News
WhatsApp Image 2023-10-04 at 17.25.00
samparksetu

ମହାନଦୀର ମମତା

ଦେଖ ହେ କେମିତି ନୀରବେ କାନ୍ଦୁଛି
    ଆମ ମହାନଦୀ ମାତା
କଲ୍ଲୋଳିନୀର ନାହିଁ କୋଳାହଳ,
         ସ୍ତବ୍ଧ ଖରସ୍ରୋତା ।
କରୁଣାର ଧାରା ସଦା ପ୍ରବାହିତ
     ଉତ୍କଳ ମହାନଦୀ
ଦେଖିଛ କି କେହି କେଉଁ କାଳ ଠାରୁ
     ବୋହି ଚାଲେ ନିରବଧି ।

ଏ ନଦୀ ମାତାର ଦୁଇ କୂଳେ ସ୍ଥିତ
      ସନ୍ତାନ ସନ୍ତତି
କେତେ ମାୟା କେତେ ମମତା ଜାଣିନ
    ଯୁଗେ ଯୁଗେ ତାଙ୍କ ପ୍ରତି ।
ହରିତ୍ କ୍ଷେତ୍ର ପଶୁପକ୍ଷୀ କୀଟ
ତାହାରି ପରମ ସ୍ନେହେ
ଲକ୍ଷ ଲକ୍ଷ ପିଲାପିଲିଙ୍କୁ
ପାଳୁଅଛି ସସ୍ନେହେ ।

ନଦୀମାତୃକ ଏହି ସଭ୍ୟତା
ଆଜି ଘୋର ସଂକଟେ
ପୁର ଓ ପଲ୍ଲୀ ଗୋଣୁଛି ପ୍ରମାଦ
ହାହାକାର ଚାରିପଟେ ।
ଆସ ସମସ୍ତେ ହୋଇବା ଏକାଠି
ଜନନୀର ଆବହାନେ
ଭୁଲି ଭେଦାଭେଦ ଉଠାଅ ଧ୍ଵଜା
ଆଜି ଏ ସନ୍ଧିକ୍ଷଣେ ।
କେ ଅଛ ହେ ବୀର ଛାଡି ଗୃହ କୋଣ
ଆସ ଭାଙ୍ଗି ନୀରବତା
ହୁଅ ବିଦ୍ରୋହୀ କର ବିଦ୍ରୋହ
ଯଦି ଥାଏ ହୃଦ୍ଯତା ।

କେ ଅଛି ବାନ୍ଧିବ ଚିରସ୍ରୋତାକୁ
ଏ କାହାର କୌଶଳ
କେ ଭିଢିବ ଅଣ୍ଟା ଛିନ୍ନ କରିବ
ମମତାର ଶୃଙ୍ଖଳ ।
ଦିକେ ଦିକେ ବାଜେ ଅଗ୍ନି ବୀଣା
ଶୁଭେ ରଣହୁଙ୍କାର
ମହାନଦୀ ଲାଗି ଜଳି ଉଠିଲାଣି
ସମଗ୍ର ଉତ୍କଳ ।

✍️ଅରୁଣ କୁମାର ମିତ୍ର

new life
You might also like
error: Content is protected !!