News
WhatsApp Image 2023-10-04 at 17.25.00
samparksetu

ସମସ୍ୟା ଘେରରେ ହିନ୍ଦୋଳ ଆଦର୍ଶ ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଓ ଏନ୍ ଏ ସି ଅନ୍ତର୍ଗତ ରାଜମୋହନପୁର ଠାରେ ସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାନା ପ୍ରକାର ମୌଳିକ ସମସ୍ୟା ଲାଗିରହିଛି। ଏଥି ଯୋଗୁଁ ଶିକ୍ଷା ଦାନ ବାଧା ପ୍ରାପ୍ତ ହେଉ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।  ୨୦୧୯ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାନୁଷ୍ଠାନ ଟି ତହସିଲ ଅନ୍ତର୍ଗତ ରାଜମୋହନପୁର ମୌଜାରେ ସ୍ଥାପନ କରା ଯାଇଛି। କେନ୍ଦ୍ରୀୟ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟରତ ଏହି ଇଂରାଜୀ ମାଧ୍ୟମ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଅଛି। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୪୦୦ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଲାଭ କରିବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ଅଧୁନା ୩୮୫ ଜଣ ଛାତ୍ର ଛାତ୍ରୀ ପାଠ ପଢୁ ଛନ୍ତି। ଚଳିତ ବର୍ଷ ଏକାଦଶ ଶ୍ରେଣୀ ( ବିଜ୍ଞାନ ବିଭାଗ) ଖୋଲା ଯାଇ ନାମ ଲେଖା ପରେ ପାଠ ପଢା ଆରମ୍ଭ ହୋଇଛି ଶତ ଆବଶ୍ୟକ ଅଧ୍ୟାପକ ଅଧ୍ୟାପିକା ଅଭାବ ସାଙ୍ଗକୁ ଏହାର ସୁଦୂର ପ୍ରଚାର ପ୍ରସାର ଅଭାବକୁ ନେଇ ଆଶାତୀତ ଛାତ୍ର ଛାତ୍ରୀ ନାମ ଲେଖାଇ ନାହାନ୍ତି ।

ଫଳରେ ଏଠାରେ ଯୁକ୍ତୁ ଦୁଇ ଶିକ୍ଷାଦାନ ଆରମ୍ଭରୁ ଆଣ୍ଠେଇ ଥିବା ମନେ ହେଉଛି। ପୂର୍ବ ସରକାରଙ୍କ ସମୟରେ ବିଦ୍ୟାଳୟର ପରିସରରେ ଛାତ୍ରା ବାସ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଦିଆଯାଇ ଉଭୟ ଛାତ୍ର ଛାତ୍ରୀଙ୍କ ପାଇଁ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହେଉ ନଥିବାରୁ ବ୍ଲକର ବହୁ ଦୂର ଦୁରାନ୍ତରୁ ଛାତ୍ର ଛାତ୍ରୀ ମାନେ ଅଯଥା ଖର୍ଚ୍ଚାନ୍ତ ହୋଇ ପ୍ରତିଦିନ ବସ ଭଡ଼ା ଦେଇ କଷ୍ଟରେ ସ୍କୁଲକୁ ଆସୁଛନ୍ତି। ସ୍କୁଲରେ ବାହ୍ୟ ଖେଳ ପଡିଆ ନଥିବାରୁ ପିଲା ମାନେ ଶ୍ରେଣୀ କକ୍ଷ ଗୋଡ଼ିକ ମଧ୍ୟରେ ଥିବା ଲନ୍ ରେ ଖେଳୁ ଛନ୍ତି। ଏଥିଯୋଗୁଁ ବିଭିନ୍ନ କ୍ରୀଡା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କର ବିକାଶ ହୋଇ ପାରୁ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନ ହୋଇ ବି ଏଠାରେ ଅନ୍ୟାନ୍ୟ ବିଦ୍ୟାଳୟ ଭଳି ଆରମ୍ଭରୁ ଏନ୍ ସି ସି, ସ୍କାଉଟ ଓ ଗାଇଡ ଭଳି ବିଭାଗ ଖୁଲୁ ନଥିବାରୁ ବହୁ ପ୍ରତିଭା ଛାତ୍ର ଛାତ୍ରୀ ଏଥିରୁ ବଞ୍ଚିତ ରହିଛନ୍ତି। ବିଦ୍ୟୁତ୍ ସେବା ଯୋଗାଣ ପାଇଁ ବିଦ୍ୟାଳୟ ପରିସରରେ ଏକ ଟ୍ରାନସଫର୍ମର ସ୍ଥାପିତ ହୋଇ ଥିଲେ ହେଁ ଏହା କାର୍ଯ୍ୟକ୍ଷମ ହେଉ ନଥିବାରୁ ନିକଟରେ ଥିବା ଆର ଡି କାର୍ଯ୍ୟାଳୟରୁ ସୀଙ୍ଗିଲ ଫେଜ୍ ଲାଇନ୍ ଅଣା ଯାଇ ଜେନ ତେନ୍ କାମ ଚଲି ଯାଉଛି। ଆବଶ୍ୟକ କରେଣ୍ଟ ଅଭାବରୁ ୪୦ ଗୋଟି କମ୍ପ୍ୟୁଟର ଗତ ବର୍ଷ ଠାରୁ ଖତ ଖାଉଛି। ଏଥି ପାଇଁ ନାହାନ୍ତି ସ୍ଵତନ୍ତ୍ର କମ୍ପ୍ୟୁଟର ଶିକ୍ଷକ କି ବିଜ୍ଞାନ ବିଭାଗ ଲ୍ୟାବ ପାଇଁ ନାହାନ୍ତି ସ୍ଵତନ୍ତ୍ର ପରୀକ୍ଷକ। ସ୍କୁଲରେ ମୋଟ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୪/୫ ଜଣ ନିୟମିତ ଶିକ୍ଷକ ଶିକ୍ଷୟତ୍ରୀ ଓ ୩/୪ ଜଣ ଠିକା ଶିକ୍ଷକ ଶିକ୍ଷୟତ୍ରୀ। ଯେଉଁ ମାନେ କି ଏକ ବର୍ଷିୟା ଚୁକ୍ତିରେ ଏଠାରେ ନିଯୁକ୍ତି ପାଉ ଛନ୍ତି। ବିଦ୍ୟାଳୟରେ ଆହୁରି ଜଣେ ଦୁଇ ଜଣ ଏସ ଏସ ଟି, ହିନ୍ଦୀ, ସଂସ୍କୃତ, ସାହିତ୍ୟ, କଳା ଓ ସଙ୍ଗୀତ ବିଭାଗର ଶିକ୍ଷକ ଆବଶ୍ୟକତା ଥିବା ବେଳେ ତାହା ପୂରଣ ହୋଇ ପାରି ନଥିବାରୁ ଶିକ୍ଷାଦାନ ବାଧା ପ୍ରାପ୍ତ ହେଉଛି। ନିୟମିତ ପି ଟି ଏ ବୈଠକ ବସିବା, ଶିକ୍ଷା ପରିଚାଳନା କମିଟି ଗଠନ ଉପରେ ଗୁରୁତ୍ଵ ଦେଇ ଛନ୍ତି ବହୁ ଅଭିଭାବକ। ଇଂରାଜୀ ମାଧ୍ୟମରେ ଉନ୍ନତ ଶିକ୍ଷାଦାନ ଲକ୍ଷ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଛି। ହେଲେ ଏହା ଭିତରେ ୫ ବର୍ଷ ବିତି ଯାଇଥିଲେ ବି ଏଠାରେ ଆଶାନୁରୂପ ପାଠ ପଢା ହୋଇ ପାରୁ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ସରକାର ଏଥିପ୍ରତି ଗମ୍ଭୀରତାର ସହ ବିଚାର କରିବାକୁ ଦୃଢ଼ ଦାବି ହେଉଛି।

new life
You might also like
error: Content is protected !!