News
WhatsApp Image 2023-10-04 at 17.25.00
samparksetu

ସ୍ମୃତି ଓ ବିସ୍ମୃତିରେ ୨୦୨୨

ଦି ହଜାର ବାଇଶି ବର୍ତ୍ତମାନ ଗଣି ହେଉଥିବା କିଛି ଘଣ୍ଟାର ଅତିଥି । ନୂଆଁ ବର୍ଷର ମହୋତ୍ସବ ସହ ପ୍ରଥମ ସ୍ୱାଗତ କରିବ ଅଷ୍ଟ୍ରେଲିଆରେ କିରିଟିମାଟି ଦ୍ୱୀପରେ ବର୍ଣ୍ଣାଢ୍ୟ ଉତ୍ସବ ସହକାରେ । ସକାଳେ ନୂତନ ଅରୁଣଙ୍କ ଆଭାରେ ଶାମ୍ବଦଶମୀ ସହ ଆମେ ହସ୍ତାକ୍ଷର ସ୍ଥାନରେ ତେଇଶି ଲେଖିବା । ଯଦିଓ ଅନେକ ବଣଭୋଜୀ ରଦ୍ଦ ହେବ, କିନ୍ତୁ ବଢିଯିବ କିଛି କୁକୁଡ଼ା ଆଉ ଛେଳିଙ୍କ ଆୟୁଷ । ପ୍ରଥମ ଥର ଏହିଭଳି ମଣିକାଞ୍ଚନ ସଂଯୋଗ ହେଉଅଛି, ଯେଉଁଥିରେ ଆମେ ସ୍ୱାଗତ କରିବା ଏମିତି ଏକ ବର୍ଷ, ଯାହାକୁ ନିଜର ନବ ବର୍ଷ ମାନିବାକୁ ଅନେକେ ନାରାଜ କିନ୍ତୁ ଭାଇଚାରା ର ବାର୍ତ୍ତାଦେଇ ଅନେକଙ୍କୁ ଏକତାର ସୂତ୍ରରେ ପୂଜାପାର୍ବଣର ଛାଟରେ ତଥା ଆଧ୍ୟାତ୍ମିକତାର ମୋହରେ ଇଶ୍ୱର ଭକ୍ତିରେ ବାନ୍ଧିଦେବ , ୨୦୨୩ ର ନୂତନ ପ୍ରଭାତ । ଇତିହାସର ପୁନର୍ଲିଖନରୁ ଆମେ ପାଉ ପ୍ରେରଣା ନୂଆ କିଛି ନିଆରା କରିବାର । ସ୍ମୃତି ବହୁଳ ତଥା ଘଟଣା ବହୁଳ ୨୦୨୨ ର କିଛି ସ୍ମୃତି ରୋମାନ୍ଥନ କରିବା ତଥା ନୂତନ ବର୍ଷର ଶପଥ କଣ ରହିବା ଦରକାର ତାକୁ ନେଇ ଆଜିର ଆଲେଖ୍ୟ ।

ବିଗତ ବର୍ଷ ସବୁଠୁ ଶ୍ରେଷ୍ଠ ପଦକ୍ଷେପ ନିଆଯାଇଥିଲା ନାରୀ ଶସକ୍ତିକରଣ ଅନ୍ତରାଳ । କାଳ କାଳ ଧରି ଚାଲି ଆସୁଥିବା ଘୃଣ୍ୟ ପରମ୍ପରା ଗୁଡି଼କ ବନ୍ଦ ହେବା ସହ ଏକ ନୂତନ ମାର୍ଗର ଅୟମାରମ୍ଭ ହୋଇଥିଲା । ସେୟା ଟୁ ଫିଙ୍ଗର୍ ଟେଷ୍ଟ ବ୍ୟାନ ହେଉ ଅଥବା ଅବିବାହିତାଙ୍କୁ ଗର୍ଭପାତ ନିମନ୍ତେ ଅନୁମତି । ଅନେକ ସ୍ଥାନରେ ଦୂଆରେ ବସିବା ରାଜନୀତି ଜୋର୍ ଧରିଥିବା ସ୍ଥଳେ ଅନେକ ସ୍ଥାନରେ ପେଟେଣ୍ଟ ମେଡି଼ସିନ୍ ମଧ୍ୟ ଦେଖାଦେଇଥିଲା, ସେୟା ପୁଣି ବିଚ୍ ରାସ୍ତାରେ, ସର୍ବସାଧାରଣ ସ୍ଥାନ ମାନଙ୍କରେ । ସେହିଭଳି ଶିଶୁମାନଙ୍କ ଯୌନଦ୍ଦୀପକ ଦୃଶ୍ୟଚିତ୍ର ସବୁ ହଟାଇବା ନିମନ୍ତେ ଅପରେସନ ମେଘଚକ୍ର ହୋଇଥିବା ସ୍ଥଳେ, ମି ଠୁ ର ଲହର ବି କିଛି ମାତ୍ରା ରେ ଦେଖାଦେଇଥିଲା । ବିନା ସୁଦ୍ଧରେ ବିକାଶ ନିମନ୍ତେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ସହାୟତାର ଓସାରିଆ ରାସ୍ତା ପ୍ରଦାନ କରେଇଥିବା ସ୍ଥଳେ, କିଛି ରାଜନେତ୍ରୀଙ୍କ ଭାଗରୁ ବଳକା ଉତ୍ପାତ ମଧ୍ୟ ଦେଖିବାକୁ ମିଳିଥିଲା ବର୍ଷ ୨୦୨୨ ରେ ।

ସିନେମାରେ ପ୍ରଦତ୍ତ ରାଜନୈତିକ ଦୂରଭିସନ୍ଧୀ ମାନ ଓଡି଼ଶାର ପଦମପୁର ଉପନିର୍ବାଚନରେ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କ ଦ୍ରବ୍ୟ ଓ ସେବାକର ଛାଟ ବସିଥିବା ସ୍ଥଳେ ରାଜ୍ୟ ସରକାର ଆୟକର ର ଲୋଳା ବସେଇ ନିଜର ଅଭିଳାସା ମେଣ୍ଟାଇଥିଲେ । ଆନ୍ଦୋଳନ ମାଧ୍ୟମରେ ଯେ ଇପସିତ ଦ୍ରବ୍ୟ ହାସଲ କରିହେବ, ସେୟା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଲୋଏର୍ ପିଏମଜି ଘେରାଉରୁ ସ୍ପଷ୍ଟ ବାରି ହେଇପଡି଼ଲା ।

ସଫଳତା ପଛରେ ସୁନ୍ଦର ଶରୀର ଯେ ଏକମାତ୍ର ଆବଶ୍ୟକତା ଏହି ସିଦ୍ଧାନ୍ତକୁ ପାଥେୟ କରି ଅନେକ ସୁନ୍ଦର ଯୁବାଙ୍କ ଜୀବନ ଚାଲିଯାଇଅଛି ଏହି ବର୍ଷ ଦି ହଜାର ବାଇଶିରେ । ପରିଶ୍ରମ ତ ନିତାନ୍ତ ଅବଶ୍ୟକ କିନ୍ତୁ ସମାନୁପାତରେ ସେୟା ସହ ଆବଶ୍ୟକ ଉପଯୁକ୍ତ ବିଶ୍ରାମ, ଏୟା ଶିଖେଇ ଦେଇଅଛି ଏହି ସଂବତ୍ସର । ପୁନଶ୍ଚ କେନ୍ଦ୍ର ଲୋକସଭା ଆୟୋଗକୁ ଅନୁସରଣ କରି ଓଡି଼ଶା ଲୋକସେବା ଆୟୋଗ ପରୀକ୍ଷା ପଦ୍ଧତିରେ ସଂସ୍କାର କରି, ରାଜ୍ୟର ମାତୃଭାଷାରେ ପ୍ରଶ୍ନପତ୍ର ଛାପିନା ଏକ ମାଇଲ ସ୍ତମ୍ଭ କହିଲେ, ଅତ୍ୟୁକ୍ତି ହେବ ନାହିଁ । ଅମୃତ ମହୋତ୍ସବରେ ଇଂଲଣ୍ତ ଅର୍ଥନୀତି ବିଜୟ ତଥା ଭାରତୀୟ ବଂଶୋଦ୍ଧବ ନାଟକୀୟ ଢଙ୍ଗୀରେ ନିଜର ଜନପ୍ରିୟତା ସହକାରେ ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ ହେବା, ନିହାତି ପ୍ରଶଂସନୀୟ କାର୍ଯ୍ୟ । ଅଗ୍ନିପଥ ମାଧ୍ୟମରେ ସେନାବାହିନୀରେ ସତତ ନୂତନ ଯୁବାଙ୍କୁ ମହଜୁଦ ରଖିବା ଯାହାଙ୍କ ଉଷୁମ ରକ୍ତରେ ଦେଶର ସୁରକ୍ଷା ବ୍ୟବସ୍ଥା ସୁରକ୍ଷିତ ରଖାଯିବ, ସେହିଭଳି ଏକ ପ୍ରଶାସନିକ ସଂସ୍କାର ହେଇଅଛି ଏହି ବିଦାୟୀ ବର୍ଷରେ । ଯଦିଓ କିଛି ଅଗ୍ନୀ ଏଥିପାଇଁ ମଧ୍ୟ ଜଳିଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ । ଏହା ଫଳରେ କେବଳଯେ ସେନାବାହିନୀ ସଶକ୍ତ ହେଲା ସେୟ ନୁହଁ, ଅବସର ପରେ ଦେଶର ଅନ୍ୟ ବିଭାଗ ମାନମଧ୍ୟ ଉପଯୁକ୍ତ ତାଲିମପ୍ରାପ୍ତ ହାତରେ ସମୃଦ୍ଧ ଆଡ଼କୁ ଅଗ୍ରସର କରିବ ।

ଋଷ ଓ ୟୁକ୍ରେନ୍ ଯୁଦ୍ଧ ଏହି ବର୍ଷର ସବୁଠୁ ଦୁଃଖଦ ଖବର କହିଲେ ଅତ୍ୟୁକ୍ତି ହେବ ନାହିଁ । କିଛି ରାଜନେତାଙ୍କ ଗର୍ବ ପାଇଁ ସଂପୃକ୍ତ ଦେଶମାନଙ୍କର ଜନସାଧାରଣ ଅନେକ କଷ୍ଟ ପାଇଥିବା ସ୍ଥଳେ, ବିଶ୍ୱବାସୀ ଭୋଗିଅଛନ୍ତି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି । ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇଦେଶର ସମ୍ପର୍କରେ ଅନେକ ସଂସ୍କାର ଆଣିଥିବା ସ୍ଥଳେ ଶ୍ରୀଲଙ୍କାରେ ଦୁରାବସ୍ଥା ଅନେକଙ୍କୁ ଭୁକୁଞ୍ଚନ କରେଇଦେଇଅଛି । ଋଷ ଓ ଫରାସୀ ବିପ୍ଲବ ପରେ ବୋଧହୁଏ କୌଣସି ସମୟରେ ଏହିଭଳି ଲଜ୍ଜିତ ଘଟଣା ଅନୁଭବ ହୋଇଥିଲା । ଦରବୃଦ୍ଧିରେ ଅତିଷ୍ଠ ଶ୍ରୀଲଙ୍କାର ଲୋକେ, ରାଷ୍ଟ୍ରପତି ଭବନକୁ ଧସେଇପସି ନିଜର ଭୋକ ମେଣ୍ଟାଇବା ସହ ଅନେକ ଦିନର ଦୁର୍ବଳ ଶାସନକୁ ସଫଳ ପ୍ରତିହତ କରିଥିଲେ । ମାଗଣା ବଣ୍ଟନ ଦେଶକୁ କିଭଳି ରସାତଳଗାମୀ କରାଇଦିଏ ସେୟା ଶିକ୍ଷା ଦେଇଅଛି ବର୍ଷ ଦିହଜାର ବାଇଶି । ଯଦିଓ ଭାରତୀୟ ସୁପ୍ରିମ୍ କୋର୍ଟ ଏଥି ନିମନ୍ତେ ରାଜ୍ୟ ମାନଙ୍କୁ ତାଗିଦ କରିବା ସହ ଆଟର୍ଣ୍ଣି ଜେନେରାଲଙ୍କୁ ସ୍ପଷ୍ଟିକରଣ ମାଗିଅଛି, କିନ୍ତୁ ସେଥିରେ କିଛି ଆଖିଦୃଶିଆ ପ୍ରଭାବ ସେତେଟା ନଥିବା ପରି ମନେହେଲା । ଋଷ୍ କୁ ଏକଘରିଆ କରିବା ନିମନ୍ତେ ବର୍ଷର ଶେଷ ମାସ ଗୁଡି଼କରେ ଅନେକ ବିଫଳ ପ୍ରୟାସ ମଧ୍ୟ ଦେଖିବାକୁ ମିଳିଥିବା ଆନ୍ତର୍ଜାତୀୟ ସ୍ତର ରେ ।

ରେଗିଂ ଜନିତ ହତ୍ୟା, ଆତ୍ମ ହତ୍ୟା , ବିଫଳ ପ୍ରେମରେ ଆତ୍ମ ହତ୍ୟା ତଥା ହତ୍ୟା, ଶିଶୁଙ୍କୁ ହତ୍ୟା, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ଆଦି ଅନେକ ଲୋମଟାଙ୍କୁରା ଦୃଶ୍ୟ ସବୁ ଦେଖେଇଅଛି ବିଗତ ବର୍ଷ । ସିନ୍ଧେଙ୍କ ମହାରାଷ୍ଟ୍ର ସଂଗ୍ରାମ କୌଣସି ସିନେମା ପ୍ରଦତ୍ତ ଦୃଶ୍ୟଠାରୁ କୌଣସି ଗୁଣରେ କମ ନଥିବା । ଦଳବଦଳ ରାଜନୀତି ବା ଘୋଡ଼ାବେପାର କୁ ପାଥେୟ କରି ପନ୍ଦର ଦିନରେ ଭାରତୀୟ ବ୍ୟବସାୟିକ ରାଜଧାନୀରେ ସରକାର ପରିବର୍ତ୍ତନ ନିହାତି ଭାବେ ଚିନ୍ତନର ବିଷୟ । ପୁଣି ଜଣେ ଅଟୋ ଡ୍ରାଇଭର ରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ସତରେ ପ୍ରମାଣିତ କରିଅଛି ଅଧ୍ୟବସାୟର ମାଧୁର୍ଯ୍ୟକୁ । ପୁନଶ୍ଚ ପଶ୍ଚିମବଙ୍ଗରେ ବିଶ୍ବବିଦ୍ଯାଳୟ ମାନଙ୍କର କୁଳାଧିପତି ପଦବୀ ରାଜ୍ୟପାଳଙ୍କ ହାତରୁ ଛଡ଼େଇ ମୁଖ୍ୟମନ୍ତ୍ରୀଙ୍କ ହାତରେ ନ୍ୟସ୍ତ କରି ମମତା ବାନାର୍ଜୀ ଦେଖେଇଅଛନ୍ତି ନିଜର ଉଦ୍ଧତ ପଣିଆ । ରସଗୋଲାକୁ ଜି.ଆଇ ଟ୍ୟାଗିଂ ମାନ୍ୟତା ଯଦିଓ ବର୍ଷ ଦିହଜାର ଉଣେଇଶିରୁ ମିଳିଅଛି, କିନ୍ତୁ ଜାତୀୟ ମଞ୍ଚରେ ଓଡି଼ଶାର ସ୍ଥିତିପ୍ରଜ୍ଞା ଦାଶ “ଜୟ ଜଗନ୍ନାଥ, ରସଗୋଲା ଆମର” କହି ଓଡି଼ଆଙ୍କ ଆତ୍ମବିଶ୍ୱାସକୁ ଅନେକ ଗୁଣରେ ବଢେଇ ଦେଇଥିଲେ । ପୁନଶ୍ଚ ରାଜ୍ୟ ସରକାରଙ୍କ ପ୍ରୟାସରେ ହକି ବିଶ୍ୱକପ ଆୟୋଜନ କରାଯାଇ ଆଗ୍ରହ କମିଯାଇଥିବା ଏହି ଖେଳପ୍ରତି ଅନେକ ଦ୍ରଷ୍ଟି ଫେରାଇ ଅଣାଯାଇ ପାରିଥିଲା ।

ପୁନଶ୍ଚ ସ୍ୱାଧୀନୋତ୍ତର ଭାରତରେ ଗରିବ ତଥା ଅଦିବାସୀଙ୍କ ଆକାଶ ଛୁଇଁବା ସ୍ୱପ୍ନବି ସତ ହେଇଅଛି, ଭାରତୀୟ ରାଷ୍ଟ୍ରପତି ନିର୍ବାଚନରେ । ବିଜୟ ଲାଭ କରି ଓଡି଼ଶାର ସାନ୍ତାଳୀ ଆଦିବାସୀ ସମ୍ପଦାୟର ପୁଟୁ ଟୁଡୁ ବା ଦ୍ରୌପଦୀ ମୁର୍ମୁ ଏହି ତଥାକଥିତ ଅବହେଳିତ ବର୍ଗର ବିଶ୍ୱାସର ମାନସ କନ୍ୟା ହେଇ ଇତିହାସରେ ନିଜର ନାମକୁ ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ କରେଇଅଛନ୍ତି ।

ନୂଆଁ ବର୍ଷରେ ଅନେକ ନ୍ୟୁ ଇୟର ରିଜଲ୍ୟୁସନ ନିଅନ୍ତି । ତେବେ ଆସନ୍ତୁ ମାନବ ଜାତିର ବିକାଶ ପାଇଁ କିଛି ପଦକ୍ଷେପ ନେବା ।

ଯେଉଁସମୟ ବ୍ୟତୀତ ହେଇଯାଇଅଛି, ସେହି ବିଷୟରେ ଅଯଥାରେ ଭାବି ଶୋକ ବଢେଇବା ଅନୁଚିତ । ଯଦି କେହି ଅତୀତରେ ଆପଣଙ୍କୁ କୌଣସି ସମୟରେ ବହୁତ କଷ୍ଟ ଦେଇଅଛନ୍ତି, ତାଙ୍କ ପ୍ରତି ପ୍ରତିହିଂସା ପରାୟଣ ହେଲେ ନିଜକୁ ହିଁ କଷ୍ଟଦେବା ସାର ହୁଏ । ଯେଉଁଭଳି ଜାଳେଣୀ ଅଗ୍ନି ନିମନ୍ତେ ଜଳେ, ସେହିଭଳି ଆମେ ପ୍ରତିହିଂସା ନିମନ୍ତେ ନିଜକୁ ପ୍ରସ୍ତୁତ କରେଇଲେ ଆମ ମୁଖରୁ ହସ ଲିଭିଯିବା ସହ ପ୍ରତିଦିନ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଶଡ଼ଯନ୍ତ୍ର କରିବାକୁ ମନକହେ, ଯାହାଫଳରେ ବର୍ତ୍ତମାନର କମନୀୟ ମୂହୂର୍ତ୍ତ ଆମ ହାତରେ ରହିଅଛି, ସେୟା ଅଯଥାରେ ବିଷମୟ ହେଇଯିବ । ନିଜର ତଥା ପରିଜନଙ୍କ ଖୁସିରେ ସେୟା ବିନିଯୋଗ ନକରି ଆସୁରିକ ସମ୍ମୋହନରେ ନିଜକୁ ବିକ୍ରି କରିବା ସାର ହୁଏ । ଅପମାନ, ନିନ୍ଦା, ଛଳନା, କପଟତା ଯିଏ ଅନ୍ୟ ନିମନ୍ତେ ପ୍ରୟୋଗ କରେ, ସିଏ କେବେବି ଶାନ୍ତିରେ ଶୋଇପାରେ ନାହିଁ ତଥା ଶାନ୍ତମନରେ ଉଷାଦେବୀଙ୍କୁ ସ୍ୱାଗତ କରିପାରେ ନାହିଁ । ମଣିଷ ଜୀବନ ପାଣି ଫୋଟକା ଭଳି, ଆଜି ମରିଗଲେ ଘରଲୋକେ କାଲିକି ଦୁଇଦିନ ପାଳନ କରିବେ, ତେବେ କାହିଁକି ଏହି ସଂକୀର୍ଣ୍ଣ ମନୋଭାବରେ ନିଜର ମନକୁ ଅଶାନ୍ତ କରିବା ? ବିଭୂଦତ୍ତ ଏହି ସୁନ୍ଦର ପୃଥିବୀରେ ଚାଲନ୍ତୁନା କିଛି ହଜିଲା ହସକୁ ଫେରେଇବା ନିମନ୍ତେ ପ୍ରୟାସ କରିବା ।ଆଗାମୀ ପିଢିଙ୍କୁ ଆମ ସମୟର ଅଭାବ ଅସୁବିଧା ମାନଙ୍କଠାରୁ ଯଥା ସମ୍ଭବ ଦୂରେଇ ରଖିବା । ଏକ ମହାନ୍ ଆଦେଶର ବଶବର୍ତ୍ତୀ ହୋଇ ନିଜକୁ ଅତିମାନସ ସ୍ତର ରେ ସୁଶୃଙ୍ଖଳିତ କରିବା । ଆସନ୍ତୁ ନା!

✍ଅରୁଣ କୁମାର ତ୍ରିପାଠୀ

new life
You might also like
error: Content is protected !!