News
WhatsApp Image 2023-10-04 at 17.25.00
samparksetu

ତୁ ମୋ ବାପା ତୁ ମୋ ବୋଉ

ତୁହି ଅଛୁ ଯେବେ ସବୁ ଅଛି ମୋର
କିଛି ଲୋଡ଼ା ନାହିଁ ଆଉ   ।
ବାପାଙ୍କ ବିହୁନେ ତୋ ମୁହଁକୁ ଚାହିଁ
ବଞ୍ଚି ଆସିଛି ଲୋ ବୋଉ   ।।

ନାରିକେଳ ପରି ଉପରକୁ ଟାଣ
ଅନ୍ତରେ ଅମୃତ ଭରା  ।
ମିଛେ ସିନା ରୁଷି ଗରଗର ହେଉ
ତୋ ପରି କେ ହେବ ପରା  ।।

ତୋ ଅମାପ ପ୍ରେମ ମାପିକି ପାରିବ
ଏହି ହତଭାଗା ପୁଅ  ।
ନିକିତୀରେ ତାକୁ ତଉଲି ପାରେକି
ତୋର ସେ ଅମାପ ସ୍ନେହ  ।।

ନିଜେ କଣ୍ଟା ପଥେ ଚାଲିଲୁ ଜନନୀ
ବିଞ୍ଚି କୁସୁମ ମୋ ପାଦେ  ।
ନିଜେ ଲୁହ ପିଇ ମୋ ମୁହଁରେ ହସ
ଫୁଟାଇଛୁ ମୋର ହୃଦେ   ।।

ତୁହି ଅଛୁ ବୋଲି ବାପାଙ୍କ ଅଭାବ
ଜାଣିନି ଲୋ ବୋଉ ମୋର   ।
ପିଲାଟି ଦିନରୁ ଦେଇ ଆସିଅଛୁ
ଦୁଇ ଜଣଙ୍କ ଆଦର   ।।

କୋଉ ଜନମର କୋଉ ପାପ ପାଇଁ
ପାଇଲିନି ବାପା ସ୍ନେହ    ।
ତଥାପି ଲୋ ବୋଉ ସ୍ୱର୍ଗ ସୁଖ ଲାଗେ
ଚାହିଁଦେଲେ ତୋର ମୁହଁ   ।।

ବାପାଙ୍କ ଆଶିଷ ପାଇନାହିଁ ବୋଲି
ଦୁଃଖ ନାହିଁ ତିଳେ ମନେ    ।
ତୋର ପଣତରେ ଦୁହିଁଙ୍କ ଆଦର
ପାଇଅଛି ଅନୁକ୍ଷଣେ   ।।

ତୁହି ଥାଉ ଥାଉ କୋଉ କଥାକୁ ମୋ
ଡ଼ର ଭୟ ନାହିଁ ଆଉ ।
ତୋର ପାଦତଳେ କୋଟିଏ ପ୍ରଣତୀ
ତୁହି ମୋର ବାପା ବୋଉ    ।।

✍️ସୁଶାନ୍ତ କୁମାର ମଲ୍ଲିକ

new life
You might also like
error: Content is protected !!