ଜୀବନେ ମୋହର କେତେ ଝଡ଼ ଝଞ୍ଜା
ଅତିବାହିତ ହୋଇଛି,
କେଉଁଠି ଥୋଇବି ଅତୀତକୁ ମୋର
ନୀରବେ ବସି ଭାବୁଛି ?
ସତେକି ସମୟ କାଳ ସାଜିଥିଲା
ନିର୍ଦ୍ଦୋଷେ ଦଣ୍ଡିତ କଲା,
କାହିଁକି ଏମିତି ହୋଇଲା ମୋ ସାଥେ
ଭବିଷ୍ୟତ ନଷ୍ଟ ହେଲା ?
ନିର୍ଦ୍ଦୋଷେ ଭୋଗିଲି ରାଜ ମାନଦଣ୍ଡ
କଳଙ୍କ ଲାଗିଲା ନାମେ,
କାହାର କି ଦୋଷ କରିଥିଲି ମୁହିଁ
ଜୀବନ ବିତୁଛି ଭ୍ରମେ ?
କେତେ ସ୍ବପ୍ନ ନେଇ ବଢ଼ୁଥିଲି ମୁହିଁ
ଉଜ୍ବଳ ମୟ ଭବିଷ୍ୟ,
କେଉଁ କର୍ମ ଫଳ ମୋତେ ମିଳିଗଲା
ଉତ୍ତର ହେଲା ରହସ୍ୟ ?
ଯେଉଁ ମାନଙ୍କୁ ମୁଁ ନିଜର ଭାବିଲି
ଘୃଣା ମୋତେ କରୁଥିଲେ,
କାହାକୁ ନେଇ ମୁଁ ଭବିଷ୍ୟ ଗଢ଼ିବି
ଅତୀତରେ ଶତ୍ରୁ ଥିଲେ ?
ଭାବିଥିଲି ଦିନେ ବଡ଼ ହେଲେ ମୁହିଁ
କରିବି କୀର୍ତ୍ତି ଅର୍ଜନ,
କାହାର କୁଦୃଷ୍ଟି ପଡ଼ିଲା ଜୀବନେ
ମିଳିଲା ଦଣ୍ଡ ବିଧାନ ?
ଉଜାଡ଼ି ଦେଇଛି ଭବିଷ୍ୟତ ମୋର
ଅତୀତ ହୋଇଛି ଦାସ,
ସଜାଡ଼ି ସଜାଡ଼ି ଥକି ପଡ଼ିଲିଣି
କାହିଁ କର ଉପହାସ ?
ଭାବେ ଦିନେ ଦିନେ ଜୀବନ ହାରିବି
ସବୁ କିଛି ଛାଡ଼ି ଦେଇ,
କେତେଦିନ ଆଉ ଅତୀତକୁ ନେଇ
ଗୋମୁରି କାନ୍ଦିବି ମୁହିଁ ?
ଅତୀତକୁ ନେଇ ବର୍ତ୍ତମାନ ଗଢ଼ା
ବର୍ତ୍ତମାନେ ଭବିଷ୍ୟତ,
କେଉଁଠି ଥୋଇବି ଅତୀତକୁ ମୋର
ହୋଇଛି ସଦା ଜାଗ୍ରତ ?
✍️ସୁବ୍ରତ ସେଠୀ