News
WhatsApp Image 2023-10-04 at 17.25.00
samparksetu

ହାରମୋନିଅମ୍

“ହାରମୋନିଅମ୍” ସଂଗୀତ ଶିକ୍ଷା କରିବା ପାଇଁ ବଡ ଜରୁରୀ ଯନ୍ତ୍ର ଟିଏ। ସଂଗୀତ ଗୁରୁ ମାନେ ସାଧାରଣତଃ ଏହି ଯନ୍ତ୍ର କୁ ବ୍ୟବହାର କରି ପ୍ରାରମ୍ଭିକ ପର୍ଯ୍ୟାୟ ରେ କଣ୍ଠ ସଂଗୀତ ର ଶିକ୍ଷା ଦିଅନ୍ତି। ହେଲେ ସମସ୍ତଙ୍କ ପକ୍ଷେ ଏହାକୁ କିଣିବା ସମ୍ଭବ ହୁଏ ନାହିଁ।
                 

୨୦୦୮ ମସିହା ର କଥା, ଭଦ୍ରକ ଜିଲ୍ଲା ଅମ୍ବିକା କଲୋନୀ ର ଦୁଇ ପଡୋଶୀ ଙ୍କ କଥା। ବ୍ୟୋମକେଶ ବାବୁ ଆଉ ଜନାର୍ଦ୍ଦନ ବାବୁ ଦୁଇ ପଡୋଶୀ। ବ୍ୟୋମକେଶ ବାବୁ ବ୍ୟାଙ୍କ୍ ରେ ଚାକିରି କରନ୍ତି ଆଉ ଜନାର୍ଦ୍ଦନ ବାବୁ ଙ୍କର ଗୋଟିଏ ଛୋଟ ପାନ ଦୋକାନ। ଜନାର୍ଦ୍ଦନ ବାବୁ ଙ୍କର ଗୋଟିଏ ପୁଅ ତା ନା ଶିବୁ, ବ୍ୟୋମକେଶ ବାବୁ ଙ୍କର ବି ଗୋଟିଏ ପୁଅ, ତା ନା ଚିନୁ। ଦୁଇ ପରିବାର ଗୋଟିଏ ପରିବାର ଭଳିଆ ଚଳନ୍ତି, ସବୁବେଳେ ଯିବା ଆସିବା, ପିଠା ପଣା ଦିଆ ନିଆ। ଦୁଇ ପୁଅ ବି ଦୁଇ ଭାଇ ଭଳିଆ ଚଳନ୍ତି। ଚିନୁ ଷଷ୍ଠ କ୍ଲାସ ରେ ପଢେ ଆଉ ଶିବୁ, ଅଷ୍ଟମ। ଶିବୁ ଛୁଆ ଦିନୁ ବଢିଆ ଗୀତ ଗାଏ, ସେହି ଅଞ୍ଚଳରେ ତାକୁ ସମସ୍ତେ ଜାଣନ୍ତି। ସବୁଦିନ ସନ୍ଧ୍ୟା ରେ ଘରେ ତାର ଭଜନ କୀର୍ତ୍ତନ ଚାଲେ, ଆଖ ପାଖ ଲୋକ ଗଲା ଆସିଲା ବେଳେ ଠିଆ ହେଇ ଶୁଣନ୍ତି ଘର ବାହାରେ। ସେ ଗୋଟିଏ ସ୍କୁଲ କୁ ଯାଇ ସଂଗୀତ ବି ଶିକ୍ଷା କରୁଥିଲା, ଗୁରୁଜୀ ସବୁବେଳେ କୁହନ୍ତି, ପୁଅ ତୁ ଆହୁରି ଭଲ ଗାଇବୁ, ହାରମୋନିଅମ୍ ଟେ କିଣି, ସେଥିରେ ଅଭ୍ୟାସ କର, ସେ ବି ଆସି ଘରେ ଏ ସବୁ ଜଣାଏ , ହେଲେ ବାପା ଙ୍କର ଏତେ ସମ୍ବଳ ନଥାଏ ହାରମୋନିଅମ୍ କିଣିବାକୁ। ସେହି ସମୟରେ ଭଲ ହାରମୋନିଅମ୍ ଟିଏ ୬୦୦୦ କି ୭୦୦୦ ଟଙ୍କା। ଆଉ ଜନାର୍ଦ୍ଦନ ବାବୁ ଙ୍କ ମାସିକ ଆୟ ୩୫୦୦। କୋଉଠୁ ପୁଅ କୁ  ହାରମୋନିଅମ୍ ଦେବେ। ଶିବୁ ମଧ୍ୟ ବୁଝିଯାଇଥିଲା ତା ପକ୍ଷେ ହାରମୋନିଅମ୍ କିଣିବା ସମ୍ଭବ ନୁହେଁ।  ବ୍ୟୋମକେଶ ବାବୁ ବି ତାକୁ ବହୁତ୍ ଭଲ ପାଆନ୍ତି। ବ୍ୟୋମକେଶ ବାବୁ ଆଉ ତାଙ୍କ ସ୍ତ୍ରୀ ଙ୍କ ର ସବୁବେଳେ ଇଚ୍ଛା ଥାଏ ତାଙ୍କ ପୁଅ ଚିନୁ ବି ଏମିତି ଟିକେ ଗୀତ ଗାଅନ୍ତା। ହେଲେ ଚିନୁ ର ନା ସଂଗୀତ ପ୍ରତି ଆଗ୍ରହ ଥାଏ ନା ତାର ପ୍ରତିଭା ଥାଏ। ଦିନେ ବ୍ୟୋମକେଶ ବାବୁ ମନସ୍ଥ କଲେ ପୁଅ କୁ ଶିବୁ ଭଳି ଗୀତ ଶିଖେଇବେ, ସେହି ଗୁରୁଜୀ ଙ୍କୁ ଠିକ୍ କଲେ ଘରକୁ ଆସି ସଂଗୀତ ଶିଖେଇବା ପାଇଁ ଯିଏ ଶିବୁ କୁ ସ୍କୁଲ ରେ ଗୀତ ଶିଖାନ୍ତି।  ଗୁରୁଜୀ ଆସିବା ଆଗରୁ କହିଲେ ଗୋଟେ ହାରମୋନିଅମ୍ ଦରକାର୍ ହବ ସଂଗୀତ ଶିଖିବା ପାଇଁ। ଚିନୁ ବାପା କହିଲେ ହଁ କିଣିଦେବା ଆପଣ ଆସନ୍ତୁ ଘରକୁ। ସେଦିନ ଥାଏ ରବିବାର, ଶିବୁ ଘରେ ପଢୁଥାଏ ହଠାତ୍ ହାରମୋନିଅମ୍ ଶବ୍ଦ ଶୁଭିଲା, ଆଉ ଜଣଙ୍କର ମଧୁର ସ୍ୱର, ଶିବୁ ଜାଣିଦେଲା ତା ଗୁରୁଜୀ କୋଉଠି ଆଖ ପାଖ ରେ ଗାଉଛନ୍ତି। ସେ ସାଙ୍ଗେ ସାଙ୍ଗେ ବହି ପତ୍ର ରଖିଦେଇ ଦୌଡ଼ିଗଲା। ଦେଖିଲା ଚିନୁ ଘରୁ ଆସୁଛି ସେ ଶବ୍ଦ। ଯାଇ କବାଟ ବାଡେଇଲା, ବ୍ୟୋମକେଶ ବାବୁଙ୍କ ସ୍ତ୍ରୀ କବାଟ ଖୋଲିଲେ, ଶିବୁ ପଚାରିଲା, ମାଉସୀ ଆମ ସାର୍ ଆସିଛନ୍ତି କି ତମ ଘରକୁ । ସେ କହିଲେ ହଁ, ତୁ ବି ଆସେ ବସିବୁ ସେଠି। ଶିବୁ ଯାଇ ଗୁରୁଜୀ ଙ୍କ ପାଦ ତଳେ ପଡ଼ିଗଲା, ଗୁରୁଜୀ ବହୁତ୍ ଖୁସୀ ହେଇଗଲେ ଶିବୁ କୁ ଦେଖି, କହିଲେ ତମ ଘର କଣ ଏଇଠି। ଶିବୁ କହିଲା ଆଜ୍ଞା ସାର୍, ଗୁରୁଜୀ କହିଲେ ହଉ ବଢିଆ ହେଲା ତୁ ବି ଏଥର ଆସିବୁ ଭାରି ସବୁ ରବିବାର, ଆଉ ଏଠି ହାରମୋନିଅମ୍ ବି ଅଛି ଫାଙ୍କା ସମୟରେ ଆସି ଅଭ୍ୟାସ କରିଦବୁ ଟିକେ ଟିକେ। ଶିବୁ ପୁରା ଖୁସିରେ ଫାଟି ପଡୁଥାଏ। ସେଠୁ ସଂଗୀତ ଶିକ୍ଷା ଆରମ୍ଭ ହେଲା, ଶିବୁ ଯାହା ଶୁଣୁଥାଏ ସାଙ୍ଗେ ସାଙ୍ଗେ ଗାଇଦଉଥାଏ, ହେଲେ ଚିନୁ ଗାଇପାରୁ ନଥାଏ। ଫାଙ୍କା ସମୟରେ ଶିବୁ ଆସି ଚିନୁ କୁ ଡାକେ ଅଭ୍ୟାସ କରିବାକୁ, ହେଲେ ଚିନୁ ର ଇଚ୍ଛା ନଥାଏ ସେ ମନା କରେ, ଆଉ ଶିବୁ ଅଭ୍ୟାସ କରେ। ବ୍ୟୋମକେଶ ବାବୁ ଆଉ ତାଙ୍କ ସ୍ତ୍ରୀ ଙ୍କୁ ବି ଧୀରେ ଧୀରେ ଏସବୁ ଭଲ ଲାଗିଲାନି। ସେ ପଇସା ଖର୍ଚ୍ଚ କରି ଆଣିଛନ୍ତି ହାରମୋନିଅମ୍ ଆଉ ଏଠି ତାଙ୍କ ପୁଅ ନ ଶିଖି ଏ ପଡିଶା ଘର ଟୋକା ସବୁଦିନ ଚାଲି ଆସୁଛି ସା ରେ ଗା ମା ଗାଇବାକୁ।
                   
ଦିନକର କଥା, ଖରା ଛୁଟି ଆରମ୍ଭ ହେଲା, ବ୍ୟୋମକେଶ ବାବୁ ତାଙ୍କ ସ୍ତ୍ରୀ ଛୁଆ ଙ୍କୁ ଧରି ଗାଁ କୁ ଯିବାକୁ ବାହାରିଲେ। ଶିବୁ ଏ ଖବର ପାଇଗଲା ଚିନୁ ଠାରୁ। ଯାଇକି ତାଙ୍କ ଘରେ ପହଞ୍ଚିଗଲା, କହିଲା, ମାଉସୀ ଆପଣ ତ ଏବେ କେତେଦିନ ରହିବେନି, ମତେ ହାରମୋନିଅମ୍ ଟା ଦେଉନାହାନ୍ତି, ମୁଁ ଘରେ ରଖି ଅଭ୍ୟାସ କରିବି। ସେମାନଙ୍କର ଇଚ୍ଛା ନଥିବା ସତ୍ତ୍ୱେ ବି ସେମାନେ ରାଜି ହେଲେ ଆଉ ତାକୁ ହାରମୋନିଅମ୍ ଦେଲେ। ଶିବୁ ର ମା ବାପା ଙ୍କର ବି ଇଚ୍ଛା ନଥାଏ, କି ତାଙ୍କ ଜିନିଷ ଏମିତି ଆଣିବାକୁ, ହେଲେ ଶିବୁ କୁ କିଏ ବୁଝେଇବ, ତା ମୁଣ୍ଡରେ ତ ଗୀତ ଗାଇବା ଭୂତ ପଶିଚି। ଖରା ଛୁଟି ରେ ମନ ଭରି ଅଭ୍ୟାସ କଲା ଶିବୁ, ଖରା ଛୁଟି ସରିଗଲା, ଚିନୁ ଘର ଫେରିଲେ। ହେଲେ ଶିବୁ କଣ ଭାବିଲା କେଜାଣି, ଆଉ ନିଜ ଆଡୁ ଯାଇ ହାରମୋନିୟମ ଫେରାଉନାହିଁ। ତା ମା ବି ତାକୁ ବୁଝେଇ କହିଲେ, ଯା ତାଙ୍କ ବାଜା ଫେରେଇ ଦେ। ଶିବୁ କହିଲା,  କ୍ଲାସ୍ ଆରମ୍ଭ ହେଲେ ମୁଁ ନିଜେ ନେଇଯିବି, ଏବେ ନେଲେ ସେମାନେ ୟାକୁ ଗୋଟେ କଣରେ ପକେଇ ରଖିବେ, ଖାଲି ଅଳନ୍ଧୁ ଲାଗିବ ଏଥିରେ। ଏଠି ମୁଁ ଟିକେ ହେଲେ ଅଭ୍ୟାସ କରୁଛି। ଦୁଇ, ଚାରି ଦିନ ପରେ ଶିବୁ ନିଜେ ହାରମୋନିଅମ୍ ନେଇକି ତାଙ୍କ ଘରକୁ ଗଲା। ଚିନୁ ବାପା ସେଠି ବସି ପେପର ପଢୁଥାନ୍ତି, ଚିନୁ ମା ଶାଗ ବାଛୁ ଥାନ୍ତି, ଶିବୁ କହିଲା, ମାଉସୀ କୋଉଠି ରଖିବି ହାରମୋନିଅମ୍ ଟା। ଚିନୁ ମା ରାଗି ଯାଇ କହିଲେ, ଆରେ କେଡେ ବେଗି ଆଣିଦେଲୁ ତ!! ଆଉ ଦୁଇ ଚାରିଦିନ ରଖିଲୁନି। ଶିବୁ କହିଲା ମାଉସୀ ଭୁଲ୍ ହେଇଯାଇଛି, ମୋର ମନେ ନଥିଲା ଆଣିବାକୁ। ଚିନୁ ମା ରାଗିଯାଇ କହିଲେ, ତୋର ଠିକ୍ ମନେ ଥିଲା, ଆଉ କାହା ଘରୁ କିଛି ଜିନିଷ ନେଲେ ତାକୁ ଠିକ୍ ସମୟ ରେ ଫେରା ହୁଏ, ଏତିକି ତମ ଘରେ ଶିଖେଇ ନାହାନ୍ତି। ଶିବୁ କାନ୍ଦି କାନ୍ଦି ଘରକୁ ଆସିଲା ଭାରି ଘରେ ସବୁ କହିଲା। ତା ବାପା ମା ତାକୁ ପାଟି କଲେ। ବହୁତ୍ ରାଗିଲେ, ଆଉ କହିଲେ ଆମର ଯାହା ଅଛି ସେତିକି ରେ ଯେତିକି ହବ କର, ଆଉ କାହା ଘରକୁ ଯାଆନି ଶିଖିବାକୁ ସେଇ ସ୍କୁଲ ରେ ଶିଖି। ବ୍ୟୋମକେଶ ବାବୁ ବି କିଛି ଦିନ ପରେ ଅନ୍ୟ ଆଡ଼େ ନୂଆ ଘର କରି ଗଲେ ଭାରି।
                   
ସମୟ ବଦଳିଲା ଶିବୁ ସଂଗୀତ ଶିଖି ନିଜେ ଗୁରୁଟିଏ ହେଲା, ବହୁତ୍ ଦିନ ପରେ ଶିବୁ ର ଭେଟ ହେଲା ବ୍ୟୋମକେଶ ବାବୁ ଆଉ ତାଙ୍କ ସ୍ତ୍ରୀ ଙ୍କ ସାଙ୍ଗେ। ଶିବୁ ସେମାନଙ୍କୁ ପ୍ରଣାମ କଲା, ସେମାନେ କହିଲେ ପୁଅ ତୋର ବହୁତ୍ ନାଆ ହେଲାଣି ଭାରି ଖୁସି ଲାଗେ ତୋ କଥା ଶୁଣିଲେ।  କଥା ମଝିରେ ସେମାନେ କହିଲେ, ଶିବୁ, ଚିନୁ ତ ଏବେ ବାହାରେ ପଢୁଛି ଇଞ୍ଜିନିୟରିଂ, ହାରମୋନିଅମ୍ ଟା ଘରେ ଧୂଳି ହଉଚି, ତୁ ସେଟା ଆସି ନେଇଯା, କାହାର ଦରକାର ହେଲେ ବିକ୍ରି କରିଦେବା।
         
ସତରେ ଯାହାକୁ ସହଜରେ କିଛି ମିଳିଯାଏ, ସେ ତାର ମୂଲ୍ୟ ବୁଝେନାହିଁ। ଆଉ ଯିଏ ମୂଲ୍ୟ ବୁଝେ ତାକୁ ସହଜରେ ସେ ଜିନିଷ ମିଳେନାହିଁ।
                  

✍️ଅତୁଲ ତ୍ରିପାଠୀ

new life
You might also like
error: Content is protected !!