News
WhatsApp Image 2023-10-04 at 17.25.00
samparksetu

କଟୁ ସତ୍ୟ

ମୋ ପିଲାଦିନ ର ସାଙ୍ଗ ରାଜୁ, ତା ବଡ଼ ଭାଇ ଙ୍କ ନା ଚନ୍ଦନ ବେହେରା।  ଏବେ ସେ ଢେଙ୍କାନାଳ କଲେଜ ରେ ଇଂରାଜୀ ଅଧ୍ୟାପକ ଅଛନ୍ତି। ବହୁତ୍ ଜ୍ଞାନୀ ଗୁଣି ଲୋକ, ଆମ ଅଞ୍ଚଳରେ ତାଙ୍କର ବହୁତ୍ ସମ୍ମାନ ଅଛି, ଆଉ ସେ ସମ୍ମାନ ର ଅଧିକାରୀ ମଧ୍ୟ। ତାଙ୍କ ଜୀବନ ଆମ ମାନଙ୍କ ପାଇଁ ଆଦର୍ଶ, ଖାଲି ଏଥିପାଇଁ ନୁହେଁ ଯେ ସେ ଜଣେ ଭଲ ଅଧ୍ୟାପକ, ଏଥିପାଇଁ କି ସେ ବହୁତ୍ ସଂଘର୍ଷ କରି ଏଇ ଜାଗାରେ ପହଂଚିଛନ୍ତି। ତାଙ୍କ ବାପା ଆମ ଅଞ୍ଚଳର ଜଣେ ବଡ଼ ଚାଷୀ। ପାଠ ପଢି ନାହାନ୍ତି ହେଲେ ବହୁତ୍ ଧନ। ଚନ୍ଦନ ଭାଇ କିନ୍ତୁ ପିଲାଟି ବେଳୁ ବହୁତ୍ ଭଲ ପାଠ ପଢନ୍ତି, ହେଲେ ବାପା ଙ୍କ ର ସେଥିରେ ଯାଏ ଆସେ ନଥିଲା। ସେ ଚାହୁଁଥିଲେ ତାଙ୍କ ପୁଅ ଚାଷ ବାସ କାମ ବୁଝୁ। କାରଣ ସେତେବେଳେ ମାଷ୍ଟର ଙ୍କ ର ଭଲ ଦରମା ନଥିଲା।

ଚନ୍ଦନ ଭାଇ କୁ ସେ ଆଗ ଭଲ ରେ କେତେ ଥର ବୁଝାଇଲେ, ହେଲେ ଚନ୍ଦନ ଭାଇ ବାପା ପଇସା ରେ ବଡ଼ ହେବାକୁ ଚାହୁଁ ନଥିଲେ, କି ଚାଷ କରିବାରେ ତାଙ୍କର ଇଚ୍ଛା ନଥିଲା, ସେ ପାଠ ପଢ଼ିବାକୁ ଚାହୁଁଥିଲେ। ପଢେଇବା ତାଙ୍କର ନିଶା ଥିଲା, ଗାଁ ରେ ସ୍କୁଲ କରି, ବିନା ପଇସା ରେ ପାଠ ପଢୋଉ ଥିଲେ। କେତେ ପିଲାଙ୍କ ଉପକାର କରୁଥିଲେ, ହେଲେ ବାପା ଏଗୁଡ଼ା ବୁଝେନି, ତାଙ୍କ ମୁଣ୍ଡ ରେ ଥିଲା ଇଏ ମୋ ବଡ଼ ପୁଅ ଇଏ ଚାଷ କରିବ। ଦିନେ ଚନ୍ଦନ ଭାଇ ଙ୍କୁ ରାଗି କହିଲେ ମାଷ୍ଟର ହେଇକି କଣ କରିବୁ, ଦରମା ନାହିଁ ମାଷ୍ଟର ଙ୍କର। ଚନ୍ଦନ ଭାଇ କହିଲେ ପାଠ ପଢେଇବି ସମୟ ବଦଳିବ, ମାଷ୍ଟର ଙ୍କୁ ବି ପଇସା ଓ ସମ୍ମାନ ମିଳିବ ଦେଖିବ। ତାଙ୍କ ବାପା ବହୁତ୍ ଗାଳି ଦେଲେ ତାଙ୍କୁ, ବହୁତ୍ ହଇରାଣ ବି କଲେ, କେମିତି ସେ ଭାଙ୍ଗି ଯିବେ ଆଉ ତାଙ୍କ କଥା ମାନିବେ। ହେଲେ ସେ ଭାଙ୍ଗିଲେନି, ଲଢ଼ିଲେ ସବୁ ସହିଲେ, ଘର ବି ଛାଡ଼ିଦେଲେ, ନିଜ ସ୍ବପ୍ନ ପାଇଁ। ଚାକିରି ତ ମିଳିଲା, ହେଲେ ଦରମା ମିଳିଲାନି, ବାପା ଯେମତି କହିଥିଲା ସେମିତି ହେଲା। ହେଲେ ତାଙ୍କୁ କେବେ ଲାଗେନି କି ସେ ଭୁଲ୍ କରିଦେଇଛନ୍ତି। ଧର୍ଯ୍ୟ ର ସହ ଲଢି ଜିତିଲେ ଦିନେ। ଅଧ୍ୟାପକ ହେଲେ, ନିଜ ଗୋଡ଼ ରେ ଠିଆ ହେଲେ, ସମସ୍ତଙ୍କ ସୁଖ ଦୁଃଖରେ ଛିଡା ହେଲେ।  ହେଲେ ତାଙ୍କ  ପରିବାର ଏବେ ବି ତାଙ୍କୁ ବୁଝିନି।

ଏବେ ଏ କାହାଣୀ ର ଦ୍ଵିତୀୟ ପର୍ଯ୍ୟାୟ। ଚନ୍ଦନ ଭାଇଙ୍କର ଦୁଇଟି ପୁଅ। ସାନୁ ଆଉ ମନୁ। ସାନୁ କୁ ମୁଁ ଛୁଆ ଦିନୁ ଦେଖି ଆସୁଚି। ସେ ବହୁତ୍ ଭଲ ଚିତ୍ର ଆଙ୍କେ, ବହୁତ୍ ସୁନ୍ଦର୍। କିଛି ନ ଶିଖିକି। ଯେବେ ଦେଖା ହୁଏ ତାକୁ ପଚାରେ, ବଡ଼ ହେଲେ କଣ ହବୁ କିରେ, ସେ ତୂଳୀ କୁ ମୋ ଆଡ଼କୁ ଦେଖେଇ କହେ ଦାଦା “ମୁଁ କଳାକାର”. ଆଉ କଣ ହେବି। ହେଲେ ଚନ୍ଦନ ଭାଇ ଙ୍କୁ ଏଗୁଡା ଜମା ପସନ୍ଦ ନୁହେଁ, ସେ ଜଣେ ଏତେ ବଡ ଅଧ୍ୟାପକ, ଆଉ ପୁଅ କହୁଚି ବଡ଼ ହେଲେ କଳାକାର ହେବ।

ଏବେ ଦିନେ ତାଙ୍କ ଘରକୁ ବୁଲି ଯାଇଥିଲି। ଚନ୍ଦନ ଭାଇ ଦୁଃଖୀ ହେଇ କହିଲେ। ପିଲାଟା ମଣିଷ ହେଲାନି। ଏତେ କଷ୍ଟ କରି ତାକୁ ପାଠ ପଢେଇଲି, ମୋ ବାପା ତ ପାଠ ର ବିରୁଦ୍ଧ ଥିଲା। ହେଲେ ୟାକୁ ମୁଁ କୋଉଥିରେ ଅଭାବ ରଖିଚି। ପାଠ ପଢିଲାନି ମନ ଦେଇକି, +୨ ବିଜ୍ଞାନ ରେ ବି ଭଲ  ମାର୍କ ରଖିଲାନି। କହୁଚି କଣ ନା କଳାକାରହେବି। କେତେ ଟଙ୍କା ପାଇବୁ କଳାକାର ହେଇକି। ଏବେ ତାକୁ ଏମବିଏ କି ଏମସିଏ କରିବାକୁ କହୁଚି। ହେଲେ ସେଥିରେ ବି ବାବୁଙ୍କର ମନ ନାଇ। ଦେଖିବୁ ଭିକ ମାଗିବ ସେ। ଛାଡ ତା ପାଇଁ ଘର ଗାଡ଼ି କରିଦେଇଛି, ଘର ଭଡ଼ା ପଇସା ରେ ଚଳିବ। ମୁଁ କହିଲି ଭାଇ ତମକୁ ମଉସା ଦିନେ ଏମିତି କହୁଥିଲେ, ନାଇ। ଚନ୍ଦନ ଭାଇ ସେଠୁ ରାଗିଗଲେ ମୋ ଉପରେ କହିଲେ, ମୁଁ ମାଷ୍ଟର ହେବାକୁ ଚାହୁଁଥିଲି, ୟା ଭଳିଆ ତାମସା କରିବାକୁ ଚାହୁଁ ନଥିଲି। ଏଥିରେ ଭବିଷ୍ୟତ କଣ ତୁ କହ। ମୁଁ କହିଲି ଭାଇ “ସେତେବେଳେ ମାଷ୍ଟର ଙ୍କ ର ବି ଭବିଷ୍ୟତ ନଥିଲା”। ତମେ ବି କେତେ ବର୍ଷ ମାଗେଣା ରେ ଖଟିଚ। ଭାଇ କହିଲେ, ହଉ ତୋ କଥା ମାନୁଚି, ତାକୁ କହ ସେ ମୋତେ କହିପାରିବ ଚିତ୍ର କଲେ କଣ ଟେ ହବ ସେ, ଆଉ କେତେ ଟଙ୍କା ରୋଜଗାର କରିବ। ମୁଁ କହିଲି “ଭାଇ ତମେ ବି ତ ମଉସା ଙ୍କୁ ଏହାର ଉତ୍ତର ଦେଇ ପାରିନଥିଲ”।

ସେ କହିଲେ ଆରେ ମୋ ସମୟ ଅଲଗା ଥିଲା, ଆଉ ମୁଁ ବି ବହୁତ୍ କଷ୍ଟ ପାଇଛି, ସେଥିପାଇଁ ତ ଚାହୁନି ମୋ ଛୁଆ କଷ୍ଟ ପାଉ, ମୋର କଣ ଅଭାବ, ସେ ଯେତେ ପଢିବ ପଢ଼ୁ ମୁଁ ଦେବି, ଆଉ ତୁ ମତେ କହ ଆମ ଆଖ ପାଖରେ କିଏ କଣ କଲାଣି ଚିତ୍ର କରିକି ଦେଖା ମତେ ଜଣେ। ମୁଁ କହିଲି ଭାଇ ତମ ବାପା ବି ତ ସେଇଆ ଭାବି ମନା କରୁଥିବେ ବୋଧେ, ତମେ ତାଙ୍କ ବିରୁଦ୍ଧ ରେ ଯାଇକି ବଡ ପାପ କରିଚ।  ଭାଇ ଆଉ ସମ୍ଭାଳି ପାରିଲେନି, ମତେ ରାଗିକି କହିଲେ ମୋ ଘରୁ ବାହାରି ଯା, ମୋ ପିଲା ତୋ କଥା ଶୁଣିଲେ ବର୍ବାଦ ହେଇଯିବ। ତୁ ତାକୁ ମୋ ବିରୁଦଧରେ ଯିବା ପାଇଁ କହୁଚୁ। ମୁଁ ଚୁପ୍ ହେଇଗଲି, କହିଲି ଭାଇ ମୁଁ ତମକୁ ବହୁତ୍ ସମ୍ମାନ କରେ , ଏଥିପାଇଁ ନୁହେଁ କି ତମେ ବଡ ଚାକିରି କରୁଚ। ଏଥିପାଇଁ କରେ କାରଣ, ତମେ ନିଜ ସ୍ବପ୍ନ ପୂରଣ କରିବାକୁ ଲଢ଼ିଲ, ଆଉ ଜିତିଲ, କାହା ଦୟା ରେ ବଞ୍ଚିନ ତମେ। ଆଉ ଆଜି ନିଜ ପୁଅ କୁ କହୁଚ ସେ ତମ ରାସ୍ତା ରେ ନା ଚାଲି ତମ କଥା ରେ ଚାଲୁ। ସତ୍ୟ କଠୋର ହେଇପାରେ ହେଲେ ତାହା ସତ୍ୟ।

✍️ଅତୁଲ ତ୍ରିପାଠୀ

new life
You might also like
error: Content is protected !!