News
WhatsApp Image 2023-10-04 at 17.25.00
samparksetu

ବିଷାକ୍ତ ମନ

ମନ ମଧୁର କଥା ଶୁଣିବା  ଉଚିତ ଓ ମଧୁର ସ୍ମୃତି  କୁ ମନେ ପକାଇଲେ ତାହା ଶିକ୍ଷଣୀୟ ହୋଇଥାଏ। ମନ ମଧୁର କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବା କଥା। ଅପରିଷ୍କାର କଥା ଓ ଭାବନା ମନ ଓ ହୃଦୟ କୁ କଳୁଷିତ କରିଥାଏ। ମନ ଟି ସେହି ଅନୁସାରେ ପରିଚାଳିତ ହେଵାଫଳରେ ପରବର୍ତ୍ତୀ କାର୍ଯ୍ୟ ସୁଖ ପ୍ରଦ ନହୋଇ ସମାଜ ର କ୍ଷତି ସାଧନ କରିଥାଏ। ବ୍ୟକ୍ତି ଟି ସମାଜ ରେ ନିନ୍ଦିତ ହୋଇଥାଏ।

ବେଳେବେଳେ ବ୍ୟକ୍ତି ଟି ଯାହା ନୁହେଁ ତାଠାରୁ ଅଧିକ ବୋଲି  ସମାଜ ରେ ନିଜକୁ ପ୍ରତିପାଦିତ କରିଥାଏ। ଏହି ପ୍ରବଞ୍ଚନା ର ଖୋଳ ପିନ୍ଧି ନିଜେ ନିଜକୁ ଠକିଥାଏ ଓ ଅନ୍ୟ କୁ ଠକିବାକୁ ଚେଷ୍ଟା କରିଥାଏ। ମିଛ କଥା ଗ୍ରହଣୀୟ ହେଉଥିବାରୁ ଏମାନଙ୍କର ଆନନ୍ଦ କହିଲେ ନ ସରେ।  ନିଜର ଏହି ପାରିଵାରପଣିଆ କୁ ଦେଖି ଖୁସି ହୋଇଥାନ୍ତି ଓ ଏଥିରେ ସେମାନଙ୍କୁ ଆତ୍ମସନ୍ତୋଷ ମିଳିଥାଏ। କିନ୍ତୁ ସେମାନଙ୍କ ଭିତରେ ସର୍ବଦା ଧରା ପଡିବାର ଭୟ ରହିଥାଏ। କାରଣ ସେମାନେ ଭଲ ଭାବରେ ଜାଣନ୍ତି ଯେ ମିଛ ର ରାଜୁତି ଖୁବ କମ ସମୟ।  ଯଦି ଜଣା ପଡ଼ିଯାଏ ତେବେ ପରବର୍ତ୍ତୀ ଅବସ୍ଥା କଣ ହେବ ? ଇଜ୍ଜତ ଚାଲିଯିବା ର ଭୟ ଏତେ ଅଧିକ ହୋଇଯାଏ ଯେ ଆପେଆପେ ନିଜର ମିଛ ଜାଲ ରେ ଧରା ପଡ଼ିଥାନ୍ତି। ତା ପର ଅବସ୍ଥା ସ୍ପଷ୍ଟ ଅନୁମେୟ।‌

ଯାହା  ପ୍ରାପ୍ତ ହୋଇଥାଏ ସେଥିରେ କିଛି ଲୋକ ଖୁସି ହୋଇପାରନ୍ତି ନାହିଁ। ଅଧିକ ପାଇବା ଆଶାରେ ବେଳେବେଳେ ସେମାନଙ୍କ ମନରେ ଦୁର୍ଭାଵନା ଆସିଥାଏ। ଫଳରେ ଖରାପ ରାସ୍ତାରେ ଚାଲିଯାଇ ସମାଜ ର ଅହିତ ସାଧନ କରିଥାନ୍ତି।
ପଡୋଶୀ ଯଦି  ଅଧିକ ଭଲରେ ଚଳୁଥାଏ  ତେବେ କିଛି ବ୍ୟକ୍ତି ସହି ପାରନ୍ତି ନାହିଁ। ଯଦି ପଡୋଶୀଙ୍କର କିଛି ଅସୁବିଧା ହୁଏ ତେଵେ ସେହି ଅସୂୟା ଭାବ ଥିବା ବ୍ୟକ୍ତିମାନେ ଖୁସି ହୋଇ ” ଠିକ ହୋଇଛି, ପାନେ ପାଇଲା” ଇତ୍ୟାଦି କହି କୁତ୍ସାରଟନା କରିଥାନ୍ତି।

କାର୍ଯ୍ୟକ୍ଷେତ୍ରରେ କିଛି ବ୍ୟକ୍ତିଙ୍କର କାର୍ଯ୍ୟକଳାପ ଠିକ ନଥାଏ।  ଉପରିସ୍ଥ କର୍ମଚାରୀ ଙ୍କୁ ଅନ୍ୟମାନଙ୍କ ବିରୁଦ୍ଧରେ ଖଚ ମିଛ ଯୋଡିଵା ଏମାନଙ୍କର ଅଭ୍ୟାସ। ଫଳରେ କାମ କରୁଥିବା କର୍ମଚାରୀଙ୍କ ର ମନ ଭାଙ୍ଗିଯାଏ ଓ କାମ କରିବା ସ୍ପୃହା କମିଯାଏ।

ମିଳିତ ପରିବାର ରେ ସମସ୍ତ ସଦସ୍ୟ ମାନଙ୍କ ମଧ୍ୟ ରେ ବିଷ ମଞ୍ଜି ବୁଣି ଥାନ୍ତି ଏହିପରି ବ୍ୟକ୍ତି। ଏମାନଙ୍କର ଚାଟୁ କଥା ରେ ସମସ୍ତେ ଫସିଯାଆନ୍ତି। ନିଜର ସ୍ବାର୍ଥ ସାଧନ ସକାଶେ ଏମାନେ ପରିବାରରେ ଅଶାନ୍ତି ସୃଷ୍ଟି କରିଥାନ୍ତି। ଏହିପରି ଭ୍ରଷ୍ଟ ମାନେ ଘରୁ ତଡ଼ା ଖାଇଥାନ୍ତି ଯେତେବେଳେ ଏମାନଙ୍କର ଚରିତ୍ର  ବିଷୟରେ ସମସ୍ତେ ଜାଣିଯାଆନ୍ତି।

କୋୖଣସି ସାମାଜିକ ଉତ୍ସବ ରେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି ଏହିପରି ନକରାତ୍ମକ ବ୍ୟକ୍ତିମାନେ। ଏମାନେ ଚେଷ୍ଟା କରିଥାନ୍ତି ଉତ୍ସବ କୁ ନିଜର ନିୟନ୍ତ୍ରଣ ରେ ରଖିବା ପାଇଁ। ଖର୍ଚ୍ଚ କୁ ଏପଟ ସେପଟ କରି ନିଜ ପକେଟ କୁ ଉଚ୍ଚା କରିବା ଏମାନଙ୍କର ଲକ୍ଷ୍ୟ। ଯଦି ସମ୍ଭବ ନହୁଏ ତେବେ କାର୍ଯ୍ୟକ୍ରମ କୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି। ସମାଜର ମନ ଭାଙ୍ଗିଯାଏ। ସାମୁହିକ ହିତ ସାଧନ ହୁଏନାହିଁ।

ଭଙ୍ଗା ମନ ଓ ବିଷାକ୍ତ ହୃଦୟ ଥିବା ବ୍ୟକ୍ତିମାନେ ସମାଜ ରେ ଗୁନ୍ଥି ହୋଇ ରହିଛନ୍ତି। ଏମାନେ ସର୍ବଦା ସ୍ବାର୍ଥ ଜଡ଼ିତ। ଏମାନଙ୍କ ପ୍ରତି ସାବଧାନ ରହିବା ଉଚିତ। ଏମାନଙ୍କ କାର୍ଯ୍ୟକଳାପରେ ଉତକ୍ଷିପ୍ତ ହେବା ଉଚିତ ନୁହେଁ। ଧୈର୍ଯ୍ୟର ସହିତ ସମ୍ମୁଖୀନ ହେବା ଉଚିତ।ଅହଙ୍କାର ଓ ଧୃଷ୍ଟତା ବ୍ୟକ୍ତି ର କ୍ଷତି କରିଥାଏ। କିନ୍ତୁ ନମ୍ରତା  ତାକୁ ଉଚ୍ଚତ୍ତମ ସୋପାନ କୁ ନେଇ ତାର  ବ୍ୟକ୍ତିତ୍ୱର ବିକାଶ କରିଥାଏ।

କୁମ୍ଭାର ହାଣ୍ଡି ମାଠିଆ ଗଢେ। ଗଢିଲା ବେଳେ କିଛି ଭାଙ୍ଗିଯାଏ। ଭାର ରେ ବୋହି ଆଣିଲାବେଳେ ବି କିଛି ଭାଙ୍ଗିଯାଏ। ତଥାପି ଧୈର୍ଯ୍ୟହରା ହୁଏନି ସେ। ପୁନର୍ବାର ଗଢିଥାଏ। ଜୀବନ ରେ  ଅସୁବିଧା ଆସେ। କ୍ଷଣିକ କ୍ଷତି କରିଥାଏ। ସକରାତ୍ମକ ଚିନ୍ତାଧାରା ସହିତ ତାର ସମାଧାନ ର ରାସ୍ତା ଖୋଜି ଉପଯୋଗ କରିପାରିଲେ ଅସୁବିଧା ଦୂର ହୋଇଯାଏ।

ଏହି ବିଷାକ୍ତ ମନ କୁ ନେଇ ବ୍ୟକ୍ତି ଟି ଦେବ ଦର୍ଶନ ଓ ଦେବ କର୍ମ କରେ । ଆଶା ରଖିଥାଏ କେତେବେଳେ ହେଲେ ବି ଚକା ଆଖି ଉଦ୍ଧାର କରିବ ଏ ପାପ ରୁ। ଦେବ କର୍ମ ସରିଗଲା ପରେ ପୁନଃ ଫେରିଆସେ ସେ ପାପ ଜଗତକୁ। ବିଚିତ୍ର  ରୂପ  ଏହି ମଣିଷ ର। କେତେବେଳେ କହେ, ‘ହେ ଭଗବାନ! ମତେ ପ୍ରାଚୁର୍ଯ୍ଯ ଦିଅ’ । କେତେବେଳେ ମାଗେ ‘ମୁକ୍ତି ଦିଅ’ ।
ଭାଗଵତର ଏକାଦଶ ସ୍କନ୍ଧ ର ଅଷ୍ଟମ ଅଧ୍ୟାୟ ରେ ଭଗବାନ ଭକ୍ତ ଉଦ୍ଧବ ଙ୍କୁ ସର୍ଵ ପ୍ରାଣୀ ମାନଙ୍କର ହିତ ସାଧନ ତଥା ମଙ୍ଗଳ କାମନା କରିବା ପାଇଁ ଉପଦେଶ ଦେଇଛନ୍ତି।

ହୃଦୟ ଓ ମନ କୁ ମଇଳା ନକରି ମହାନ ଦୃଷ୍ଟିରେ ସମସ୍ତ ଙ୍କୁ ଦେଖି ପାରିଲେ ସମାଜ ର ଉନ୍ନତି ଅବଶ୍ୟମ୍ଭାବୀ । ନିଶ୍ଚିତ ରୂପେ ଶାନ୍ତିବିରାଜମାନ କରିବ ଏ ସମାଜରେ।

✍️  :ଅକ୍ଷୟ ମିଶ୍ର

new life
You might also like
error: Content is protected !!