News
WhatsApp Image 2023-10-04 at 17.25.00
samparksetu

ଆସିବାକୁ କହି ଆସିଲ ତ ନାହିଁ

ଆସିବ ଆସିବ କହି
ଗଲ କେଉଁଆଡେ ରହି
ଦିନ ମୋର ବିତେ ତୁମ ପଥ
ଚାହିଁ ଚାହିଁ,
ଇଛା ଯେତେ ଶୋଇଲେଣି
ଆଖି ଦରଜ ହେଲାଣି
ତୁମର ଖୋଜ ଖବର  କିଛି
ତ ନାହିଁ l

କଥା ଦେଇଯାଇ ଥିଲ
ଏସନ ଫଗୁଣେ ଆସି
ମୋ ଗାଁ ଦାଣ୍ଡରେ ଫୁଟାଇ
ବାଣ,
ଚଉଦିଗ ଦୁଲୁକାଇ
କରିବ ତୁମ ଘରଣୀ
ଆମ ପ୍ରେମ ହେବ
ଉଦାହରଣ l

ମଥାରେ ସିନ୍ଦୁର ଦେଇ
ହାତରେ ସଂଖା ପିନ୍ଧେଇ
ମଙ୍ଗଳସୂତ୍ର ବାନ୍ଧି ଦେବ
ଗଳାରେ,
ହୋମ ଅଗ୍ନି ହୁତାଶନେ
ସାକ୍ଷୀ ଦଶପାଳ ଦିଗ
ବଧୂ କରି ନେଇଯିବ ତୁମ
ସାଙ୍ଗରେ l

ତୁମ ଘର ଅର୍ଘ୍ୟ ଥାଳି
ବନ୍ଦାପନେ ହୁଳହୁଳି
ସ୍ଵାଗତରେ ନେଇଯିବେ ତ
ପାଛୋଟି,
ଦେଇପିଣ୍ଡି ଘରେ ତୁମ
ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ
ଵାଢ଼ି ଶୁଭ ମନାସିବି ଯେ
ମୁଁ ନିତି l

ବୃନ୍ଦାବତୀ ମୂଳେ ପାଣି
ଟେକି ସଳିତା ଟେ ଜାଳି
ତୁମ ସୁଖସଂବୃଦ୍ଧି ପାଇଁ
କାମନା କରି,
ଗୁରୁଜନେ ଭକ୍ତି ଭାବ
ଆପଣେଇ ସୁଖ ଦୁଃଖ
ଏକ ସୂତ୍ରେ ସମସ୍ତଙ୍କୁ
ରଖିବି ଧରି l

କେତେ ଖୁସି ଆଙ୍କି ମନେ
ଆଖିରେ ତୋଳିଲ ସ୍ୱପ୍ନ
ମୋଭିତରେ ମୁଁ ଯାହା ହଜିଗଲି
ସିନା
ଅଧା ରହିଗଲା କଥା
ମନେ ଦେଲ ଏତେ ବ୍ୟଥା
ଜୀବନ ଟା ଦହଗଞ୍ଜ ହୁଏ
ତୁମ ବିନା l

ଫେରିବାର ଅପେକ୍ଷାରେ
ଆଜିବି ତୁମ ପ୍ରତୀକ୍ଷା
ସତେ ଆଉଥରେ ସ୍ୱପ୍ନ
ସଜେଇ ଦେବ,
ଇଛା ପୁଣି ଡେଣା ମେଲି
ଶାଖା ପ୍ରଶାଖା ରେ ଝୁଲି
ତୁମ ବାହୁ ବନ୍ଧନ ରେ
ଲାଜେଇ ଯିବ l

✍️ସ୍ମୃତି ସରିତା

new life
You might also like
error: Content is protected !!