ଆଗରୁ ଯାହା ଥିଲା ସାଇତା
ହୋଇଲା ଏବେ ସ୍ମୃତି
ଲୋପ ପାଇଲା ଏନେକ କଥା
ଯେ ଥିଲେ ପ୍ରିୟ ସାଥି ।
ଶଗଡ଼ ଥିଲା ଜଗା ବଳିଆ
ଥିଲେ ବଳଦ ଦୁଇ
ଲଙ୍ଗଳ ମୁନେ ହଳ ତିଆରି
ଛନ୍ଦରେ ଗୀତ ଗାଈ ।
ଟ୍ରାକ୍ଟରେ ହେଲା ଇଞ୍ଜିନ ଚାଷ
ଶଗଡ଼ ହଳ ଶେଷ
ରସାୟନର ଅତି ପ୍ରଭାବେ
ଖାଦ୍ୟରେ ମିଶେ ବିଷ ।
ଗାଈ ଗୁହାଳ ଯେଉଁଠି ନାହିଁ
ମିଳେନା ଜମା ଖତ
ଅଳ୍ପ ସମୟେ ବେସି ଉତ୍ପାଦ
ବାହୁନି କାନ୍ଦେ କ୍ଷେତ ।
ଯୁବା ବୟସେ ପାଚଇ କେଶ
ଘଟାଇ ନାନା ରୋଗ
ଯାହା ଖାଇବ ଅପମିଶ୍ରଣ
ଇଏ କି ହେଲା ଯୁଗ ।
ନାହିଁ ସେ ଆଉ ବାଡ଼ି ବଗିଚା
ଗାଁ ପୋଖରୀ କ୍ଷେତ
ବିରି କୋଳଥ ମୁଗ ହରଡ଼
ହେଉନି ଆଉ ଜାତ ।
ଗୋପାଳ ଘରେ ଗାଇଟେ ନାହିଁ
ମିଳୁନି ଖୀର ଦହି
ପ୍ୟାକେଟ ଖୀର ଅତି ଆଗ୍ରହେ
ବଜାରୁ ଆଣେ ବୋହି।
ମୁଢି ନଡ଼ିଆ ଚୁଡା ବତୁରା
ହୋଇନି ବହୁ କାଳୁ
ଚଟ ପଟିଆ ବିଦେଶୀ ଖାଦ୍ୟ
ଯତନେ ଖାଇ ଚଳୁ ।
ଅମୃତ ଭଣ୍ଡା ବାଡ଼ି ସଜନା
ପୋଇ କୋଶଳା ଶାଗ
ପାଟି କୁ ଆମ ରୁଚଇ ନାହିଁ
ବଡି ସଂତୁଳା ପାଗ ।
ଯୁଗ ଆଦରି ସ୍ୱାଦ ବଦଳି
ଜିଭ ଲାଞ୍ଚୁଆ ହେଲା
ଜିଭର ଲୋଭେ ସବୁ ଆଦରି
ପାଟିକୁ ନାହିଁ ତାଲା ।
କେମିତି କୁହ ନିରୋଗ ହେବା
ସଂସାର ସାରା ଏହା
କର୍ପୂର ସବୁ ଉଡି ଗଲାଣି
କନା ଖଣ୍ଡକ ଯାହା ।
✍️ଅଜିତ କୁମାର୍ ଦାସ