ଏକମାତ୍ର ରୋଜଗାରିଆ ପୁଅ କୁ ସଡକ ଦୁର୍ଘଟଣା ରେ ହରାଇ କଲୁରିଆ ର ମଙ୍ଗୁଳି ବେହେରା ଙ୍କ ପରିବାର ଏବେ ବେସାହାରା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ଗ୍ରାମର ମଙ୍ଗୁଳି ବେହେରାଙ୍କ ପୁଅ ଗତ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରାଜୀବ ବେହେରା ୨୮ବର୍ଷ ବୟସରେ ରାଜମିସ୍ତ୍ରୀ କାମକରି ଘର ଚଳାଉଥିଲେ । ବାପା ମାଁ ଙ୍କର ଗୋଟିଏ ବୋଲି ପୁଅ ଥିଲେ ରାଜୀବ ।
ବାପାଙ୍କର ବୟସ ୬୬ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିନି , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ସ୍ବପ୍ନ ହୋଇଛି । ରାଜୀବ ବେହେରାଙ୍କ ମା ବାସନ୍ତି ବେହେରା ଡାଇବେଟିସ ରୋଗରେ ପୀଡି଼ତ , ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା କରିପାରୁନାହିଁ l ବାପା ମଙ୍ଗୁଳି ବେହେରା ରୋଜଗାର କରିବାପାଇଁ ଆଉ ବଳ ବୟସ ନାହିଁ ।
ଅର୍ଥ ଅଭାବରୁ ଆଉ ତିନି ଜଣ ଝିଅ ରେଣୁବାଳା (୩୬ ),ଜୟନ୍ତୀ (୨୪),ସୁମିତ୍ରା (୨୩)ଘରେ ଅଛନ୍ତି । ସାନ ଝିଅ ସୁମିତ୍ରା ମହିମା ମହାବିଦ୍ୟାଳୟ ରେ ଗ୍ରାଜୁଏସନ ପାସ କରି ମଧ୍ୟ ଘରେ ବସିଛନ୍ତି ।
ବାର୍ଦ୍ଧକ୍ୟ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବ୍ଲକ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ମିଳିପାରୁନି ସହାୟତା । କେବଳ ରାସନ ଚାଉଳ ହିଁ ତାଙ୍କ ପାଇଁ ବଂଚିବାର ରାହା ହୋଇଛି । ସରପଞ୍ଚ ସଞ୍ଜୟ କୁମାର ଜେନା ଙ୍କୁ ଏ ନେଇ ଯୋଗାଯୋଗ କରିବା ପରେ , ତାଙ୍କ କହିବା ଅନୁଯାୟୀ ଭତା ପାଇଁ ଆବେଦନ କରିଛନ୍ତି କିନ୍ତୁ ଜିଲ୍ଲା କାର୍ଯ୍ୟାଳୟରେ କୌଣସି କାରଣରୁ ଅଟକିଯାଇଛି , ଯଥାଶୀଘ୍ର ଭତ୍ତା ଯୋଗାଇବା ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ପ୍ରୟାସ କରାଯିବ ବୋଲି ସୂଚନା ଦେଇଛନ୍ତି ।