ଗୋଟିଏ ମାଆର,କୋଳ ଶୂନ୍ୟ କରି,
ଦେବାଶିଷ ତୁମେ ଚାଲିଗଲ,
ଭାରତ ମାତାର, ସୁଯୋଗ୍ୟ ସନ୍ତାନ,
ଦେଶ ପାଇଁ ନାମ ରଖିଗଲ।
ଜାମ୍ମୁ କାଶ୍ମୀରର,ପୁଞ୍ଚ ଅଞ୍ଚଳରେ,
ଆତଙ୍କବାଦୀ ଙ୍କ ବର୍ବରତା,
ପାଞ୍ଚ ଜବାନଙ୍କ,ପ୍ରାଣ ଚାଲିଗଲା,
ଦେଶବ୍ୟାପୀ ଏକ ଶୋକବାର୍ତ୍ତା।
ସତ୍ୟବାଦୀ ମାଟି, ଖଣ୍ଡାୟତ ସାହି,
ଧନ୍ୟ ହୋଇଗଲା ତୁମପାଇଁ,
କୀର୍ତ୍ତି ରଖିଗଲ,କାଳକାଳକୁ ହେ,
ଦେଶ ପାଇଁ ପ୍ରାଣ ବଳି ଦେଇ।
ବାପା ଜେଜେ ବାପା, ଗୁମୁରି କାନ୍ଦନ୍ତି,
ଚକ୍ଷୁରେ ତାଙ୍କରି ଅଶ୍ରୁଧାର,
ତୁମ ଧର୍ମପତ୍ନୀ, ସଙ୍ଗୀତା କାନ୍ଦନ୍ତି,
କୋଳେ ଚାରିମାସ କନ୍ୟା ତାର।
ତୁମ ସାନଭାଇ, ବିଜ୍ଞାନ କହୁଛି,
ସାହିତ୍ୟ ଭାଇତୁ କାହିଁ ଗଲୁ?
ବଡ ଭାଇ ଶ୍ରଦ୍ଧା, କାହାଠୁ ପାଇବି,
କାହିଁକି ତୁ ପର କରିଦେଲୁ?
ଦୁଇ ଦିନ ପରେ,ଅକ୍ଷୀ ତୃତୀୟା ରେ,
ବିବାହ ବାର୍ଷିକ ପାଳିଥାନ୍ତ,
କାନ୍ଥୁ ଲିଭି ନାହିଁ, ବିବାହ ଲେଖାଟି,
ଆସିଥିଲେ ତୁମେ ଦେଖିଥାନ୍ତ।
ସାହିପିଲା ସବୁ,ଝୁରନ୍ତି ତୁମକୁ,
ଆଇସ୍କ୍ରିମ୍ ଆଉ କିଏ ଦେବ?
ତୁମ ହସହସ,ମୁଖ ଦିଶିବନି,
ସ୍ୱପ୍ନ ହେଲା ତୁମ ସଦଭାବ।
ତୁମ ଶିଶୁକନ୍ୟା, ହେଲା ପିତୃହରା,
ବାପା ବୋଲି ସିଏ ଜାଣିଲାନି,
ତୁମ ଧର୍ମପତ୍ନୀ, ଅତି ଅଭାଗିନୀ,
ବିହି ତା ସୁହାଗ ରଖିଲାନି।
ତବ ବିୟୋଗରେ,କାନ୍ଦୁଛି ଜନତା,
ସ୍ମରଣୀୟ ତୁମ୍ଭ ଆତ୍ମବଳୀ,
ସଦଗତି ହେଉ, ଅମର ଆତ୍ମାର,
ଦେଉଛି ମୁଁ ଅଶ୍ରୁ ଶ୍ରଦ୍ଧାଞ୍ଜଳି।
✍️ପ୍ରଦୀପ୍ତ ଆଚାର୍ଯ୍ୟ