ । ଆଉ ତା ଭିତରେ ସୁରକ୍ଷାରେ ଓ ଶାନ୍ତିରେ ଶୋଇପଡିଥିବା ନବଜନ୍ମିତ କୁନି ଦୁର୍ଗା ।

✍️ହିମାଂଶୁ ଭୂଷଣ ସାହୁ

new life
You might also like
error: Content is protected !!