ବୁଲି ଆସିଲି ସାରା ଭାରତ ବର୍ଷ
କାହିଁ ନପାଇଲି ଏମିତି ପ୍ରଦେଶ
ଯହିଁ ଇଷ୍ଟଦେଵ ଦେଉଳୁ ବାହାରି
କରନ୍ତି ଭକତ ଜନମନ ତୋଷ।
ଦେଖି ମୋ ରାଜ୍ୟର କିରତି କଳା
ବିଦେଶୀ ପର୍ଯ୍ୟଟକ ହୁଏ ବାଉଳା
ପ୍ରକୃତି କୃପଣ ନସାଜି ଲଦିଛି
ଝରଣା ନଦୀ ବନ ପର୍ବତମାଳା।
ସମୁଦ୍ର ବୋଲାଏ ମହୋଦଧି ଏଠି
ଧୁଏ ମୋ ମାଟି ମା’ର ପଦଯୁଗଳ
ବୋହିଆଣେ ଶାମୁକାରେ ମୁକୁତା
ଅଗଣିତ ଅସୀମ ଲହରୀ ମାଳ।
ଉପୁଜାଏ ଆମ ଚାଷୀଭାଇ ବିଲେ
ଧାନ, ମୁଗ, ବିରି, ପନିପରିବା ଫଳ
ପରିଶ୍ରମ ବଳେ ଫଳାଏ ମାଟିରେ
ରକତ ନିଗିଡେ ହୋଇ ଦେହ ଝାଳ।
ବାର ମାସେ ଏଠି ତେର ପରବକୁ
ଯାନିଯାତରା ସାଥିରେ ପିଠା ପଣା
ଆରିଶା, କାକରା ,ମଣ୍ଡା,ଛୁଞ୍ଚିପତ୍ର
ଚକୁଳି ,ଖେଚୁଡ଼ି ,କ୍ଷୀରି , ଡାଲମା।
ଭାତ ବଳିଲେ ନହୁଏ ଫୋପଡା
ପାଣି ଢ଼ାଳି କରଇ ମାଆ ପଖାଳ
ଗରମରେ ହଂସା ବୁଡ଼ିଗଲେ ଦିଏ
ଭଜା ତୁଣ ସାଥେ ଚକଟି ଆମ୍ବୁଲ।
ପାଇକଙ୍କ ତରବାରୀ ବୁଲା ଦେଖି
ଗୋରା ଶାସକ ହୋଇଲେ ଥରହର
ମଧୁ ବାରିଷ୍ଟର କଥାରେ ଛନକା
ଛାତିରେ ଗୁଳିପରି ଗଳେ ତାଙ୍କର।
ଯଦୁ,ମଧୁ ,ଗୋପବନ୍ଧୁ, ରାଧାନାଥ
ଗଙ୍ଗାଧର ,ଫକୀର , ଉପେନ୍ଦ୍ର କବି
ରଚିଗଲେ ଜାତିର ଗୌରବ ଗାଥା
ଆଙ୍କିଦେଇ ସେବା ମମତାର ଛବି।
ନିହାଣ ମୁନରେ ଗଢ଼ିଲେ କୋଣାର୍କ
ରାଜାରାଣୀ, ଲିଙ୍ଗରାଜ ,ମୁକ୍ତେଶ୍ଵର
କେତେ ଧର୍ମପଦ ଦେଇଛନ୍ତି ବଳି
ରଖିବା ପାଇଁ ମହତ ଏ ଜାତିର।
ସାହିତ୍ୟ ସଂସ୍କୃତି ଭାଷା ପରମ୍ପରା
ପାଇଁ ବଜାୟ ରଖିଛି ସ୍ଥାନ ଉଚ୍ଚରେ
ନୂଆ ପିଢ଼ି ନେବେ ଆହୁରି ଆଗେଇ
ଉତ୍କଳ ଐକୀହ ନରହୁ ପଛରେ।
ସାରା ଜଗତରେ ଚର୍ଚ୍ଚା ହେଉଥିବ
ଏ ମାଟିର ସ୍ବର୍ଣ୍ଣିମ ଗୌରବ ଗାଥା
ଆଜିନୁହେଁ , ବର୍ଷ ସାରା ଗାଉଥିବା
ବନ୍ଦେ ଉତ୍କଳ ଜନନୀ ଟେକିଣ ମଥା।
✍️ସ୍ମିତା ମହାନ୍ତି , ରାଉରକେଲା