News
WhatsApp Image 2023-10-04 at 17.25.00
samparksetu

ସ୍ବଜଳଧାରା ଯୋଜନା କୂଅ ଭୁଶୁଡିବା ଘଟଣାର ତଦନ୍ତ କଲେ ବିଭାଗୀୟ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଳଦା ପଞ୍ଚାୟତ ଅନ୍ତର୍ଗତ କୁଣ୍ଢେଖୋଲ ଅଁଳାହତା ବସ୍ତି ବାସିନ୍ଦାଙ୍କ ନିମନ୍ତେ ସ୍ବଜଳଧାରା ଯୋଜନା ମାଧ୍ୟମରେ ପାନୀୟ ଜଳ ଯୋଗାଣ ନିମନ୍ତେ ନିର୍ମାଣାଧୀନ କୂଅଟି ଶୁକ୍ରବାର ସନ୍ଧ୍ୟାରେ ଭୁଶୁଡିପଡିଥିଲା। ବିଭାଗୀୟ ଅଧିକାରୀଙ୍କ ଦେଖାଶୁଣା ଅବହେଳା ଓ ଠିକାଦାରଙ୍କ ମନମୁଖୀ ସାଙ୍ଗକୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୂଅ ନିର୍ମାଣ ବେଳେ ଗ୍ରାମବାସୀ ଠିକାଦାରଙ୍କୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅଭିଯୋଗ କରିଥିଲେ। ହେଲେ ଠିକାଦାର ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲେ।

ଏହି ସ୍ବଜଳଧାରା ଯୋଜନା ପାନୀୟ ଜଳ ପ୍ରକଳ୍ପ ପାଇଁ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ଏହି ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଦୁଇ ଗ୍ରାମର ଏକହଜାର ଅଧିକରୁ ଅଧିକ ଲୋକ ନିର୍ଭର କରିଥାନ୍ତେ। ପ୍ରକଳ୍ପ ନିର୍ମାଣ ଶେଷ ହୋଇ ସାରିଥିବା ବେଳେ ଏହି କୂଅରୁ ପାଣି ଉତ୍ତୋଳନ କରାଯାଇ ପାଣି ଟାଙ୍କିରେ ଗଚ୍ଛିତ କରାଯାଇଥିଲା। ପାଇପ୍ ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ଗ୍ରାମବାସୀ ପାନୀୟ ଜଳ ପାଇବା ପୂର୍ବରୁ କୂଅରେ ବସିଥିବା ମାଙ୍କଡ଼ାପଥର ଦବିଯିବାରୁ କୂଅଟି ଭୁଶୁଡିପଡିଥିଲା।

ଫଳରେ ଗ୍ରାମବାସୀ ପାଇପ୍ ଯୋଗେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଠିକାଦାରଙ୍କ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଗ୍ରାମବାସୀ ପାନୀୟ ଜଳ ପାଇବା ଅନିଶ୍ଚିତ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି।ଭୁଶୁଡିପଡିଥିବା କୂଅ ସମ୍ପର୍କରେ ଖବର ପାଇ ପରଜଙ୍ଗ ବ୍ଲକ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନଙ୍କ ସମେତ ବିଭାଗୀୟ ସରକାରୀ ଯନ୍ତ୍ରୀ ଓ ଠିକାଦାର ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ କହିଛନ୍ତି ଯେ ଭୁଶୁଡିପଡିଥିବା କୂଅକୁ ଖୁବଶୀଘ୍ର ମରାମତି କରିବା ସହ ପୁନଃଉଦ୍ଧାର କରି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ।

ପରଜଙ୍ଗ ବ୍ଲକରେ ସ୍ବଜଳ ଧାରା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ଅବସ୍ଥାରେ ୪ଟି କୂଅ ଭୁଶୁଡିପଡିଥିବା ନଜର ରହିଛି। ବିଗତ ଦିନରେ ଏହି ବ୍ଲକର କୁଆଳୋ ପଞ୍ଚାୟତର ନୂଆକୁଆଳୋ ,କଙ୍କଡାସୋଡା, ପାଟରପଦା ପଞ୍ଚାୟତର କଟାବାହାଳ ଗାଁରେ କୂଅ ଭୁଶୁଡିପଡିଥିବା ନଜର ଦୃଷ୍ଟାନ୍ତ ରହି ଆସିଛି। ସ୍ବଜଳଧାରା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ଟେଣ୍ଡର ନେଉଥିବା ଠିକାଦାର ନିଜେ ନକରି ସ୍ଥାନୀୟ ଅଞ୍ଚଳର ଠିକାଦାରଙ୍କୁ ଲଗାଇ କାର୍ଯ୍ୟ କରାଉଥିବା ଯୋଗୁଁ କାର୍ଯ୍ୟ ଗୁଡିକ ନିମ୍ନ ମାନର ହେବା ଫଳରେ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି। ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

new life
You might also like
error: Content is protected !!