News
WhatsApp Image 2023-10-04 at 17.25.00
samparksetu

ପଶ୍ଚିମେଶ୍ଵର ମନ୍ଦିର ଠାରେ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ

ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସମର୍ପିତ ଢେଙ୍କାନାଳ ଐତିହ୍ୟ ପଦଯାତ୍ରା ଅନୁଷ୍ଠାନ ପକ୍ଷରୁ ଆଜି ତାର ଅଷ୍ଟମ ସଂସ୍କରଣରେ ଢେଙ୍କାନାଳର ପ୍ରାଚୀନ ଶୈବପୀଠ ପଶ୍ଚିମେଶ୍ଵର ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୮ଟା ସମୟରେ ଢେଙ୍କାନାଳ ସଦର ମହକୁମାଠାରୁ ୨୦ କି ମି ଦୂରରେ ଭାପୁର ନିକଟରେ ଅବସ୍ଥିତ ଏହି ମନ୍ଦିର ରେ ପଦଯାତ୍ରୀ ମାନେ ପହଞ୍ଚି ବା ପରେ ସେଠାରେ ସେବାୟତମାନେ ପଦଯାତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ ।

ପୂଜକ ମହେଶ୍ଵର ରଣା ପଶ୍ଚିମେଶ୍ଵର ମନ୍ଦିରର ଇତିହାସ ଓ ପରମ୍ପରା ସମ୍ପର୍କରେ ଅବଗତ କରାଇଥିଲେ । ଏଠାରେ ଠାକୁର ପଙ୍ଗୁ ଭକ୍ତଠାରୁ ଗୀତ ଗୋବିନ୍ଦ ଶୁଣିବା ଲୋଭରେ ମନ୍ଦିରକୁ ପଶ୍ଚିମ ଦିଗକୁ ବୁଲାଇ ଦେଇଥିଲେ । ସେବେଠାରୁ ଏହି ମନ୍ଦିରର ମୁହଁ ପଶ୍ଚିମ ଦିଗକୁ ହୋଇଛି ବୋଲି କିମ୍ବଦନ୍ତୀ ରହିଛି । ଇତିହାସ କହେ ଏଠାରେ ପୂର୍ବରୁ ଏକ କ୍ଷୁଦ୍ର ମନ୍ଦିରରେ ଶିବ ପୂଜା ପାଉଥିଲେ । ଢେଙ୍କାନାଳର ପୂର୍ବତନ ନରପତି ଦୀନବନ୍ଧୁ ମହିନ୍ଦ୍ର ବାହାଦୁର(୧୮୭୭-୮୫)ଙ୍କ ସମୟରେ ବର୍ତ୍ତମାନର ମନ୍ଦିରଟି ନିର୍ମାଣ କରା ଯାଇଥିଲା । ପ୍ରାୟ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି କଳିଙ୍ଗ ଶୈଳୀରେ ନିର୍ମିତ ପୀଢ ଦେଉଳ ,ଯାହାର ମୁଖଶାଳାଟି ବୋଇତାଳ ଶୈଳୀରେ ନିର୍ମିତ ।ମାତ୍ର ପଶ୍ଚିମେଶ୍ଵର ମନ୍ଦିର ର ପ୍ରମୁଖ ଆକର୍ଷଣ ହେଉଛି ଏହାର ପଛ ପାଖରେ ଥିବା ଅଷ୍ଟମ ଶତାବ୍ଦୀର ଶୁଳ୍କୀ ଶାସନ ସମୟରେ ନିର୍ମିତ ଦୁଇଟି କ୍ଷୁଦ୍ର ମନ୍ଦିର । ସିଦ୍ଧେଶ୍ଵର ଏବଂ ସିଦ୍ଧ ମହେଶ୍ଵର ମନ୍ଦିର ଭାବରେ ପରିଚିତ ଏହି ମନ୍ଦିର ଦୁଇଟି ଏବେ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ସଂରକ୍ଷିତ । ସୁନ୍ଦର କାରୁକାର୍ଯ୍ୟ ଖଚିତ ସିଦ୍ଧେଶ୍ଵର ମନ୍ଦିରରେ ନବଗ୍ରହ ବଦଳରେ ଅଷ୍ଟଗ୍ରହ ରହିଥିବାର ଦେଖିବାକୁ ମିଳେ l

ଏହି ପରିସରରେ ଥିବା ସହସ୍ରଲିଙ୍ଗଟି ଅନ୍ୟତମ ଆକର୍ଷଣ । ପଶ୍ଚିମେଶ୍ଵର ମନ୍ଦିର ମଧ୍ୟଓଡ଼ିଶାର ଶୈବ ଉପାସନାର ଏକ ପ୍ରମୁଖ ପ୍ରାଚୀନ କୀର୍ତ୍ତି ଭାବରେ ପରିଚିତ ।

ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ଇତିହାସ ପ୍ରାଧ୍ୟାପକ ଡ.ମଳୟ ପତି, ଶିକ୍ଷାବିତ୍ ବିପିନ ପାଣି, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ, ସୁନୀତା ମହାପାତ୍ର,ପ୍ରଶାନ୍ତ ତ୍ରିପାଠୀ, ବଦ୍ରିନାଥ ଯେନା,ରମେଶ ପତି,ନାରାୟଣ ପଟ୍ଟନାୟକ, ଦେବପ୍ରୀତ ପତି,ପ୍ରଶାନ୍ତ ଜେନା,ଦେବାଶିଷ ସେନାପତି, ବିଶ୍ଵଜିତ ଶତପଥୀ , ଜନ୍ମେଜୟ ରାଉତ ଓ ମନ୍ଦିରର ବହୁ ସେବାୟତ ଆଜିର ଏହି ଐତିହ୍ୟ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

new life
You might also like
error: Content is protected !!