ସେଦିନ ଘରକୁ ବାଇକ୍ ରେ ଫେରିଲା ବେଳକୁ ରାତି ୧୧ ଟା ପାଖାପାଖି । ଅବଶ୍ୟ ସାଙ୍ଗରେ ବନ୍ଧୁ ଜଣେ ଥାଆନ୍ତି । ଝିପି ବର୍ଷା ଆରମ୍ଭ ହେଇଗଲା, ହାଲକା ବିଜୁଳିବି ମାରୁଥାଏ । ବାଇକ୍ ର ସ୍ପିଡ୍ ଟିକେ ବଢେଇ ସାରିଥାଏ ।ଘର ଆହୁରି ୧୩/୧୪ କିଲୋମିଟର ଥାଏ ।
ଜଙ୍ଗଲ ରାସ୍ତା । ରାସ୍ତାର ଦୁଇପାଖରେ ବିରାଟ ବିରାଟ ଶାଳଗଛ । ଝିଙ୍କାରୀମାନେ ବର୍ଷା ସହିତ ତାଳଦେଇ ବାଦ୍ୟ ସଂଗୀତରେ ମଜି ଯାଇଥାନ୍ତି ।
ଛୋଟ ପୋଲ ତା ପରେ ପରେ ବୁଲାଣି । ହଠାତ୍ କେହିଜଣେ ରାସ୍ତା ଉପରକୁ ଦୃତଗତିରେ ଚାଲିଆସିଲେ । ବ୍ରେକ ମାରିବା ସମ୍ଭବ ନୁହେଁ । ସେହି ସ୍ପିଡ୍ ରେ ତାଙ୍କୁ କାଟି ଅତିକ୍ରମକରି ଗଲାବେଳକୁ ସାଙ୍ଗଟି ପିଠିକୁ ଜାବୁଡିଧରି ଚିତ୍କାର କଲା, “ଏମିତି କଣ ଚଲଉଛୁ !!!!”
ବାକି ରାସ୍ତାତକ ଉଭୟ ଥିଲୁ ନିରବ । ତାକୁ ତା ଘରେ ଛାଡି, ଘରକୁ ଫେରି ଶୋଇଲାବେଳକୁ ରାତି ୧୨।
ରାତିରେ ଆସିଲା ପ୍ରବଳ ଜ୍ବର । ପାଞ୍ଚ ଛଅ ଦିନ ପର୍ଯ୍ଯନ୍ତ ରହିଲା ତାର ପ୍ରକୋପ । ସେତିକି ଦିନ ବିଛଣାରେ ଶୋଇରହିଲା ବେଳେ ଗୋଟିଏ କଥା ଆଛନ୍ନ କରିରଖିଥିଲା- “ସେ ଝିଅଟିର ପୋଷାକର ରଙ୍ଗ ଅସ୍ବଭାବିକ ଭାବେ ଏତେ ଧଳା କାହିଁକି ଥିଲା !!!!”
✍️ ପ୍ରଶାନ୍ତ କୁମାର ଦାଶ