News
WhatsApp Image 2023-10-04 at 17.25.00
samparksetu

ଖାଲଖମାଣ ରେ ଭର୍ତ୍ତି ବାଇପାସରୁ ଷ୍ଟେସନ ବଜାର ରାସ୍ତା

ଢେଙ୍କାନାଳ ସହରର ଅନ୍ୟ ଏକ ପ୍ରବେଶ ପଥ କୋରିଆଁ ବାଇପାସରୁ ଷ୍ଟେସନ ବଜାର ରାସ୍ତା ଅବହେଳିତ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ଖାଲଖମାଣ ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି । ମାତ୍ର ରାସ୍ତାର ସମ୍ପ୍ରସାରଣ ପାଇଁ ୪କୋଟି ଟଙ୍କା ପଡିରହିଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ । ପୁର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି ।

ସୂଚନା ଅନୁଯାୟୀ , କଲେଜ ବାଇପାସରୁ ବସ ଷ୍ଟାଣ୍ଡ ଏବଂ କୋରିଆଁ ବାଇପାସରୁ ଷ୍ଟେସନ ବଜାର ରାସ୍ତା ସଂକିର୍ଣ୍ଣ ହେବା ସହ ଅତି ବିପର୍ଯ୍ୟସ୍ତ ହୋଇ ପଡିଥିଲା । ସମ୍ପ୍ରସାରଣ ପାଇଁ ପୁର୍ତ୍ତ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା । କଲେଜ ବାଇପାସ-ବସଷ୍ଟାଣ୍ଡ ରାସ୍ତା ପ୍ରାୟ ୬ କୋଟି ଟଙ୍କା ଏବଂ କୋରିଆ ବାଇପାସରୁ ଷ୍ଟେସନ ବଜାର ରାସ୍ତା ପ୍ରାୟ ୪ କୋଟି ଟଙ୍କା, ମୋଟ ୧୦ କୋଟି ଟଙ୍କା ବ୍ୟୟରେ ସମ୍ପ୍ରସାରଣ କରିବାକୁ ବ୍ୟୟ ବରାଦ ହୋଇଥିଲା ।

ବର୍ଷେ ପୂର୍ବରୁ କଲେଜ ବାଇପାସରୁ ବସ ଷ୍ଟାଣ୍ଡ ରାସ୍ତା କାମ ଆରମ୍ଭ ହୋଇଥିଲା । ଜବରଦଖଲ ହଟା ଯାଇନଥିଲେ ମଧ୍ୟ ଗଛ କଟା ଯାଇ କାମ ଶେଷ ହୋଇ ସାରିଛି । ହେଲେ କୋରିଆଁରୁ ଷ୍ଟେସନ ବଜାର ରାସ୍ତାଟି ବିଭାଗୀୟ ଅବହେଳା କାରଣରୁ ପଡିରହିଛି । କଲେଜ ରାସ୍ତା କାମ ସରିବା ପରେ ଉକ୍ତ ରାସ୍ତାର କାମ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଉଥିଲା । ମାତ୍ର ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରୁନାହିଁ ।

ଫଳରେ କୋରିଆଁରୁ ଷ୍ଟେସନ ବଜାର ରାସ୍ତା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଷ୍ଟେସନ ବଜାର ଛକରୁ ରାସ୍ତା ଖରାପ ଆରମ୍ଭ ହୋଇଯାଇଛି । ଆଇନ ମହାବିଦ୍ୟାଳୟ ନିକଟରେ ରାସ୍ତା ବଡବଡ ଖାଲ ଖମାରେ ଭର୍ତ୍ତି ହୋଇଛି । ଡ୍ରେନ ପୋତି ହୋଇ ପଡିଥିବାରୁ ନର୍ଦ୍ଦମା ପାଣି ରାସ୍ତାରେ ଭାସୁଛି । ଖାଲରେ ଜମି ଅଧିକ ଦୁର୍ଘଟଣା ଘଟାଉଛି । ଉକ୍ତ ସ୍ଥାନରେ ନିୟମିତ ଛୋଟବଡ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହି ସ୍ଥାନ ନିକଟରେ ରାସ୍ତା କଡରେ ଅଳିଆ ଆବର୍ଜନା ପଡି ଅଧିକ ସମସ୍ୟା ବଢାଉଛି । ଏହିିପରି ମଝିରେ ମଝିରେ ଅନେକ ସ୍ଥାନରୁ ପିଚୁ ଉଠି ଖାଲଖମା ଭରି ରହିଛି । ସମ୍ପ୍ରସାରଣ କାମ ଆରମ୍ଭ ହେଉନଥିବା ବେଳେ ଖାଲଖମାର ମଧ୍ୟ ମରାମତି କରାଯାଉନାହିଁ । ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢୁଛି । ତୁରନ୍ତ ମରାମତି କରାଯିବା ସହ ଜବରଦଖଲ ହଟାଇ ରାସ୍ତା ସମ୍ପ୍ରସାରଣ କରିବାକୁ ଦାବି ହୋଇଛି ।

new life
You might also like
error: Content is protected !!