ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀଗୃହରେ ଦିବା ୧୦ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧ (କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ କୋଭିଡ଼ -୧୯ ନିୟମ ସବୁକୁ ଅନୁପାଳନ କରି ଢେଙ୍କାନାଳର ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ -୨୦୨୨ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାର ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ମୁଖ୍ୟ ପରିଚାଳନା ଅଧିକାରୀ(ଚିଫ ଅପରେଟିଙ୍ଗ ଅଫିସର) ଅମରଜିତ ଜେନା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ଆଧୁନିକ ଯୁଗରେ ଆଧୁନିକ ଭିତ୍ତିଭୂମି ଓ ଶିକ୍ଷା ଉପକରଣ ଗୁଡ଼ିକର ସଫଳ ବ୍ୟବହାର ମାଧ୍ୟମରେ ସ୍ଵୀୟ ଦକ୍ଷତା ବୃଦ୍ଧି ହିଁ ଆଜିର ଆବଶ୍ୟକତା ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ନୂତନ ସମ୍ଭାବନା ସୃଷ୍ଟିରେ ଏହା ସହାୟକ ହୋଇଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ।
ଓଡ଼ିଶାର ରାଜ୍ୟସ୍ତରୀୟ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ପ୍ରକଳ୍ପ କାର୍ଯ୍ୟକ୍ରମ ପରିଚାଳନା ଅଧିକାରୀ (ପ୍ରୋଗ୍ରାମ ମ୍ୟାନେଜର) ଶୁଭା ପାଲିତ, ଆଞ୍ଚଳିକ ପ୍ରକଳ୍ପ କାର୍ଯ୍ୟକ୍ରମ ସଂଚାଳନ ଅଧିକାରୀ(ଜୋନାଲ ପ୍ରୋଜେକ୍ଟ ମନିଟରିଂ ଅଫିସର) ମୟିତ୍ରୀ ବାବୁ ଓ ପତଙ୍ଗ ଅନୁଷ୍ଠାନର ପ୍ରଶିକ୍ଷିକା ରାମେଶ୍ୱରୀ ଗୁରୁ ପ୍ରମୁଖ ଟ୍ରେନର ଭାବରେ ଯୋଗଦାନ କରି ତିନୋଟି ପର୍ଯ୍ୟାୟରେ ମିଶ୍ରିତ ଶିକ୍ଷା(ବ୍ଲେଣ୍ଡେଡ଼ ଲରନିଙ୍ଗ),ଵିଜ୍ଞାନାଗାର(ସାଇନ୍ସ ଲ୍ୟାବ) ଓ ଇ-ଲାଇବ୍ରେରୀର ପାରସ୍ପରିକ ସହଯୋଗ ମୂଳକ ବ୍ୟବହାର, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଇ-ଲାଇବ୍ରେରୀର ସମନ୍ବିତ ସଫଳ ବ୍ୟବହାର ଦ୍ୱାରା ଶିକ୍ଷା ବ୍ୟବସ୍ଥାକୁ ଅଧିକ ଆନନ୍ଦଦାୟକ, ବୋଧଗମ୍ୟ କରାଇ ଛାତ୍ରୀ ଛାତ୍ରଙ୍କ ଉପରେ କିପରି ଏକ ସୁଦୂର ପ୍ରସାରୀ ପ୍ରଭାବ ପକାଯାଇପାରିବ ସେ ସମ୍ପର୍କରେ ସଫଳ ମାର୍ଗଦର୍ଶନ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ କିପରି ଏକ ପାୱାର ପଏଣ୍ଟ ପ୍ରସ୍ତୁତ କରି କ୍ଲାସରେ ପିଲାମାନଙ୍କୁ କିପରି ପଢେଇବେ ତାହା ଶିଖାଯାଇଥିଲା। କିପରି ସେମାନେ ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହରେ ଥିବା ଇଣ୍ଟରଆକ୍ଟିଭ ପ୍ୟାନେଲ/ବୋର୍ଡର ସଫଳ ବ୍ୟବହାର କରିବେ ତାହା ମଧ୍ୟ ଶିଖାଯାଇଥିଲା।କମ୍ପ୍ୟୁଟର,ଲ୍ୟାପଟପ,ପାମଟପ,ସ୍ମାର୍ଟ ଫୋନ, ଇଣ୍ଟରନେଟ,ଇ-ମେଲ ବ୍ୟବହାର,ମାଇକ୍ରୋସଫ୍ଟ ଅଫିସ, କୋଭିଡ-୧୯ ପରିସ୍ଥିତିରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସମ୍ୟକ ଧାରଣା ମଧ୍ୟ ଦିଆଯାଇଥିଲା।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଶିକ୍ଷକ ମାନେ ଉଭୟ ଉନ୍ନତ ଯାନ୍ତ୍ରିକ ଜ୍ଞାନକୌଶଳ ଓ ପାରମ୍ପରିକ ଶିକ୍ଷାକୌଶଳ ଉଭୟକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରି ଏକ ଅତ୍ୟାଧୁନିକ କୌଶଳରେ ପିଲାମାନଙ୍କୁ ସଫଳ ଶିକ୍ଷାଦାନ କରିପାରିବେ।