News
WhatsApp Image 2023-10-04 at 17.25.00
samparksetu

ସ୍ୱାଗତୋକ୍ତି ଅନୁରାଗ

ସବୁ ବୈଠକରେ ତୁମେହିଁ ପ୍ରବକ୍ତା
ତୁମେହିଁ ବିଦଗ୍ଧ ଶ୍ରୋତା
ସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟ
ମୁକୁଳିତ ପ୍ରାଣ ସତ୍ତା ll

ତୁମେହିଁ ଭକ୍ତିର କୋଟି ଫୁଲହାର
ମଧୁମୟ ନିବେଦନ
ଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳି
ଭାବମୟ ସମର୍ପଣ ll

ଶରଧା ବାଲିର ମହକ ମଞ୍ଜୁଳ
ଅସ୍ପଷ୍ଟ ସେ ପଦ ରେଣୁ
ଯିବା ଆସିବାର ପଥରେ ପାଥେୟ
ସରାଗେ ଶୁଭଇ ବେଣୁ ll

ତୁମ ବଡ଼ ଦାଣ୍ଡ ଅନେକ ସ୍ମୃତିର
ଅର୍ଥପୂର୍ଣ୍ଣ ଆତ୍ମଚୁକ୍ତି
ସେ ଧୂଳି ପରଶେ ହୃଦୟ ସରସେ
ଫୁଟି ଉଠେ ଅନୁରକ୍ତି ll

ତୁମ ସିଂହଦ୍ୱାରେ ତୁମେହିଁ ଠାକୁରେ
ପ୍ରହରା ଦେଉଛ ନିତି
ଅରୁଣ ସ୍ତମ୍ଭର ପାଖରେ ବିରାଜି
ଭକତେ ଡାକୁଛ କତି ll

ଡେଇଁ ସିଂହ ଦ୍ୱାର ବାଇଶି ପାବଛେ
ଥାପି ଦେଲାପରେ ପାଦ
ହୃଦୟରେ ଜାଗେ କୋଟିଏ ଯୁଗର
ସ୍ୱାଗତୋକ୍ତି ଅନୁରାଗ ll

ଅତିକ୍ରମି ଯେବେ ପାହାଚ ପାହାଚ
ମୁକ୍ତି ମଣ୍ଡପକୁ ଛୁଏଁ
ହୃଦୟ ବେଳାରେ ଶିହରଣ ଖେଳି
ରତ୍ନ ମଣ୍ଡପକୁ ଧାଏଁ ll

ଭିଡ଼ ଠେଲିଠେଲି ଲମ୍ବା ଧାଡ଼ି ପରେ
ଶ୍ୱାସ ମୋ ବହଇ ଖରେ
ଲାଗଇ ଯେମିତି ପ୍ରାଣପକ୍ଷୀ ମୋର
ଉଡ଼ିଯିବ ଏହି ଠାରେ ll

ଗରୁଡ଼ ଖୁମ୍ବର ପାଶେ ଛିଡ଼ାହୋଇ
ଦଣ୍ଡେ କରି ଆଲିଙ୍ଗନ
ଚାହିଁଛି ଅଧୀରେ ଗର୍ଭଗୃହ ଠାରେ
ପାଇବିକି ଦରଶନ ll

ହାତ ଟେକି ଦେଇ ଛାତିଏ କୋହରେ
ଅଦମ୍ୟ ପ୍ରଣତି ଢାଳି
ଦେଖିବି ତୁମର ଶ୍ୟାମଘନ ରୂପ
କଳାକାହ୍ନୁ ବନମାଳୀ ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!