News
WhatsApp Image 2023-10-04 at 17.25.00
samparksetu

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମାଘମେଳା ଶନିବାର ଦିନ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇଛି ।ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଗହଣରେ ମହିମା ଗାଦି ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଛି । ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଶୂନ୍ୟ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଧ୍ୱନି ମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଶୂନ୍ୟ ମନ୍ଦିର, ଏକୋଇଶହାତିଆ ଟୁଙ୍ଗି ମନ୍ଦିରରେ ସନ୍ଧ୍ୟା ୫ଟା ୩୦ ମିନିଟରେ ଝାଡଦୀପ ପ୍ରଜ୍ୱଳିତ ହୋଇଛି ।

ଯୋରନ୍ଦା ସ୍ଥିତ ମହିମା ଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳା ପାଇଁ ପ୍ରାତଃ ସମୟାର ଗାଦି ମନ୍ଦିରର ଚାରିଦ୍ୱାର ଖୋଲାଯାଇ ପ୍ରଥମେ ମହାଳମୂଳ କୂଅରୁ ରୂପା ଗରାରେ ପାଣି ଅଣାଯାଇ ସେଥିରେ ଚନ୍ଦନ, ଅଗୂର, କର୍ପୂର ଆଦି ମିଶାଇ ମନ୍ଦିର ଚାରିପାଖ ସିଞ୍ଚନ କରାଯାଇଥିଲା ।ପରେ ବାବାଙ୍କ ଦ୍ୱାରା ରୂପା ଝାଡୁରେ ଛେରାପହଁରା କରାଯାଇ ସିଦ୍ଧ ବକ୍କଳଧାରୀ ସନ୍ନ୍ୟାସୀଙ୍କ ଦ୍ୱାରା ଚାମର ବ୍ୟଞ୍ଜନ କରାଯାଇ ସାତମୁଠା ସୁନା ଚାମର ଓ ଅବଶିଷ୍ଟ ରୂପା ଚାମରରେ ସିଦ୍ଧ ବକ୍କଳଧାରୀ ସନ୍ନ୍ୟାସୀ ମାନେ ମନ୍ଦିର ଚାରିପାଖ ଚାମର ସେବା କରିଥିଲେ ।

ଅନୁରୂପ ଭାବେ ମଧ୍ୟାହ୍ନରେ ଚାମର ବ୍ୟଜନ ଓ ଅନ୍ୟାନ୍ୟ ନୀତି କରା ଯାଇଥାଏ । ଗାଦିମନ୍ଦିର ପରିସରରେ ପୂର୍ବାହ୍ନ ସମୟରେ ନୀତି ମନ୍ଦିରରୁ ଝାଡବୃକ୍ଷ ଓ ଅନ୍ୟାନ୍ୟ ଉପକରଣ ଗୁଡିକୁ ଅଣାଯାଇ ମନ୍ଦିର ଚାରିପାଶ୍ୱର୍ର ସ୍ଥାପନ କରାଯାଇଥିଲା । ଗାଦି ମନ୍ଦିରର ଗୋଟିଏ ପାର୍ଶ୍ଵରେ ସୁନା, ରୂପାର ବିଭିନ୍ନ ଅଳଙ୍କାର ସମେତ ଛତ୍ରୀ, ଅଢେଣୀ, ତରାସ ଆଦି ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ରଖାଯାଇଥିଲା ।

ଅପରାହ୍ନ ସମୟରେ ସନ୍ଧ୍ୟା ନୀତି ଆରମ୍ଭ ହୋଇ ସନ୍ଧ୍ୟା ୫ଟା୩୦ମିନିଟରେ ଝାଡଦୀପ ପ୍ରଜ୍ୱଳନ କରାଯାଇଥିଲା । ଅଖଣ୍ଡ ବତୀ ମନ୍ଦିର ଓ ଅଖଣ୍ଡ ଜ୍ୟୋତି ମନ୍ଦିରରେ ଝାଡଦୀପ ପ୍ରଜ୍ୱଳନ ସହିତ ଏକୋଇଶ ହାତିଆ ମନ୍ଦିରରେ ମଧ୍ୟ ଝାଡଦୀପ ପ୍ରଜ୍ୱଳନ ହୋଇଥିଲା । ଦେଶ ସମେତ ବିଦେଶୀ ଭକ୍ତ ମଧ୍ୟ ମେଳା ବୁଲିବା ସହ ମହିମା ଧର୍ମ ବିଷୟରେ ଅବଗତ ହୋଇଥିଲେ ।

ପ୍ରତିବର୍ଷ ଭଳି ଚଳିତବର୍ଷ ମେଳାକୁ ନେଇ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଲୋକବ୍ୟବସ୍ଥା,ଶୌଚାଳୟ,ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇଛି । ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଜଳ ଯୋଗାଣ,ପରିମଳ,କୂଅ ପୋଖରୀ ବିଶୋଧନ,ମୋବାଇଲ ଟଏଲେଟ ସ୍ଥାପନ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଶୌଚାଳୟ ର୍ନିମାଣ,ସ୍ୱାସ୍ଥ୍ୟ ଶିବିର,ଗାଡି ପାର୍କିଂ,ଯାନବାହନ ନିମନ୍ତ୍ରଣ,ପୋଲିସ ମୁତୟନ କରାଯାଇଛି ।ମେଳାରେ ୨ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାର ଜଣାପଡିଛି । କୌପୁନୀ ଧାରୀ ସାଧୁସନ୍ଥ ପୂର୍ବ ନିଷ୍ପତି ଅନୁସାରେ ଅସ୍ଥାୟୀ ଧୂନୀ ମନ୍ଦିରରେ ରେ ଝାଡ ଦୀପ ପ୍ରଜ୍ଜ୍ଵଳନ କରିଥିଲେ ।

ବିଶ୍ୱର ମଙ୍ଗଳ ପାଇଁ ଏହି ଝାଡଦୀପ ପ୍ରଜ୍ଜ୍ଵଳନ କରାଯାଇଥିବାବେଳେ ଲକ୍ଷ ଲକ୍ଷ ଭକ୍ତ ଶୂନ୍ୟ ବ୍ରହ୍ମଙ୍କ ଅଶିଷ ଲାଭ କରିଥିଲେ ।ମେଳାରେ ଭିଡକୁ ଦେଖି ପକେଟମାର ମାନେ ଅଧିକ ସକ୍ରୀୟ ହୋଇଥିବା ବେଳେ ଯାନବାହନ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଏହା ସହିତ ପ୍ରତି ବର୍ଷ ଭଳି ମୋବାଇଲ ସେବା କାର୍ଯ୍ୟ କରୁନଥିବାରୁ ଭକ୍ତଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!