News
WhatsApp Image 2023-10-04 at 17.25.00
samparksetu

ବହି

ଏକ ଖୁଦ୍ରଗଳ୍ପ

ଏବେ ବହି ପଢାପଢି ଟିକେ କମିଗଲାଣି, ବସ୍ ରେ ପଢାପଢିତ ନାହିଁ କହିଲେ ଚଳେ । ଆଜି ସକାଳେ ଯେତେବେଳେ ବସ୍ ରେ ଉଠିଲି ଦେଖିଲି ବସ୍ ପୁରାପୁରି ଫାଙ୍କା । ଛାଡିବାକୁ ଆହୁରି କୋଡିଏ କି ପଚିଶ ମିନିଟ୍ ବାକିଥାଏ । ଅଗତ୍ୟା କାଲିରାତିରେ ଶେଷ କରିପାରିନଥିବା ବହିଟିକୁ ବ୍ୟାଗରୁ ବାହାର କଲି । ପଢୁପଢୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହଠାତ ମନେ ପଡିଗଲା ପ୍ରାୟ ପନ୍ଦର ବର୍ଷ ତଳର ଘଟଣାଟେ ।

ସେଦିନ କେଉଁ ଏକ ଛୋଟ ସହରରୁ ଆଉ ଗୋଟେ ଛୋଟ ସହରକୁ ଯିବାର ଥାଏ । ବ୍ୟବଧାନ ପ୍ରାୟ ୧୨୦ କି ୧୩୦ କିମି । କଣ୍ଡକ୍ଟରଙ୍କୁ କହିଥିଲି ଝରକା ସିଟ୍ ଟେ ପାଇଁ । କିନ୍ତୁ  ବସ୍ କୁ ଉଠିଦେଖିଲି ଝରକାସିଟ୍ ଟି ଆଉ ଜଣକ ଅକ୍ତିଆରେ । ଝିଅଟିଏ ବହିପଢାରେ ନିମଗ୍ନା । ବସ୍ ଭିଡହେଇଆସିଲାଣି ।ଛାଡିବ ପ୍ରାୟ । ଝରକା ସିଟ୍ ପାଇବା ଆଶାନାହିଁ । ପରବର୍ତ୍ତୀ ବସ୍ ଘଣ୍ଟାଏ ପରେ । ଲଗେଜ୍ କ୍ୟାରିୟର ରେ ବ୍ୟାଗଟି ରଖି ସାଇଡ୍ ସିଟରେ ବସଲି ।

ଝିଅଟି ସେମିତି ଏକଲୟରେ ପଢୁଥାଏ। ବହି ପ୍ରତି  ପିଲା ଦିନରୁ ଏକପ୍ରକାର ଲୋଭଥାଏ । ଜାଣିବାକୁ ଇଛାହେଉଥାଏ କେଉଁ ବହି, କାହା ଲେଖା । ଚେଷ୍ଟା କରୁଥାଏ ନାଁ ଟିକୁ ପଢିନେବାକୁ, କିନ୍ତୁ  ସମ୍ଭବ ହେଉନଥିଲା । ଏମିତି ଧରିକି ପଢୁଥାଏ ସତେକି ନିଷିଧ ଉପନ୍ୟାସ ଟେ । ପକାଫୁଲେଇଟେ ହେଇଥିବ !

ସେ ବହିଟିର ଶେଷ କେତେପୃଷ୍ଟା ପଢୁଥାଏ । ମୁଁ ସିଟ୍ ଉପରେ ମୁଣ୍ଡଟି ରଖି ଶୋଇବାକୁ ଚେଷ୍ଟା କରୁଥାଏ । ଗାଡି କୌଣସି ଏକ ଛକରେ ରହିଲା । ଚା ପିଇବାକୁ ଅନେକ ଓହ୍ଲେଇଲେ ମୋ ସମେତ । ଝିଅଟି ସେମିତି ପଢୁଥାଏ ।

ଚା ପିଇ ଉଠିଲାବେଳକୁ ଦେଖିଲି ଝିଅଟି ସିଟ୍ ରେ ନାହିଁ । ବୋଧେ ତଳକୁ ଯାଇଛି । ବହିଟି କିନ୍ତୁ ସିଟ୍ ଉପରେ ଥୁଆ ହେଇଥିଲା । ଏପଟ ସେପଟ ଅନେଇ ଉଠେଇଆଣିଲି ।

ଆରେ ଏଇଟାତ ଏବେ ଏବେ ବଜାରକୁ ଆସିଥିବା ମୋ ପ୍ରିୟ ଲେଖକଙ୍କର ବହି । ନିକଟରେ ସମିକ୍ଷାଟିଏ ଖବରକାଗଜରେ ବାହାରିଥିଲା । ବହିଦୋକାନରେ  ବି ଖୋଜିଥିଲି, ମିଳିନଥିଲା, ଏଇ ଛୋଟିଆ ସହରଟିକୁ ଏତେ ଶୀଘ୍ର ଆସେନି ।

ଶୀଘ୍ର ଶୀଘ୍ର କେତେପୃଷ୍ଟା ପଢିପକେଇବାକୁ ପ୍ରବଳ ଇଛା ହେଉଥିଲା । କିନ୍ତୁ ଝିଅଟି ବସ୍ କୁ ଉଠୁଥିଲା । ଆସ୍ତେକି ଥୋଇଦେଲି । ଝିଅଟି ଆସି ଯେଉଁଠୁ ଛାଡିଥିଲା ସେଇଠୁ ଆରମ୍ଭ କଲା । ମନେ ମନେ ଖୁସିହେଲି ବୋଧେ ଆଉ ଦୁଇତିନି ପୃଷ୍ଠା ଅଛି । ପଢିସାରିଲା ପରେ ମାଗିନେଇ ବସ୍ ପହଞ୍ଚିବା ପର୍ଯ୍ଯନ୍ତ ଅତ୍ୟନ୍ତ କେତେ ପୃଷ୍ଠା ପଢିପାରିବି ।କିଛି ନହେଲେ ମୁଖବନ୍ଧ ଟି ପଢିନେବି ।

ନା ମାଗିବା ପୂର୍ବରୁ ପଢିସାରିଲା ମାତ୍ରେ ବହିଟିକୁ ନେଇ ତା ହ୍ୟାଣ୍ଡବ୍ୟାଗ୍ ରେ ଥୋଇଦେଲା । ଛି ଝିଅଗୁଡାକ ସତରେ ଭାରି ମିନ୍ । ସତେକି ତା ବହିଟା ନେଇ ଖାଇଯିବି । ଛାଡ ।

ତା ଆଡକୁ ଟିକେବି ଅନେଇବାକୁ ଆଉ ଇଛା ହେଉନଥିଲା । ଭାରି ଇଗୋଇଷ୍ଟ   ହେଇଥିବ । କିଏ ପଚାରୁଛି ।

ମୋର ଏଇଭିତରେ ଆଖି ଲାଗିଯାଇଥିଲା । ବସ୍ ଯାଇଁ ଗନ୍ତବ୍ୟ ସ୍ଥାନରେ ପହଞ୍ଚିସାରିଲାଣି । ସମସ୍ତେ ନିଜ ନିଜର ଲଗେଜ୍ ଧରି ଓହ୍ଲଉଛନ୍ତି, ମୁଁ ବି ଓହ୍ଲେଇଲି । ତାକୁ ଅନେଇବାକୁ ଟିକେବି ଇଛା ହେଉନଥିଲା । ମନେ ମନେ ଭାବୁଥିଲି ଯାହାଘରକୁ ବାହାହେଇଯିବ ତା ସଂସାର ଗଲା ।

ଓହ୍ଲେଇସାରି ଅଳ୍ପବାଟ ଚାଲି ଚାଲିଗଲାବେଳେ ପଛରୁ କିଏ ଡାକିବା ପରି ଲାଗିଲା । ସେଇଝିଅଟା । ବୋଧେ କେଉଁ ଠିକଣା ପଚାରିବ । କେଡେ ଅଲାଜୁକି ଟା ମ ।

ହସି ହସି ଆସୁଥାଏ । ନା ମୋର ଇଛାନଥିଲା ଟିକେବି ହସିବାପାଇଁ ।

ପାଖରେ ଆସିଠିଆ ହେଲା  “ବହିଟା ବୋଧେ ଆପଣଙ୍କ ର ପସନ୍ଦ । ମୁଁ ପଡିସାରିଲିଣି ।ନିଅନ୍ତୁ” କହି ବ୍ୟାଗ୍‌ରୁ କାଢି ଧରେଇଦେଲା ।

ମୁଁ ଥତମତ ହେଇରହିଗଲି । ପୁଣିଥରେ ହସିଦେଲା । ଏଥର ଟିକେ ଯୋର୍ ରେ।

“ଆରେ ପଢିସାରିଲା ପରେ ଆଉଯଦି କେହି ପଢିବା ପାଇଁ ଚାହାନ୍ତି ଦେଇଦେବେ ।” 

ସେ ସେମିତି ହସି ହସି ଚାଲିଯାଉଥାଏ, ଆଉ ମୁଁ ସେଇଠି ବହିଟି ଧରି ଅନେଇରହିଥିଲି ଅନେକ ସମୟଧରି ।

କୁଆଡେ ଗଲେ ସେ ଝିଅ ସବୁ !!!!

✍️ପ୍ରଶାନ୍ତ କୁମାର ଦାସ

new life
You might also like
error: Content is protected !!