News
WhatsApp Image 2023-10-04 at 17.25.00
samparksetu

ହାପି ବାର୍ଥଡେ…

ଟ୍ୟାକ୍ସି ଷ୍ଟାଣ୍ଡରେ ଯାତ୍ରୀ ଅପେକ୍ଷାରେ ଥାଏ ରାଜୁ । ବୈଶାଖର ଧୂଧୂ ଖରାରେ ଅବସ୍ଥା ବି ବେହାଲ । ଦିନକୁ ଦିନ କ୍ୟାବ ସେବା ଆରମ୍ଭ ହେବାରୁ ଟ୍ୟାକ୍ସିର ବେପାର ପୂର୍ବ ଅପେକ୍ଷା କମିଯାଇଛି । ଖରା ଯାଇ ସଞ୍ଜ ହେଲାଣି କିନ୍ତୁ ଗୋଟିଏ ବି ଯାତ୍ରୀଙ୍କ ଦେଖାନଥିଲା । ଆଜି ରାଜୁର ସାନ ଝିଅର ଜନ୍ମଦିନ । ରାଜୁ ଭାବିଥିଲା ଯେତେ ରୋଜଗାର ହେବ ସେଇ ଟଙ୍କାରେ ଝିଅ ପାଇଁ କଣ୍ଢେଇ , ଖେଳଣା ,ଫ୍ରକ ଆଉ ମିଠା ନେବ । କିନ୍ତୁ ଆଜି ଦିନଟି ଖରାପ ଥିଲା । ବେପାର ନହେବାରୁ ଭାଗ୍ୟକୁ ଦୋଷ ଦେଉଥିଲା ରାଜୁ । ଠିକ ଏହି ସମୟରେ ପଛରୁ ଶୁଭିଲା ଗୋଟିଏ ସ୍ବର ।
ଭାଇ ଯିବ ?

ହଁ ହଁ ନିଶ୍ଚୟ ।
ରାଜୁ ବହୁତ ଖୁସି ହୋଇଗଲା । ବିଳମ୍ବରେ ହେଉ ପଛେ ଦି ପଇସା ତ ମିଳିବ ।

ସାର୍ ବସନ୍ତୁ । କେଉଁଠିକି ଯିବେ ?
ମାର୍କେଟ ଯିବାର ଅଛି । କିଛି ସପିଂ କରିବି । ତାପରେ ମତେ ଘରେ ଛାଡିଦେବ । ଖଣ୍ଡଗିରି ଛକ ପାଖରେ ହିଁ ମୋ ଘର ।
ଏତିକି କହିଲା ବେଳକୁ ଗାଡି ଗଡିସାରିଥାଏ ।
ସାର ଏସି ଚଲେଇବି କି ?
ନା ନା ଥାଉ । ବାହାର ପବନ ଭଲ ଲାଗୁଛି ।
ଆଛା ଭାଇ ତମ ନା କଣ ?

ମୁଁ ରାଜୁ ।
ବଢିଆ ନା ତ , ରାଜୁ ଜେଣ୍ଟଲମ୍ୟାନ । ହା ହା
ଅରେ ମୋ ନା ତ ପଚାରୁନ ।
ସାର ଆପଣଙ୍କ ନା କଣ ?
ମୋ ନା ମୃତ୍ୟଞ୍ଜୟ ।
ବଢିଆ ନା ଟି ।

ଏତିକି ବେଳେ ରାଜୁର ମୋବାଇଲ ରିଂ ହେଲା । ଆଉ ସେପଟୁ ଝିଅର ସ୍ବର ।
ବାପା କେତେବେଳେ ଆସିବ । ଆଜି କଣ ମନେ ଅଛିତ ।
ହଁ ହଁ ମନେ ଅଛି । ତୁ ଫୋନ ରଖ । ମୁଁ ଗାଡି ଚଲାଉଛି ।
ଲାଉଡ ସ୍ପିକର ଅନ ଥିବାରୁ ମୃତ୍ୟଞ୍ଜୟ ସବୁ କଥା ଶୁଣିପାରିଥିଲେ ।
ଆଜି କଣ କି ?
ଆଜି ମୋ ସାନ ଝିଅର ଜନ୍ମଦିନ । କହିଥିଲା ଶୀଘ୍ର ଆସିବାକୁ । ଦିନ ବେଳା ବେପାର ହୋଇଥିଲେ ପଳେଇଥାନ୍ତି ।

ଏତିକି କଥା ହେଉ ହେଉ ମାର୍କେଟ ପାଖରେ ପହଞ୍ଚି ଯାଇଥିଲେ ।

ବାସ ବାସ ଏଇଠି ରଖ । ମୁଁ ସପିଂ କରିକି ଆସୁଛି । ଏତିକି କହି କାର ଡୋର ବନ୍ଦ କରି ମୃତ୍ୟଞ୍ଜୟ ମାର୍କେଟ ଆଡକୁ ଚାଲିଗଲେ । ସମୟ ଗଡି ଚାଲୁଥାଏ । ରାଜୁ ବାରମ୍ବାର ଘଣ୍ଟାକୁ ଦେଖୁଥାଏ । ଦେଖୁ ଦେଖୁ ୯ ବାଜିସାରିଥାଏ ।

 କି ଅଜବ ଲୋକ କେଜାଣି । ଏଇ ରାତି ବେଳାରେ ଏହାକୁ ସପିଂ କରିବାର ଅଛି । ଝିଅ ପାଇଁ କଣ ଦିଟା କିଣିଥାନ୍ତି ଯେ ଏହି ଲୋକ ସବୁ ବେକାର କରିଦେଲା । 

ଏତିକି ଭାବିଲା ବେଳକୁ ମୃତ୍ୟଞ୍ଜୟ ହାଜର ।
ଭାଇ ଚାଲ ଯିବା
ପୁଣି ଆଗକୁ ଗଡିଲା ଗାଡି ।
ଭାଇ ଭଲ ମିଠା ଦୋକାନ ଦେଖିଲେ ଗାଡି ରଖିବ ।
ରାଗରେ କଡମଡ ହେଉଥାଏ ରାଜୁ । କିନ୍ତୁ କଣ ବା କରିବ ଗ୍ରାହକ ହିଁ ଭଗବାନ ଭାବି ସବୁ ସହିଯାଉଥାଏ ।
ସାର ଏହି ମିଠା ଦୋକାନ ଭାରି ଫେମସ ।
୨୦୦ ଟଙ୍କା ନିଅ , ଛେନା ପୋଡ ନେଇ ଆସିବ ।
ଦୋକାନରୁ ଛେନା ପୋଡ କିଣିଲା ବେଳେ ରାଜୁ ମନେ ମନେ ଭାବୁଥିଲା କିଛି ଟଙ୍କା ଥିଲେ ଝିଅ ପାଇଁ ବି କିଣିଥାନ୍ତା । କାରଣ ସାନ ଝିଅକୁ ଛେନା ପୋଡ ଭାରି ପସନ୍ଦ । ପକେଟ ଅଣ୍ଡାଳିଲାବେଳକୁ ୧୦ ଟଙ୍କିଆ କଏନ ବାହାରିଲା ।

ଏହି ୧୦ ଟଙ୍କାରେ ବି ଅଲଗା ଜରିରେ ଛେନା ପୋଡ ଦେଇଦେବ । ଏତିକି ଧରି ଫେରିଆସେ ରାଜୁ ।
ପୁଣି ଆଗକୁ ଚାଲୁଥାଏ ଗାଡି ।
ସାର , ଏହି ରାସ୍ତାରେ ଯିବା ବାଟରେ ମୋ ଘର ପଡିବ । ଆପଣ ଯଦି ରାଜି ହୁଅନ୍ତି ତାହାଲେ ୨ ମିନିଟରେ ଘରୁ ଆସିଯାନ୍ତି ।
କଣ ଏମିତି ହଠାତ ?
ସାର , ଆଜି ଝିଅର ଜନ୍ମଦିନ ତ , କଣ ଦିଟା କିଣିଥିଲି ଦେଇଆସେ ।

ହଁ ହଁ ନିଶ୍ଚୟ ।
କିଛି ବାଟ ଗଲା ପରେ ରାଜୁ ଗାଡି ରଖିଲା ।
ସାର, ବସିଥାନ୍ତୁ ମୁଁ ଗଲି ଆଉ ଆସିଲି ।
ଶୀଘ୍ର ଆସିବ
୨ ମିନିଟରେ ଆସୁଛି

ହାତରେ ଛେନା ପୋଡ ଜରି ଧରି ଘରକୁ ଗଲା ରାଜୁ । କବାଟ ଠକ୍ ଠକ୍ କଲା । ଆଉ ସେପଟେ ଝିଅ ।
ବାପା ଆସିଗଲେ , ବାପା ଆସିଗଲେ । ଖୁସିରେ ନାଚୁଥାଏ ଝିଅ ।
ଏଇଟା ତୋ ପାଇଁ । ଛେନା ପୋଡ । ଜନ୍ମଦିନ ର ଶୁଭେଛା । ଏମିତି ସବୁବେଳେ ହସୁଥା । ହଉ ମୁଁ ଯାଉଛି ।
ଆରେ ଭାତ ହୋଇସାରିଛି ଖାଇଦେଇକି ଯାଅ ।
ରୋଷେଇ ଘରୁ ଶୁଭିଲା ଘରଣୀର ସ୍ବର ।
ଆରେ ଗାଡିରେ ପାସେଞ୍ଜର ବସିଛନ୍ତି । ଛାଡି କି ଆସେ ।
ଏତିକି କହି ଗାଡି ପାଖକୁ ଆସୁଥାଏ ରାଜୁ । କିନ୍ତୁ ୟେ କଣ ,
ମୃତ୍ୟଞ୍ଜୟ ବାବୁ କୁଆଡେ ଗଲେ । ଚିନ୍ତାରେ ପଡିଯାଇଥିଲା ରାଜୁ । ବାବୁ ଜଣକ ରାଗିକି ପଳେଇ ନାହାନ୍ତି ତ ? ଯାହା ଭଡା ମିଳିଥାନ୍ତା ତାହା ବି ଗଲା ।

ନିଜ ଉପରେ ବିରକ୍ତ ହେଉଥିଲା ରାଜୁ । ଘରକୁ ନ ଯାଇଥିଲେ କଣ ହୋଇନଥାନ୍ତା । ଏତିକି ଭାବୁ ଭାବୁ ଗାଡିକୁ ଘର ସାମ୍ନାରେ ରଖୁଥାଏ ରାଜୁ । ହଠାତ ପଛ ସିଟ ଉପରେ ନଜର ଗଲା । କିଛି ପ୍ୟାକେଟ ଥିଲା । ଆଉ ଛେନା ପୋଡ ପ୍ୟାକେଟ । ରାଜୁ ଭାବିଲା ବାବୁ ଜଣଙ୍କ ଭୂଲରେ ତାଙ୍କ ଜିନିଷ ଛାଡିକି ପଳେଇଛନ୍ତି । ସେଥିପାଇଁ ଗାଡି ରଖିକି ସେ ପ୍ୟାକେଟ ସବୁ ଧରି ଘରକୁ ଚାଲିଲା ।
ବାପାଙ୍କୁ ପୁଣି ଥରେ ଦେଖି ଖୁସି ହୋଇଗଲା ଝିଅ । ବାପାଙ୍କୁ ଧରୁ ଧରୁ ସବୁ ପ୍ୟାକେଟ ତଳେ ପଡିଗଲା । ପ୍ୟାକେଟ ରେ ଥିଲା ସୁନ୍ଦର ଖେଳଣାଟି । ଆଉ ଗୋଲାପୀ ରଙ୍ଗର ଫ୍ରକ । ରାଜୁ କିଛି କହିବା ପୂର୍ବରୁ ଝିଅ ଫ୍ରକ ପିନ୍ଧିସାରିଥାଏ ।
ବାପା ଦେଖିଲ ଦେଖିଲ ମୁଁ କେମିତି ଦେଖାଯାଉଛି ।
ତୁ ତ ଆମର ପରୀ ଟିଏ

କିଛି ଦିନ ପୂର୍ବରୁ ଝିଅ ଯେମିତି ଖେଳଣା କହୁଥିଲା ୟେ ତ ଠିକ ସେହିଭଳି ।
ହଠାତ ପ୍ରବଳ ଜୋରର ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହୋଇସାରିଥିଲା । ରାଜୁ କବାଟ ବନ୍ଦ କରିବାକୁ ଯାଉଥିଲା ଆଉ ରାସ୍ତା ଉପରେ ନଜର ପଡିଲା । ମୃତ୍ୟଞ୍ଜୟ ଛିଡା ହୋଇଥିଲେ ।
ସାର ଆପଣଙ୍କ ପ୍ୟାକେଟ …

ସେଇଟା ଝିଅର ଗିଫ୍ଟ ।
ଏତିକି କହି ହଠାତ ଉଭାନ ହୋଇଗଲେ ମୃତ୍ୟଞ୍ଜୟ । ଏତେ ସବୁ ବୁଝିପାରୁନଥିଲା ରାଜୁ । କିନ୍ତୁ ଗୋଲାପୀ ଫ୍ରକ ପିନ୍ଧି ଖେଳଣା ସହ ଖେଳୁଥାଏ ଝିଅ ।
ବାସ ଏତିକି ଏହି କାହାଣୀ।

new life
You might also like
error: Content is protected !!