News
WhatsApp Image 2023-10-04 at 17.25.00
samparksetu

ରଜ କୁଇନ

ପ୍ରତିଥର ଭୁବନେଶ୍ୱର ଯିବା ବେଳେ ବାଟରେ ସେ ଚାଳି ବରା ଦୋକାନରେ ଗାଡ଼ି ଅଟକେ । ସେଦିନ ବି ଆମ ଗାଡ଼ି ଅଟକିଥିଲା ସେଇଠି।ରଜ ସଜବାଜ ଥାଏ ସେଦିନ ।ରଜ ପାଳିବା କୁ ଆମେ ଭୁବନେଶ୍ୱର ଯାଉଥାଉ।ଚାଳି ଦୋକାନ ଟେ ହେଲେ କଣ ହେବ ତା ବରା ମଟର ତରକାରୀ ରେ ଥାଏ ଭିନ୍ନ ଏକ ବାସ୍ନା ଓ ସ୍ୱାଦ ଯାହା ସହରୀ ବରା ଠୁ ଏକଦମ ନିଆରା।ସାମ୍ନାରେ ଦୋକାନ ଓ ପଛପଟେ ଘର ।ଦୋକାନୀ କୁ ବୟସ ଅତି ବେଶୀ ରେ ୩୦ ରୁ ୩୫ ହେବ।ସେ ବରା ଆଲୁଚପ ଇତ୍ୟାଦି ତିଆରି କରେ ଓ ଜଣେ ବୃଦ୍ଧ ଦୋକାନ କୁ କିଏ ଆସିଲେ ତାକୁ ପତ୍ର ଠୋଲା ରେ ବରା ତରକାରୀ ଦିଅନ୍ତି।ଯିବା ଆସିବା ଭିତରେ ସେଠି ରହି ବରା ଖାଇବା ଯେମିତି ରୀତିମତ ଅଭ୍ୟାସ ହୋଇଯାଇଥିଲା।ତେଣୁ ଆମେ ଜାଣିପାରିଲଥିଲୁ ଯେ ସେ ଦୋକାନୀ ଙ୍କ ବାପା।

ସେଦିନ ମୁଁ ଆଗୁଆ ଖାଇଦେଇ ଟିକେ ବୁଲଚାଲ କରୁ କରୁ ଘର ପଛ ପଟକୁ ଚାଲିଗଲି।କୂଅ ଟେ ଅଛି ।ଅଳ୍ପ ବୟସର ସ୍ତ୍ରୀ ଲୋକ ଟିଏ କୂଅରୁ ପାଣି କାଢୁଥାଏ।ପାଖରେ
ଚାରି ପାଞ୍ଚବର୍ଷ ର ଗୁଲଗୁଲିଆ ଝିଅଟେ ଠିଆ ହୋଇ ମା କୁ ଦୋଳି ବାନ୍ଧି ଦେବା ପାଇଁ ଜିଦି କରୁଥାଏ।ମା ତାର କହୁଥିଲା ଦୋକାନ ରୁ ବାପା କାମ ସାରି ଆସିଲେ ତୋ ପାଇଁ
ଦୋଳି ଆଣିବାକୁ ଯିବେ। ମୁଁ ଜାଣିବାରେ ଆଉ ବାକି ନଥିଲା ଯେ ସେ ବରା ଦୋକାନୀ ର ସ୍ତ୍ରୀ ଓ ଝିଅ। ହେଲେ ଝିଅଟି ନଛୋଡ ବନ୍ଧା ।ଦୋଳି ଏବେ ବାନ୍ଧିଦେ।ଗାଁ ରେ ସମସ୍ତଙ୍କ ଘରେ ଦୋଳି , ସମସ୍ତେ ରଜ କୁଇନ ହେଇସାରିଲେଣି । ମୁଁ କେତେବେଳେ ରଜ କୁଇନ ପରି ଝୁଲିବି? ଏହି ସମୟରେ ମା ର ନଜର ମୋ ଉପରେ ପଡିଯିବାରୁ ଅଳ୍ପ ହସିଦେଲା।କହିଲା ଦେଖୁନାହାଁନ୍ତି କେମିତି ଜିଦି କରୁଛି ଦୋଳି ପାଇଁ।କାଲି ରଜ ହେଲେ ଇଏ ଆଜିଠୁ ଦୋଳି ଦୋଳି ବୋଲି ରଖେଇ ଦଉନି ।

ତା ବାପା କହୁଥିଲେ ସହର କୁ ଗଲେ ଗୋଟେ ଦୋଳି କିଣି ଆଣିବେ।ଦୋକାନ ରୁ ଫୁରୁସତ ହେଲେ ସେ ଯିବେ କିନ୍ତୁ ଇଏ ରଖେଇ ଦଉନି।ମୁଁ ବି ତା କଥା ଶୁଣି ହସିଦେଲି ।ସେ କୁନି ଝିଅଟିକୁ ଭୁଳେଇବା ପାଇଁ ମୁଁ ତାକୁ ପଚାରିଲି “ମାମା ରଜ ରେ ନୂଆ ଡ୍ରେସ ଆସିଛି ? ସେ ସାଙ୍ଗେ ସାଙ୍ଗେ ମୋ ପାଖକୁ ଆସି ଗୁଳୁଗୁଲିଆ ସ୍ୱରରେ କହିଲା ହଁ , ମୋ ମାମୁଁ ଗୋଟେ ଆଣିଛନ୍ତି , ବାପା ଆଜି ଗଲେ ଦୁଇଟା ଆଣିବେ , ନଖପାଲିଶ ,ଅଳତା ସବୁ ଆଣିବେ । ମୁଁ କାଲି ରଜ କୁଇନ ହେବି।ତମ ବାପା ତମ ପାଇଁ ଆଣିଦେଇଛନ୍ତି ?ମୁଁ ହସିଦେଇ ହଁ ମାରିଲି , ମନେ ପଡିଗଲା ମୋ ପିଲା ଦିନକଥା , ମୁଁ ବି ରଜ ରେ ଗାଁ କୁ ଯାଉଥିଲି , ଦୋଳି ରେ ବସିବି ଏମିତି ଜିଦି କରୁଥିଲି।ୟା ଭିତରେ ସମସ୍ତେ ଖାଇସାରି ଗାଡ଼ିରେ ବସିସାରିଥିଲେ , ଡେରି ହଉଛି ଆସ ବୋଲି ଡାକିବାରୁ ମୁଁ ସେ କୁନି ଝିଅ ଟିକୁ ଟା ଟା କରି ଗାଡ଼ିରେ ବସିଲି ।ଆମ ଗାଡ଼ି ତା ନଜରରୁ ଦୂର ହେବା ପର୍ଯ୍ୟନ୍ତ ସେ ହାତ ହଲେଇ ଟା ଟା କରିଚାଲିଥାଏ।ମୁଁ କିଛି ସମୟ ତାରି କଥା ଭାବି ଭାବି ଆସୁଥାଏ। ଗାଁ ପରିବେଶରେ ବଢ଼ିଲେ ମଧ୍ୟ ଭାରି ଚଞ୍ଚଳ , ଆଖି ଦୁଇଟି ରେ ଅପୂର୍ବ ଚମକ ଆଉ ସୁନ୍ଦର ଗୁଳୁଗୁଲିଆ କଥା, ଯେ କେହି ଦେଖିଲେ ଖୁସି ହୋଇଯିବ।ରଜ ସାରି ଆମେ ପାଞ୍ଚ ଛ ଦିନ ପରେ ଭୁବନେଶ୍ୱର ରୁ ଫେରୁଥିଲୁ। ଦିନ ଚାରିଟା ପାଖାପାଖି ଆମ ଗାଡି ପହଞ୍ଚିଲା ସେ ଦୋକାନ ଆଗରେ।ଟିକେ ଟିକେ ଭୋକ ଲାଗୁଥାଏ।ଇଛା ଥିଲା ଗୋଟେ ଦିଟା ବରା ଖାଇ ଚା ଟିକେ ପିଇବାକୁ ।ହେଲେ ଦୋକାନ ବନ୍ଦ ।

ରଜ ପାଇଁ କୁଆଡେ ବୁଲି ଯାଇଥିବେ ଭାବି ଗାଡ଼ି ଷ୍ଟାର୍ଟ କରି ଚାଲିଆସିଲୁ।ପାଖାପାଖି ମାସେ ପରେ ପୁଣି କିଛି କାମରେ ଭୁବନେଶ୍ୱର ଗଲାବେଳକୁ ପୁଣି ଦୋକାନ ବନ୍ଦ।କଥା କଣ , କଣ ପାଇଁ ଦୋକାନ ବନ୍ଦ , କିଛି ଠିକ ଲାଗୁନଥାଏ।ଫେରିଲା ବେଳକୁ ବି ଦେଖିଲୁ ସେମିତି ବନ୍ଦ ପଡିଛି ଦୋକାନ । ଦେଖିକି ଜାଣି ହଉଥାଏ ବହୁତ ଦିନ ହେଲାଣି ବନ୍ଦ ପଡିଛି ଦୋକାନ।ଟିକେ ଦୂରରେ ଥିବା ପାନ ଦୋକାନୀ କୁ ପଚାରିବାରୁ କହିଲା ରଜ ରେ ପରା ତା ଝିଅ ଦୋଳି ରୁ ପଡ଼ି ମୁଣ୍ଡ ପଛରୁ ମାଡ଼ ହୋଇଯାଇଛି ଯେ , ସେ ବର୍ତ୍ତମାନ କୋମା ରେ, ତାକୁ କଟକ ମେଡିକାଲ ନେଇ ମାସେ ହେଲାଣି ଯାଇଛି।ଶୁଣିକି ଭାରି ବ୍ୟସ୍ତ ଲାଗିଲା।ରାସ୍ତା ସାରା ତା କଥା ଭାବି ଭାବି ଆସିଲି।ସେଦିନ ଦୋଳି ପାଇଁ ତା ମା ସହ କେତେ ଜିଦି କରୁନଥିଲା ସେ ।ହସି ହସି ଟା ଟା କରୁଥାଏ ।ମୁଁହ ତାର ନାଚି ଯାଉଥାଏ ଆଖିଆଗରେ।କାହିଁକି ସେଦିନ ତା ସହ ଦେଖା ହଉଥିଲା କେଜାଣି ବୋଲି ଭାବୁଥାଏ।

ୟା ପରେ ଯେବେ ଯିବି ସେ ଭଲ ହେଇ ହସ୍ପିଟାଲରୁ ଫେରି ଆସିଥାଉ ବୋଲି ଠାକୁରଙ୍କୁ ଡାକୁଥାଏ। ଦଶହରା ଛୁଟି ହେଲା ।ପୁଣି ଭୁବନେଶ୍ୱର ଯିବା ପାଳି ଆସିଲା।ଘରୁ ବାହାରିବା ବେଳକୁ ମନରେ ଉତ୍କଣ୍ଠା , ସେ ଝିଅ ଭଲ ହେଇ ଆସିଥାଉ , ତା ସହ ଦେଖା ହଉ ।କିନ୍ତୁ ବିଧିର ବିଧାନ ଅଲଗା ।ଦୋକାନ ଆଗରେ ଗାଡି ପହଞ୍ଚିଲା ।ଗାଡିରୁ ଓଲ୍ହାଇ ଦୋକାନ କୁ ପଶିଲୁ , ହେଲେ ବାପା ମୁଂହରେ ନାହିଁ ସରସତା ।ଶୁଖିଲା ମୁଂହ ଦେଖି ପଚାରିଲି , ଝିଅ ଠିକ ହେଲା ତ।କଥା କହିନପାରି ମୁଣ୍ଡ ହଲେଇ ନା କରିଦେଲା।କିଛି ସମୟ ପରେ ଆଖି ପୋଛି କହିଲା , ସେଦିନ ପରା ମୁଁ ସନ୍ଧ୍ୟା ବେଳକୁ ସହରରୁ ଦୋଳି ନେଇକି ଆସିଲା ପର୍ଯ୍ୟନ୍ତ ଅପେକ୍ଷା ନକରି ମା ସହ ଜିଦି କରିଲା । ଟିଭିରୁ ସେ ରଜ କୁଇନ ପ୍ରୋଗ୍ରାମ ଦେଖି ରେ ଯେମିତି ସେ ଝିଅଟି ଝୁଲୁଚି ସେମିତି ଝୁଲିବ ବୋଲି ମା ସହ ଲଗେଇଲା। ମା ତାର ଲୁଗା ରେ ଦୋଳି ବାନ୍ଧି ଦେଇଥିଲା।ସେଥିରେ ଝୁଲୁ ଝୁଲୁ ପଛୁଆ ପଡିଗଲା , ମୁଣ୍ଡ ମାଡ଼ ହୋଇ କୋମାରେ ଚାଲିଗଲା।କଟକରେ ହସ୍ପିଟାଲରେ ଦୁଇମାସ ରଖିଲା ପରେ ବି ବଞ୍ଚେଇ ପାରିଲିନି ତାକୁ।ଆଖିରେ ଲୁହ ଆସିଗଲା, ବରା କଣ ଖାଇବି ଚାଲି ଆସିଲି ଗାଡ଼ି ଭିତରକୁ।

ପୁଣି ରଜ ପାଳିବାକୁ ସେଇ ସଜବାଜ ଦିନ ବାହାରିଲୁ ।ଅଭ୍ୟାସ ତ ଗୋଟେ ସେ ଦୋକାନରେ ରହିବା।ମୋର କିନ୍ତୁ ଇଚ୍ଛା ନଥାଏ ଗାଡିରୁ ଓଲ୍ହାଇବାକୁ ।ସ୍ୱାମୀଙ୍କୁ କହିଲି ତମେ ଯାଅ ଖାଇବ , ମୋର ଇଚ୍ଛା ନାହିଁ।।ବସିଲି ଗାଡ଼ିରେ।କିଛି ସମୟ ପରେ ଦୋକାନୀ ଗାଡି ପାଖକୁ ଆସି ନିଜେ ମୋତେ ଡାକିଲା ଆସନ୍ତୁ , ଭାବିଲି ଖାଇବା ପାଇଁ ଡାକୁଛି , ମନା କଲି ।ସେ କହିଲା ନାଇଁ ନାଇଁ , ନୂଆ ଗୋଟେ ରଜ କୁଇନ ଆସିଛି , ଦେଖିବେ ଆସନ୍ତୁ।ହଠାତ କିଛି ବୁଝିପାରି ନଥିଲି , ପୁଣି କହିଲା ଆଉ ଗୋଟେ ରଜ କୁଇନ ହେଇଚି ପରା , ଦେଖିବେନି କି ?

✍️ ସ୍ମିତା ମହାନ୍ତି ,ରାଉରକେଲା

new life
You might also like
error: Content is protected !!