News
WhatsApp Image 2023-10-04 at 17.25.00
samparksetu

ପିଠେ ମହାଷ୍ଟମୀ

ବିମଳ ଶରତ  ନିର୍ମଳ ସରିତା
       ସୁନିର୍ମଳ ଜଳରାଶି
ଧଳା ମେଘମାଳେ  ନିରେଖି ଅମ୍ବରେ
         କାଶତଣ୍ଡି ସ୍ମିତହସି ।

ରାଧାଷ୍ଟମୀ ଦିନ  ମା ର ଶୟନ
     ମୂଳାଷ୍ଟମୀ ଜାଗରଣ
ଅଷ୍ଟ ସିଦ୍ଧିଦାତ୍ରୀ ନବଦୁର୍ଗା ରୁପୀ
     ମହାଷ୍ଟମୀରେ ପ୍ରସନ୍ନ ।

ଆଜି ପାରବଣେ  ଧରାବତରଣେ
       ଆସ ମାତ ଅଷ୍ଟଭୁଜେ
ମହିମାମୟୀ ମା ମହିଷା ବିନାଶେ
       ସାଜି ମହାଷ୍ଟମୀ ସାଜେ ।

ଶକ୍ତି ସ୍ୱରୂପିଣୀ  ସଙ୍କଟ ତାରିଣୀ
     ଅଭୟ ଦାୟିନୀ ମାଆ
ଜଗତକଲ୍ୟାଣି  ଶୁଭ ଆବାହନୀ
      ଆସ ମାଆ ହୁଅ ସାହା ।

ପୂଜା ପିଠେପିଠେ ବିଜେ ଘଟେ ଘଟେ
      ଶକ୍ତିର କରି ସଂଚାର
ଅଜ୍ଞାନ ଅନ୍ୟାୟ ଅଭାବ ବିଲୟ
      ହେଉ କରୁଣାରୁ ତୋର ।

ଭାବନାରେ ଆସ ଜଗତଜନନୀ
    ବିମଳତା କର ଦାନ
ତୁମରି ଆଶୀଷେ ତୁମରି ଆଦେଶେ
      ଜୀବନ ହେଉ ମହାନ ।

ତବ ଆଗମନେ ଅଶୁଭନାଶନେ
      ଶୁଭ ଜାଗରଣ ହେଉ
ପୁଲକିତ ପ୍ରାଣେ ତବ ଦରଶନେ
       ଏ ଜୀବନ ଧନ୍ୟ ହେଉ।

         ✍️ବସନ୍ତ କୁମାର ବରାଳ
           

new life
You might also like
error: Content is protected !!