କାଉ ରାବିଲାଣି କାଆ କାଆ ପରା
ଉଠ ଉଠ କୁନା କୁନି
ସକାଳୁ ସଅଳ ନ ଉଠିବ ଯଦି
ଲାଭ ତୁମେ ପାଇବନି ||
ପ୍ରଭାତୁ ଉଠିଣ କରିବ ଜଣାଣ
ସଅଳ ଛାଡ଼ିକି ଶେଯ
କରିଲେ ବ୍ୟାୟାମ ପାଇବ ଆରାମ
କହିଛନ୍ତି ପରା ଜେଜ ||
ସକାଳୁ ଉଠିଣ ପିତା ମାତା ପଡେ
କରୁଥିବ ଦଣ୍ଡବତ
ଗୁରୁ ଗୁରୁଜନ ଆଶୀର୍ବାଦ ମିଳେ
ଏହି କଥା ସଦା ସତ ||
ନିତ୍ୟକର୍ମ ସାରି ଜଳଖିଆ ଖାଇ
ପଢ଼ାରେ ରଖିବ ମନ
ମନ ଦେଇ ପାଠ ପଢ଼ିବାକୁ ହେଲେ
କରିବ ଯେ ପରିଶ୍ରମ ।
ଇସ୍କୁଲ ସମୟେ ଇସ୍କୁଲ କୁ ଯିବ
ଖାଇଦେଇ ଭଜା ରୁଟି
ପାଠ ପଢ଼ି ସାରି ଘରକୁ ଫେରିବ
ହୋଇଲେ ଇସ୍କୁଲ ଛୁଟି ||
ଆଜିର ପାଠକୁ ଆଜି କରିଦେବ
ହୋଇଯିବ ସୁନା ପିଲା
ଆଜିର ପାଠକୁ ବାକିଆ ରଖିଲେ
ଅଳସୁଆ ହେବ ଭଲା ||
ପାଠ ବେଳେ ପାଠ ଖେଳ ବେଳେ ଖେଳ
ସମୟରେ ସବୁ କର
ଗୁରୁ ଗୁରୁଜନ କଥା ମାନିଗଲେ
ହୋଇବ ଜଗତେ ସାର ।
ଅନ୍ୟ ପାଇଁ ସଦା ନିଜେ ତ୍ୟାଗୀ ହୁଅ
କରିବ ସମାଜ ସେବା
ଦୁଃଖୀ ଜନ ମୁଖେ ହସ ଫୁଟେଇକି
ବିଭୁକୃପା ଲଭିଯିବା ||
✍️ବିକାଶ କୁମାର ହୋତା