ବାବା ହେବା ମଜା ବାହାରି ପଡ଼ିଲା
ଜଟା ଛିଣ୍ଡି ହେଲି ଚନ୍ଦା ହୋ,
ଜାଣିଥିଲେ ବାବା ହୋଇ ମୁଁ ନଥାନ୍ତି
ଏ ବଡ଼ ଅଡ଼ୁଆ ଧନ୍ଦା ହୋ ।।୦।।
ଭକତଜନଙ୍କ ମନ ମୋହି ନେଲି,
ଚାଳଘର ଥିଲା, କୋଠା ବାଡେଇଲି ।
ମନ ଭୁଲାଣିଆ ମନ୍ଦିର ତୋଳିଲି ।
ଏବେ ହେଲା ସବୁ ମାନ୍ଦା ହୋ ।।୧।।
ଏ ବଡ଼ ଅଡ଼ୁଆ ଧନ୍ଦା ହୋ…
ଯୁବତୀ-ରତନ ଚିତ୍ତକୁ ରଞ୍ଜାଇ
ଶାଢ଼ୀ-ଡ୍ରେସ୍ ଦେଉଥିଲି ମୁଁ ଖଞ୍ଜାଇ ।
ସେହି ନାରୀ ମୋତେ ଖୁଆଇ ଗଞ୍ଜାଇ
ମାରୁଅଛି ଏବେ ଖୁନ୍ଦା ହୋ ।।୨।।
ଏ ବଡ଼ ଅଡ଼ୁଆ ଧନ୍ଦା ହୋ …
ବାବା-ଖୋଳପାରେ ହୋଇଥିଲି ପ୍ରଭୁ,
ଭକତଙ୍କ ଆଡ଼ୁ ଆସୁଥିଲା ଡାବୁ ।
ଭଲା କିମିଆରେ ଚାଲିଗଲା ସବୁ;
କାଟୁ କଲାନାହିଁ ଫନ୍ଦା ହୋ ।।୩।।
ଏ ବଡ଼ ଅଡ଼ୁଆ ଧନ୍ଦା ହୋ…
ମନ ଇଚ୍ଛା ଦେଲି ପ୍ରବଚନ ଥୋକେ,
କିଏ ‘ବାବା’ କିଏ ‘ପ୍ରଭୁ’ ବୋଲି ଡାକେ ।
(ମୋ) କଥା ଶୁଣିବାକୁ ଜମୁଥିଲେ ଲୋକେ
ମିଠା ପାଶେ ଯେହ୍ନେ ଜନ୍ଦା ହୋ ।। ୪।।
ଏ ବଡ଼ ଅଡ଼ୁଆ ଧନ୍ଦା ହୋ…
ଆଗେ ମାନୁଥିଲେ ମୋତେ ଯେ ଠାକୁର,
ହୋଇଗଲି ସତେ କି ଅବା, କୁକୁର !
ଖାଉଥିଲି ଚିକେନ଼, ମଟନ, ଭାକୁର ।
କାରାଗାରେ ଏବେ ବନ୍ଧା ହୋ ।।୫।।
ଏ ବଡ଼ ଅଡ଼ୁଆ ଧନ୍ଦା ହୋ…
✍️ ପ୍ରମୋଦ କୁମାର ପରିଡ଼ା