News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରେ ଘର ଚୋରି !

ଟଙ୍କା ସୁନା ପରି ଜିନିଷ ଚୋରି ହେବା କଥା ସମସ୍ତେ ଶୁଣିଥିବେ କିନ୍ତୁ ଘର ଚୋରି ହେବା ଘଟଣା ଶୁଣିଲେ କେହି ବିଶ୍ବାସ କରିପାରିବେ ନାହିଁ। କଥାଟା ଅଡ଼ୁଆ ଅଡ଼ୁଆ ଲାଗୁଥିଲେ ବି ସତ।

ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳର ୯ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ରୂପାଲି ଗ୍ରାମର ସୁକୁମାର ନାଏକଙ୍କ ପତ୍ନୀ ସସ୍ମିତାଙ୍କ ସହ ଘଟିଛି ଏହି ପରି ଚକିତ ଘଟଣା। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଏକ ଘର ମିଳିଥିଲା। ଯାହାର କାର୍ଯ୍ୟାଦେଶ ଏନଏସି ପକ୍ଷରୁ ଦିଆଯାଇଥିଲା, ନମ୍ବର ଥିଲା ୮୦୬(୨୫୭)।

କାମ ଆରମ୍ଭ ହେଲା ପୂର୍ବରୁ ଯେତେବେଳେ ଆଧାର ସଂଯୋଗ କରାଗଲା ଜଣାପଡ଼ିଲା ସେ ପୂର୍ବରୁ ଘର ପାଇଛନ୍ତି। ତେବେ ସେ ଘର ଗଲା କୁଆଡେ? ଭଙ୍ଗା ଦଦରା ଘରେ ଅସହାୟ ଅବସ୍ଥାରେ ତାଙ୍କର ଦିନ କଟୁଛି। ଘର ଖଣ୍ଡିଏ ପାଇ ଖୁସି ହେବା ପୂର୍ବରୁ ଘର ଚୋରି ହୋଇଗଲା। ଅନୁସନ୍ଧାନ ପରେ ଜଣାପଡ଼ିଲା ବସନ୍ତ ନାଏକଙ୍କ ପତ୍ନୀ ସସ୍ମିତା ନାଏକ ହିସାବରେ ମିଳିଛି।

ତେଣୁ ତାଙ୍କ କାର୍ଯ୍ୟାଦେଶ ବାତିଲ କରାଯାଇଥିଲା। ତେବେ ଏ ସମ୍ପର୍କରେ ଜାଣିବା ପରେ ସସ୍ମିତା ହିନ୍ଦୋଳ ଉପଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ ଦୁଃଖ ଶୁଣି ନାହାଁନ୍ତି। ତାଙ୍କ କହିବା ମୁତାବକ ବେଣୁଧର ନାଏକ ନାମକ ଜଣେ ବ୍ୟକ୍ତି କିଛି ମାସ ପୂର୍ବରୁ ଘର ମିଳିବ କହି ତାଙ୍କ ଆଧାର କାର୍ଡ ନେଇଥିଲେ। କିଛି ଦିନ ପରେ ଆଧାର କାର୍ଡ ଫେରାଇ ଥିଲେ। ସେ ସରକାରୀ ଅଧିକାରୀଙ୍କୁ ହାତର କରି ଘର ହେରେଫେରେ କରିଛନ୍ତି।
ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ ସମୟ କହିବ।

ତେବେ ନିରିହ ସସ୍ମିତାଙ୍କୁ ଘର ମିଳିବ କି ନାହିଁ ଦେଖିବାକୁ ବାକି ରହିଲା।

new life
You might also like
error: Content is protected !!