News
WhatsApp Image 2023-10-04 at 17.25.00
samparksetu

ମୁଁ ସ୍ଵାଧୀନତା ଦେଇଛି

ଦେଶ କୁ ସ୍ଵାଧୀନତା ମିଳିନଥାଏ। ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ର ଡାକରା ଦେଇଥାନ୍ତି। ପୁରା ଦେଶ ଚଳ ଚଞ୍ଚଳ ହୋଇଉଠି ଥାଏ। ସେହି ସମୟରେ ଆମ ଓଡ଼ିଶା ର ଗୋଟେ ଛୋଟ ଗାଁ ସରଧାପୁର ର ସତ୍ୟାନନ୍ଦ ମହାପାତ୍ର ଯିଏ କି ଶିକ୍ଷକତା ଛାଡ଼ି ଆନ୍ଦୋଳନ ରେ ଯୋଗ ଦେଇଥାନ୍ତି। ତାଙ୍କ ଘରେ ଆନ୍ଦୋଳନକାରୀ ମାନେ ଆଶ୍ରୟ ନିଅନ୍ତି । ସନ୍ଧ୍ୟା ସମୟ, ସବୁ ଆନ୍ଦୋଳନକାରୀ ବସି ଆଲୋଚନା କରୁଥିଲେ କେମିତି ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବେ। କେମିତି ସ୍ଵାଧୀନତା ମିଳିବ।

ସତ୍ୟାନନ୍ଦ ବାବୁ ଙ୍କ ଘରେ ତାଙ୍କ ବୁଢ଼ୀ ମା, ସ୍ତ୍ରୀ, ଆଉ ତାଙ୍କର ୨ ଝିଅ ସୀମା ଆଉ ସ୍ଵାତୀ । ସତ୍ୟାନନ୍ଦ ବାବୁ ସେଦିନ ତାଙ୍କ ସାଙ୍ଗରେ ଦୁଇ ଜାତୀୟ ସ୍ତରର କଂଗ୍ରେସ ନେତା, ପ୍ରଭାସ ବାବୁ ଆଉ ବିନୋଦ ବାବୁ ଙ୍କୁ ବି ସାଙ୍ଗରେ ନେଇ ଘରକୁ ଆସିଥାନ୍ତି। ସେମାନେ ପ୍ରାୟ ତାଙ୍କ ଘରକୁ ଆସନ୍ତି। ତାଙ୍କ ସ୍ତ୍ରୀ ଙ୍କୁ ଡାକି ସତ୍ୟାନନ୍ଦ ବାବୁ କହିଲେ, ଟିକେ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା କର। ବୁଢ଼ୀ ମା ସେଇଠି ବସି ଗୁଆ କାଟୁ ଥାଏ। ତାଙ୍କ ଛୁଆ ମାନେ ରୋଷେଇ କାମରେ ଲାଗିପଡିଲେ ବାପା ଙ୍କ କଥା ଶୁଣି। ବିନୋଦ ବାବୁ ସୀମା କୁ ଡାକି ପଚାରିଲେ, ମା ତୁ ପାଠ ପଢ଼ୁଛୁ ନା ନାହିଁ। ସୀମା କହିଲା ସମୟ ହଉନି ପଢ଼ିବାକୁ ଆଗରୁ ପଢ଼ୁଥିଲି। ସ୍ଵାତୀ ସେପଟେ ଥାଇ ଡାକିଲା ” ସୀମା ଆସିକି ଚାଉଳ ଗଡା, ସୀମା ଦଉଡ଼ି ପଳେଇଲା ଭଉଣୀ ଡାକ ଶୁଣି। ସତ୍ୟାନନ୍ଦ ବାବୁ ଙ୍କ ସ୍ତ୍ରୀ ବି କାହିଁକି କେଜାଣି ଦୁଃଖୀ ଦୁଃଖୀ ଲାଗୁଥିଲେ। ଚୁପଚାପ୍ ନିଜ କାମ କରୁଥାନ୍ତି। ବିନୋଦ ବାବୁ ଥିରି କି ପଚାରିଲେ ସତ୍ୟାନନ୍ଦ ବାବୁ ଙ୍କୁ, ଭାଉଜ ଙ୍କ ର ଶରୀର ଅସୁସ୍ଥ କି ଭାଇ। ସତ୍ୟ ବାବୁ କହିଲେ ନା ତ ଅସୁସ୍ଥ କଣ ପାଇଁ ହବ। ସେମାନେ ତ ଘରେ ଛାଇ ରେ ରହିଲେ, ଆମେ ସିନା ଏଠି ବାହାରେ ଖରା ତରା ରେ ବୁଲି ଦେଶ ସ୍ଵାଧୀନ କରିବାରେ ଲାଗିଛେ, ତାଙ୍କର କଣ କଷ୍ଟ ଯେ ଦେହ ଖରାପ ହବ। ତାଙ୍କ କଥା ଶୁଣି ବୁଢ଼ୀ ମୁହଁ ଛିଞ୍ଚାଡି କହିଲା, ହଁ ଆମର କି କଷ୍ଟ ଆମେ ତ ମଠ ରେ ଖାଇ ଖଟ ରେ ଶୋଉଚୁ। ସତ୍ୟ ବାବୁ କହିଲେ, ଆଲୋ ବୋଉ ଘରେ କାମ କରିବା ଆଉ ସ୍ଵାଧୀନତା ପାଇଁ ଲଢ଼ିବା କଣ ସମାନ। ବୁଢ଼ୀ କହିଲା ଖାଲି ପେଟରେ ଲଢ଼ୁନ ସ୍ଵାଧୀନତା ପାଇଁ। ଦେଖିବା କେମିତି ଲଢିବ। ସତ୍ୟ ବାବୁ ଚୁପ୍। ସେହି ସମୟ ରେ ପ୍ରଭାସ ବାବୁ କହିଲେ ମାଉସୀ ରାଗନ୍ତୁନି ଆମେ ସମସ୍ତେ ଲଢ଼ୁଛେ ସ୍ଵାଧୀନତା ପାଇଁ। ସମସ୍ତ ଙ୍କୁ ସ୍ଵାଧୀନତା ମିଳିବ। ସମସ୍ତେ ପରାଧିନତା ରୁ ମୁକ୍ତି ପାଇ ସୁଖ ସମୃଦ୍ଧି ରେ ବଞ୍ଚିବେ।
ବୁଢ଼ୀ ସେଠୁ ରାଗ ତମ ତମ ଠିଆ ହେଇ ପଡ଼ି କହିଲା, କଣ କହିଲୁ ସ୍ଵାଧୀନତା। ସ୍ଵାଧୀନତା ଖାଲି ତମ ଅଣ୍ଡିରା ମାନଙ୍କୁ ମିଳିବ, ଆମର କି ସ୍ଵାଧୀନତା। ଆମକୁ ତମେ ମାନେ ଯାହା କହିବ ଆମେ ସେଇଆ ହିଁ କରିବୁ, ଏଇଟା ଯୁଗେ ଯୁଗେ ଚାଲି ଆସିଛି ଆଉ ଚାଲିଥିବ। ମୋ ବୋପା ମତେ ଛୁଆରୁ ବାହା କରିଦେଲା ମୁଁ କିଛି ଜାଣିନି ସେତେବେଳେ ଏ ବାହାଘର କଣ, ଥରେ ଭାବିଲାନି ଏଡିକି ବକଟେ ଛୁଆ କଣ କେମିତି ଚଳିବ ଶାଶୁ ଘରେ। ଗୋଟେ ବୁଢ଼ା କୁ ମୋ ହାତ ରେ ଛନ୍ଦି ଦେଲା। ବୁଢ଼ା ଦିନ ରେ ବାହାରେ ଖଟିବ ଆଉ ରାତିରେ ମତେ ଖଟେଇବ। ଏଗାର ଛୁଆ ଜନ୍ମ କଲି ମୁଁ ସେଥିରୁ ମରି ହଜି ଛ ଟା ବଞ୍ଚିଲେ। ତାର ଆହୁରି ଜନ୍ମ କରିବାକୁ ମନ ଥିଲା, ହେଲେ କଣ ରୋଗ ବାଗ ରେ ମରିଗଲା। କହିଲା କଣ ନା ସ୍ଵାଧୀନତା। ଆରେ କେତେ ଗାନ୍ଧୀ ଦେଖିଚି ମୁଁ ତମ ଗାନ୍ଧୀ ଭଳିଆ ଏମାନେ ଆସିବେ ଯିବେ ହେଲେ ଆମକୁ ସ୍ଵାଧୀନତା ମିଳିବନି। ଆମେ ଏମିତି ଘର କଣ ରେ ପଡ଼ି ରହିବୁ। ଆଗ ବାପା ଇଚ୍ଛା ରେ କାମ କରିବୁ, ତା ପରେ ସ୍ବାମୀ ଇଚ୍ଛା ରେ ଆଉ ତା ପରେ ଛୁଆ ଙ୍କ ଇଚ୍ଛା ରେ ଶେଷରେ ଆଉ ଯଦି କିଛି ବାକି ଥିବ ତମ ସମାଜ ଇଚ୍ଛା ରେ ହବ।

ଏ ବୋହୂ କୁ ଆଣିଥିଲି ଭାବିଥିଲି ପାଠ ସାଠ ଦି ଅକ୍ଷର ପଢ଼ିଚି, ସେ ତା ଛୁଆ ଙ୍କ ସ୍ଵାଧୀନତା ପାଇଁ ଲଢିବ, ତାଙ୍କୁ ପଢେଇବ ଏ ସମାଜ ଇଚ୍ଛା ରେ ନ ଚାଲି କିଛି ପରିବର୍ତ୍ତନ ଆଣିବ। ହେଲେ ଇଏ ବି ତା ସ୍ବାମୀ ଇଚ୍ଛା ରେ ସବୁ କରୁଛି। ତା ବଡ ଝିଅ ପାଇଁ ପ୍ରସ୍ତାବ ଖୋଜା ହଉଚି। ତା ଜୀବନ ବି ନଷ୍ଟ କରିଦେବେ ଏମାନେ। କହିଲା କଣ ନା ସ୍ଵାଧୀନତା ପାଇଁ ଲଢ଼ୁଚୁ। ସତ୍ୟ ବାବୁ କହିଲେ ଆମେ ଆଉ କେତେ ତମ ମାନଙ୍କୁ ସ୍ଵାଧୀନତା ଦେଲେ ତମ ମନ ଶାନ୍ତି ହବ। ବୁଢ଼ୀ କହିଲା ଠିକ୍ କହିଲୁ ରେ ପୁଅ, ତମେ ଆମକୁ ସ୍ଵାଧୀନତା ଦବ। ଯେଉଁଦିନ ଯାଏଁ ତମେ କହୁଥିବ କି ତମେ ଆମକୁ ସ୍ଵାଧୀନତା ଦବ, ସେବେ ଯାଏଁ ଆମେ ପରାଧୀନ ରହିବୁ। ମୁଁ ଜାଣିଚି ସ୍ଵାଧୀନତା ମିଳିବ, ତମକୁ ଇଂରେଜ ଙ୍କ ଠୁ। ହେଲେ ଆମକୁ ମିଳିବାକୁ ଏବେ ସମୟ ଅଛି।

ସ୍ଵାଧୀନତା କୁ ୭୫ ବର୍ଷ ପୂରିବା ପରେ ବି ପୁରୁଷ ମାନେ କହୁଛନ୍ତି , ମୁଁ ମୋ ସ୍ତ୍ରୀ କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଇଛି।

ଅତୁଲ ତ୍ରିପାଠୀ

new life
You might also like
error: Content is protected !!