ଢେଙ୍କାନାଳର ଐତିହ୍ୟ ଭାଗିରଥି ସାଗରର ସୁରକ୍ଷା ପାଇଁ ଚତୁର୍ପାଶ୍ୱର ଅଞ୍ଚଳ ବାସୀ ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଭାଗିରଥି ସାଗର ସୁରକ୍ଷା ସମିତି ଗଠନ କରାଯାଇଛି ।
ସମିତି ତରଫରୁ ଶ୍ରୀ ପଙ୍କଜ ନାୟକଙ୍କୁ ସଭାପତି ଏବଂ ଶ୍ରୀ ଅଶୋକ ସ୍ୱାଇଁଙ୍କୁ ସମ୍ପାଦକ ଦାୟୀତ୍ୱ ପ୍ରଦାନ କରାଯାଇ ମଙ୍ଗଳ ବାର ଦିନ ପାଞ୍ଚ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ ସାମନ୍ତ ଏବଂ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉକି, ଅଷ୍ଟାଦଶ ଶତାବ୍ଦୀରେ ଢେଙ୍କାନାଳ ଗଡ଼ର ତତ୍କାଳୀନ ଶାସକ ମହାରାଜା ଭଗିରଥ ମହେନ୍ଦ୍ର ବlହାଦୁର ସହରବାସୀଙ୍କ ସହୁଲିଅତ ପାଇଁ ସହରର ମଧ୍ୟ ଭାଗରେ ୨୬ ଏକର ବିଶିଷ୍ଟ ଏକ ଜଳାଶୟ ଖନନ କରିଥିଲେ ।
କାଳକ୍ରମେ ତାଙ୍କରି ନାମରେ ଏହି ଜଳାଶୟଟି ଭାଗିରଥି ସାଗର ଭାବେ ନାମିତ କରାଯାଇଥିଲା ଏବଂ ଏହାର ରକ୍ଷଣା ବେକ୍ଷଣ ଦାୟୀତ୍ୱ ପୌର ପାଳିକା ହାତରେ ପ୍ରଦାନ କରାଯାଇଥିଲା । କିନ୍ତୁ ଜଳାଶୟ ଟି ପଦ୍ମ ଫୁଲ ବଣ ଓ ଅଳିଆ ଆବର୍ଜନା ପଡ଼ି ଅବସ୍ଥା ଏପରି ହୋଇଛି ଯେ ଚଳିତ ବର୍ଷ ପ୍ରଭୁ ମଦନମୋହନ ଜୀଉଙ୍କର ଚନ୍ଦନ ଯାତ୍ରା ମଧ୍ୟ ହୋଇପାରିଲା ନାହିଁ ।
ପ୍ରତ୍ୟେକ ବର୍ଷ ଜଳାଶୟ ସଫା କରିବାରେ ଲକ୍ଷାଧିକ ଅର୍ଥ ରାଶି ଖର୍ଚ୍ଚ ହେଉଛି ,ମାତ୍ର ପଦ୍ମ ବଣ ସଫା ହେଉଛି ନା ଅଳିଆ ଆବର୍ଜନା ସଫା ହେଉଛି । ଜଳାଶୟଟି ନିର୍ମାଣ ହେବା ଦିନ ଠାରୁ ପଙ୍କ କାଦୁଅ ମଧ୍ୟ ବାହାର କରାଯାଇନାହିଁ ।
ଦାବି ଗୁଡିକ ମଧ୍ୟରେ ଜଳାଶୟ ଭିତରେ ଥିବା ଅଳିଆ ଆବର୍ଜନା ସହିତ ପଙ୍କ ବାହାର କରାଯିବା, ଚତୁର୍ପାଶ୍ୱରେ ଥିବା ଅନା ବନା ଗଛ ଗୁଡିକୁ କଟାଯାଇ ଛାୟା ପ୍ରଦାନ କରୁଥିବା ଉତ୍ତମ ଜାତୀୟ ଗଛ ଲଗାଯିବା, ଜଳର ସୁରକ୍ଷା ପାଇଁ ଚତୁର୍ପାଶ୍ୱ ଭିତର ପାଖରେ ଏକ ସ୍ଥାୟୀ କଂକ୍ରିଟ ପ୍ରାଚୀର ସହିତ ୧୨ ଫୁଟ ଉଚ୍ଚ ବିଶିଷ୍ଟ ଆଲୁମିନିଅମ ଜାଲି ଲଗାଇବା, ସର୍ବସାଧାରଣଙ୍କ ସନ୍ଧ୍ୟା ସକାଳ ପରିଭ୍ରମଣ ପାଇଁ ୧୦ ଫୁଟ ଓସାର ବିଶିଷ୍ଟ ଚଲା ପଥ ସହିତ ବେଞ୍ଚ ନିର୍ମାଣ ଏବଂ ଭାଗିରଥି ସାଗରର ଯେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହେଉ ବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯିବା ପୂର୍ବରୁ ସୁରକ୍ଷା ସମିତିକୁ ଅବଗତ କରାଇବା ଆଦି ପାଞ୍ଚ ଦଫା ଦାବି ଥିଲା ।
ସଭାପତି ପଙ୍କଜ ନାୟକ, ସମ୍ପାଦକ ଅଶୋକ ସ୍ୱାଇଁ, ଉପସଭାପତି ମନ୍ମଥ ରାଓ ଏବଂ ଉଦୟନାଥ ବେହେରା ସ୍ମାରକ ପତ୍ର ପ୍ରଦାନ କରିଥିବା ବେଳେ ଦୀନବନ୍ଧୁ ସେନାପତି, ବିମଳ ଶର୍ମା, ବ୍ରଜମୋହନ ସାହୁ, ଶ୍ରୀପ୍ରକାଶ ଶରଣ, ଭରତ ଦାସ, ମନୋଜ ଦାସ, ପ୍ରହଲ୍ଲାଦ ସ୍ୱାଇଁ, ମନୋଜ ପଟ୍ଟନାୟକ, ଆଇନଜୀବୀ ବିକ୍ରମ ପ୍ରକାଶ ଜେନା, ଜିତେନ୍ଦ୍ର ରଥ, ଯୁଗଳ କିଶୋର ପ୍ରଧାନ, ଜୟକାନ୍ତ ଦାସ, ଅସିତ ରାଉତ, ନିଗମାନନ୍ଦ ମିଶ୍ର, ଭକ୍ତିଶ୍ରୀ ସାହୁ, ସାଗୀର ମହମ୍ମଦ ପ୍ରମୁଖ ଶତାଧିକ ଅଂଚଳ ବାସୀ ସ୍ଵାକ୍ଷର କରିଥିଲେ ।