ଦୋଳ ପୂନେଇଁରେ
ମାଇଁ ସଜାଡିଛି
ଆମ୍ବ କଷି ମୁଆଁ ଖଜା
କଳାକାହ୍ନୁ ସଙ୍ଗେ
ରଙ୍ଗ ହୋଲି ଖେଳ
କାଲି ହେବ ଭାରି ମଜା ।
ରଙ୍ଗ ପସରାର
ନିଶା ଲାଗିଯିବ
ଫଗୁଣ ଆସର ଲାଗି
ଭାବ ବନ୍ଧନର
ପରମ ଆନନ୍ଦ
ପରାଣେ ଉଠିବ ଜାଗି ।
ବସନ୍ତ ମଳୟ
ମିଳନ ଆସର
ମୋହିନେବ ରାଈ ମନ
କେଳି କୁଞ୍ଜବନେ
ଦୋଳିରେ ବସିବେ
ଯଶୋମତୀ ଗଣ୍ଠିଧନ ।
ଗୋପ ଗୋପାଙ୍ଗନା
ଚାହିଁ ରହିଥିବେ
ଧରି ରଙ୍ଗ ପିଚକାରୀ
ପୁଚି ଖେଳିବାକୁ
ଲୁଚିଲୁଚି କେତେ
ଆସୁଥିବେ ଗୋପନାରୀ ।
ରଙ୍ଗ ବୋଳିବାକୁ
ସୁଦାମା ସୁବଳ
ଜଗି ବସିଥିବେ ବାଟ
ଯମୁନା କୂଳରୁ
ଗୋପ ଦାଣ୍ଡ ଯାଏଁ
ବସିବ ଅବିର ହାଟ ।
ଦୋଳ ପୁନେଇଁ ରେ
ବଳିଛି ସରାଗ
ଦୋଳିରେ ବସିବା ପାଇଁ
ଯେତେ ବ୍ରଜବାଳୀ
କଳି କଲେ ସୁଧା
ବସିବ ରାଧିକା ମାଇଁ ।