News
WhatsApp Image 2023-10-04 at 17.25.00
samparksetu

ଫେବୃଆରୀ ୨୨ ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ ଜିଲ୍ଳାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆସନ୍ତା ଫେବୃଆରୀ ୨୨ ଓ ୨୩ ଦୁଇ ଦିନ ଧରି ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ମାଘମେଳା ପାଇଁ ସଂପୃକ୍ତ ଅଞ୍ଚଳକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିବା ପାଇଁ ଯୋରନ୍ଦା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଗ୍ନିକାଣ୍ଡର ସୁରକ୍ଷା ଦୃଷ୍ଟିରୁ ସ୍କୁଲ ମାନଙ୍କରେ ଜରିପାଲ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଶେଷ ଭାବରେ ମହିଳା
ମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଯୋରନ୍ଦା ଗାଦିକୁ ଯିବା ନିମନ୍ତେ ଗାଡି ଭଡା ଧାର୍ଯ୍ୟ କରି ଗାଡିରେ ପ୍ରାଞ୍ଜଳଭାବରେ ଭଡା ଉଲ୍ଲେଖ କରିବାକୁ ସେ କହିଛନ୍ତି । ସଲଗ୍ନ ଅଞ୍ଚଳର ସମସ୍ତ କୂଅ,ପୋଖରୀକୁ ବିଶୋଧନ କରିବା ସହିତ ରାସ୍ତାଘାଟରେ ବ୍ଲିଚିଂ ପକାଇ ପରିବେଶକୁ ସ୍ୱାସ୍ଥ୍ୟକର ରଖିବାକୁ କହିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ଏହି ମାଘ ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ ସେସମସ୍ତଙ୍କର ସହଯୋଗ ଲୋଡିଛନ୍ତି । ମେଳାର ଆୟୋଜନରେ ପୋଲିସ ପ୍ରଶାସନ ତରଫରୁ ପୂର୍ଣ୍ଣ ସହଯୋଗ କରାଯିବ । ଅଗ୍ନିକାଣ୍ଡ ଆଶଙ୍କାକୁ ଦୃଷ୍ଟିରେ ରଖି ମେଳାରେ ଷ୍ଟଲ ଗୁଡିକର ଅଧିକ ବ୍ୟବସ୍ଥିତ କରିବାକୁ କହିଥିଲେ । ମଦ୍ୟପ ମାନଙ୍କ ଉପରେ ନଜର ରଖାଯାଇ ଶାନ୍ତି ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ । ଗାଡି ପାର୍କିଂକୁ ଅଧିକ ବ୍ୟବସ୍ଥିତ କରାଯିବ ବୋଲି ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।

ମେଳାରେ ଆନୁସଙ୍ଗୀକ ବ୍ୟବସ୍ଥାର ତଦାରଖ କରିବା ପାଇଁ ଏକ ପରିଚାଳନା କମିଟି ଗଠନ କରାଯିବ । ମେଳାର ସୁ ଆୟୋଜନ ନିମନ୍ତେ ବ୍ୟବସ୍ଥିତ ଗାଡି ପାର୍କିଂ,ପାର୍କିଂ ଫି ଧାର୍ଯ୍ୟ,ଆଲୋକୀକରଣ
ବ୍ୟବସ୍ଥା,ଅଗ୍ନିନିର୍ବାପକ ବ୍ୟବସ୍ଥା,ମାଦକ ଦ୍ରବ୍ୟ ନିଷେଧ ,ନଳକୂଅ,ପୋଖରୀ ବିଶୋଧନ,ସିସି କ୍ୟାମେରା ବ୍ୟବସ୍ଥା,ପାନୀୟଜଳ ଯୋଗାଣ,ଖାଉଟି ସାମଗ୍ରୀ ଓ ଜାଳେଣୀ କାଠ ଯୋଗାଣ,ନିୟନ୍ତ୍ରଣ କକ୍ଷ ସ୍ଥାପନ,ସୁରକ୍ଷିତ ଏବଂ ନିରବଛିନ୍ନ ବିଦ୍ୟୁତ ଯୋଗାଣ,ମେଳାରେ ଖାଦ୍ୟପଦାର୍ଥ ଯାଞ୍ଚ ,ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର,ମେଳାରେ ପ୍ରଚାର ପ୍ରସାର, ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ବୈଠକରେ ସଦର ଉପଜିଲ୍ଲାପାଳ ସପନ କୁମାରନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବା ରଘୁନାଥ,ବାବା ସୁଶାନ୍ତ ଦାଶ,ସୁବ୍ରତ ବାବା,ବିଶ୍ୱାନନ୍ଦ ବାବା,ମହିମା ଜ୍ୟୋତି ସଂଯୋଜକ ପ୍ରଦ୍ୟୁମ୍ନ ରଥ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲିପ କୁମାର ବିଶ୍ୱାଳ,ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନ,ଯୋରନ୍ଦା ସରପ ଆରତୀ ରାଉତଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

new life
You might also like
error: Content is protected !!