News
WhatsApp Image 2023-10-04 at 17.25.00
samparksetu

ଠିକଣା ହଜିଛି

କିଛି ଗୋଟେ କାଗଜ ନଥିପତ୍ର ଖୋଜା ଚାଲୁଥାଏ ।ଏତିକିବେଳେ ପ୍ରଧାନ ଶିକ୍ଷୟିତ୍ରୀ କହିଲେ ଆପଣ କିଛି ବ୍ୟସ୍ତ ହବାର ନାହିଁ  ସେ ସବୁ ପ୍ରସ୍ତୁତ ।ଖାଲି ତାକୁନେଇ ଆଫିସ ରେ ଦେଇ ଆସିବାକୁ ହେବ । ହଁ ଟିକେ ଶୀଘ୍ର ଦେଇ ଆସିବାକୁ ହେବ ।ତୁରନ୍ତ ଦାସ ବାବୁ ଗାଡି ନେଇ ବାହାରି ପଡିଲେ ….
କାହିଁକି ନା କାଗଜ ଟା ବହୁତ ଦରକାର ହୋଇ ନଥିଲେ ପ୍ରଧାନ ଶିକ୍ଷୟିତ୍ରୀ କେବେ ତର ତର ହୋଇ  କାଗଜ ସବୁ ରେଡି କରି ନଥାନ୍ତେ, ଯେଉଁ କାମ ଦାସ ବାବୁ କରିପାରିଥାନ୍ତେ ।ଯାହା ବି ହେଉ ଶୀଘ୍ର ଯିବାକୁ ହେବ ବିଦ୍ୟାଳୟ ରୁ ଅଫିସ ଗଲା ବାଟରେ ଆଉ କିଛି ବିଦ୍ୟାଳୟ ପଡେ ।

ଯାଉ ଯାଉ ବାଟରେ ପାତ୍ର ସାର ଲିଫ୍ଟ ମାଗି ମୋ ସହ ଅଫିସ ଗଲେ ।ଅଫିସ କାମ ସାରି ତାଙ୍କ ସ୍କୁଲ ଅଭିମୁଖେ ବାହାରିଲୁ ତାଙ୍କୁ ସେଇଠି ଡ୍ରପ କରିଦେଇ ମୁଁ ବାହାରିବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ ନଜର ପଡିଗଲା ଜଣେ ବୃଦ୍ଧାଙ୍କ ଉପରେ। ।ନିଃସହାୟ ଅବସ୍ଥାରେ ବିଦ୍ୟାଳୟ ର ଖେଳ ପଡିଆ କୋଣରେ ଏକ ଚୁଲି ରେ କାଠ ପୁରାଇ ଫୁକିବାରେ ବ୍ୟସ୍ତ ଧୂଆଁମୟ ପରିବେଶ ବେଶ କିଛି ସ୍ପଷ୍ଟ ଦେଖା ନଗଲେ ବି ବୃଦ୍ଧା ବୋଲି ମନେ ହେଲା ।

ମୁ ସଙ୍ଗେ ସଙ୍ଗେ ପାତ୍ର ବାବୁଙ୍କୁ ସେ ବୃଦ୍ଧା ସମ୍ପର୍କରେ ପଚାରିବାରୁ ସେ କହିଲେ , ଛାଡ଼ନ୍ତୁ ସାର ସେ ଗୋଟେ ଜରି ଗୋଟାଳି ଆଖପାଖ ବଜାରରେ ନିତି ଦିନ ଅଳିଆ ପ୍ଲାଷ୍ଟିକ ପଲିଥିନ ଡବା ଇତ୍ୟାଦି ଗୋଟାଏ ଆଉ ତାକୁ ନେଇ କବାଡି ବାଲା ଙ୍କୁ ବିକ୍ରି କରେ ଏଇ ସ୍କୁଲ ରେ ବାରଣ୍ଡାରେ ରାତ୍ରୀ ବିଶ୍ରାମ କରେ । ହଉ ଆପଣଙ୍କର ବିଳମ୍ବ ହେବ ଆସନ୍ତୁ ଏଥର ।ପଡ଼ିଆର ଗୋଟେ ପାର୍ଶ୍ଵ କାଂଥ ଭାଙ୍ଗି ଯାଇଥିବାରୁ ସେଇବାଟ ଦେଇ ମୁଁ ବାହାରି ଗଲା ବେଳେ ସେ ବୃଦ୍ଧା ମାଉସୀ ଜଣଙ୍କ ମୋତେ ଡାକିଲା ପରି ମନେ ହେଲା ମୁ ଗାଡି ବ୍ରେକ ମାରି ଅଟକି ଗଲି ପଛକୁ ବୁଲି ଦେଖିଲି ମାଉସୀ ସେମିତି ଚୁଲି ଫୁକିବାରେ ବ୍ୟସ୍ତ ମୁ ଭାବିଲି ମାଉସୀ ବୋଧେ କିଛି କହି ନାଇଁ ,ମୋତେ ଡାକିଲା ପରି ମନେ ହେଲା ।

ଫେରିଯିବା ପୂର୍ବରୁ ପଚାରିଲି ଆଛା ମାଉସୀ ମୋତେ ଡାକିଲ କି ମାଉସୀ ? ମାଉସୀ ଜଣକ ମୋତେ ଚାହିଁଲେ କିନ୍ତୁ କିଛି କହିଲେ ନାଇଁ, ମୁ ବାଇକ ରୁ ଓହ୍ଲେଇ ତାଙ୍କ ପାଖକୁ ଗଲି ମାଉସୀ ପଚାରିଲା ଆରେ ପୁଅ କେଇଟା ବାଜିଲାଣି ? ମୁଁ କହିଲି ସମୟ ଗୋଟେ ତିରିଶ ହେବ ।ଦେଖିଲୁ କି ବାପା ଚୁଲି ଟା ଲାଗୁନି କେତେବେଳେ ରାନ୍ଧିବି ଯେ ବୁଢା ଆସି ଖାଇବ ନହେଲେ ମୋତେ ଗେରେ ଗେରେ ହବ ।ଫୁକି ଫୁକି ମୋ ଦେହ କଣ ହେଇଗଲାଣି ,ମାଉସୀର ଦେହ ହାଡ ମାନଙ୍କର ଭିଡ ଭଳି ମନେ ହେଉଥିଲା ଆଖି କୋରଡରେ ପଶି ପେଜୁଆ ଦେଖା ଯାଉଥିଲା ବହୁତ ଦିନରୁ ଲୁହ ଉପରେ ଲୁହ ଯେମିତି ଏକ ପତଳା ଅସ୍ତରଣ ।

ଗୋଟିଏ କୋଣରେ କିଛି ଗଂଠୁଲି ଗଦା ହୋଇ ରହିଛି  ଚାହିଁଲେ ସବୁ ଆଡେ ଅଳିଆ ବସ୍ତା, ଯେମିତି ଅଳିଆ ରାତିରେ ମଶା ଟେକି ନେଇଯିବେ ଜାଗା ଟା ବହୁତ ଅପରିଷ୍କାର ମନେ ହେଲା ।ଭାବିଲି ଏଇଠି ଆଉ ବେଶି ସମୟ ରହିଲେ ମୁ ମଧ୍ୟ ଅନାନିଶ୍ୱାସୀ ହୋଇଯିବି ସେଇଠୁ ଗାଡି ଷ୍ଟାର୍ଟ କରିଛି, ସେପଟ ଭଙ୍ଗା କାଂଥ ଦେଇ ଜଣେ ବୁଢା ଆସିଲେ କହିଲି ମାଉସୀ ତୁମ ଲୋକ ଆସିଗଲେ ବୋଧେ ବୁଢା ମଉସାର ପାଖାପାଖି ହେଲା ବେଳକୁ ସେ ବୁଢ଼ା ଜଣଙ୍କ ମୋତେ ଅଟକାଇ କହିଲେ
ବାବୁ ଆମେ ଏଇଠି ବେସି ଦିନ ରହିବୁନି ବର୍ଷା ଦିନ ପାଇଁ ଏଇଠିକୁ ପଳେଇ ଆସିଛୁ ମୁ ବଡ଼ ସାର ଙ୍କୁ କହିଛି ଆମେ ଶୀଘ୍ର ପଳେଇବୁ ତୁ ତ ମୋ ପୁଅ ବୟସର ହେବୁ ଆଉ କିଛି ଦିନ ରହିବାକୁ ଦେ । ମୁଁ କହିଲି ମଉସା ମୁ ତୁମକୁ ଏଇଠୁ ଉଠେଇବାକୁ ଆସିନି ମାଉସୀ ପଛରୁ ଡାକିଲେ ବୋଲି ଆସିଲି । ଓଃ ମୁଁ ଭାବିଲି ବଡ ସାର କିଏ ଆଇଛନ୍ତି କାଳେ ଆମକୁ ଏଇଠୁ ତଡି ଦେବେ ।

ବୁଢ଼ାର ନିରୀହ ପଣ ଯେମିତି ଗୋଟେ ଶୀତଳ ଆନ୍ଦୋଳନ ମନ ଭିତରେ ଆଣିଦେଲା ବୁଢ଼ାର ମଉସାର ବୟସ ପାଖରେ ପାଖି ପଞ୍ଚଷଠି  ରୁ ଅଧିକା ପରି ମନେ ହେଲା  କଳାକାଠ ମୁହଁ ,ଶରୀର ଚମ ଧୁଡୁ ଧୁଡୁ ଓଠ ଗୁଡିକ ଶୁଷ୍କ ଶୋଷିଲା ମନେ ହେଲା କାନ୍ଧରେ ନିଜ ଉଚ୍ଚତା ଠାରୁ ବେଶ ବଡ଼ ଅଳିଆ ମୁଣି ଆଣି ଥୋଇ ଦେଇ ଡାକ ଦେଲା  ଆଲୋ ଏ  ବନା ବୋଉ ଆଣେ ପାଣି ମୁନ୍ଦେ । ଏହା ଶୁଣି ମୁଁ ଭାବିଲି ବନା ବୋଉ ତା ମାନେ ବୁଢା ବୁଢ଼ୀର ପୁଅ ବି ଅଛି ।ମନରେ ଦୟା ଆସିଲେ ବେଳକୁ ଅନ୍ୟ ପଟରେ ତା ପୁଅ ପାଇଁ ମନରେ ବହୁତ ରାଗ ଆସୁଥିଲା ।

କଥା ଆଳରେ ମାଉସୀଙ୍କୁ ପଚାରିଲି ମାଉସୀ ତୋର ପୁଅ ଅଛି ? ତୁ ଏଇଠି ଆସି ଏମିତି ଅବସ୍ଥାରେ କାହିଁକି ରହୁଛୁ? ତୋର ଘର ଅଛି ନା ନାଇଁ ? କହିଲା ଅଛିରେ ପୁଅ ମୋ ବୋହୁ ନାତି ପୁଅ ସବୁ ଅଛି ହେଲେ କଣ ଲାଭ ଯଦି ପୁଅ ପଚାରୁଥାନ୍ତା ମୁଁ କଣ ତୋ ମଉସାକୁ ଏଇ ବୟସରେ ଏତେ ଖଟିବାକୁ କହନ୍ତି ।ଅଳିଆ ଗୋଟା କାମ ଟା ସହଜରେ କରିପାରିଛୁ ଯାହା ମିଳୁଛି ସେଥିରେ ଚଳୁଛୁ। ଆଛା ତୋ ଘର କଉଠି ମାଉସୀ ?
ମୋରଆଉ ମନେ ପଡୁନି ରେ ପୁଅ ତୋ ମଉସା ଜାଣିଛି।
ହେ ବନା ବାପା କହିଦେଲ ପୁଅକୁ ଆମ ଘର କଉଠି ?
ବୁଢା ଉଠି ଆସି କହିଲା ବାଦଲପୁର ଗାଁ । ମୁଁ ପଚାରିଲି ଜିଲ୍ଲା କେଉଁଠି ?ବୁଢ଼ା କହିଲା ନାତି ଟୋକା ଆସୁ ଏଥର ପଚାରିବି ମୋର ଆଉ ହେତୁ ପାଉନି ରେ ପୁଅ ।

ମୁଁ ପଚାରିଲି ନାତି ବି ଏଠିକୁ ଆସୁଛି ହଁ ,ଆସେ ମାସକୁ ଥରେ ପଇସା ନେବାକୁ , ତା ବାପା ତାକୁ ପଠାଏ ଏଠିକୁ ,ଆଉ ବୁଢ଼ୀ ନାତିକୁ ଗେଲ କରି ଯାହା କିଛି ସଂଚି ଥାଏ ଧରେଇ ଦିଏ ନାତିକୁ । ଆଶ୍ଚର୍ଯ୍ୟ ଲାଗିଲା କଥା ଟା ।  ଏତିକି  ଶୁଣିକି ମାଉସୀ କହୁଛି ନାଇଁରେ ବାପା ଏମିତି ବୁଲିବାକୁ ଆସେ ।ବୁଢାକୁ ରାଗି ,ମାଉସୀ କହିଲା …ହେ ତମେ କେତେ ରଖିଛ ଯେ ମୋ ନାତି ନେଇ ଯାଉଛି ତୁମର ।କଥା ଲୁଚେଇବାକୁ ସିନା ମାଉସୀ ଏପରି କହିଲା କିନ୍ତୁ ମୁ ସବୁ ଠିକ ବୁଝି ପାରୁଥିଲି ..ମୁଁ ପଚାରିଲି ପୁଅ ତୁମର ଏଠିକୁ ଆସୁଛିକି? ନାଇଁରେ ପୁଅ  ସ୍ତ୍ରୀ କଥାରେ ଉଠୁବସ ହଉଛି । ଆଛା ସେ ନେବାକୁ ଅସୁନି ତୁମକୁ ?ବୁଢା ଥାଇ କହିଲା ବଡ ପୁଅ ବନା କୁ ବାହାଘର କରିଦେଇଛି ନାତିକୁ ଚଉଦ ବର୍ଷ ହେଲାଣି ,ସାନ ପୁଅ ଶୁଣୁଛି ଝିଅ ନେଇ ବାହା ହେଇ ଗଲାଣି ।

ପାଚିଲା ବୟସରେ ହାତ ପେତେଇ କେତେ ମାଗିକି ଖାଇବି ଦେହ ଅଗଭଳି ନାଇଁ ଯେ କଣ ଗୋଟେ ବଡ଼ କାମ କରିବି ,ଏଇ ଅଳିଆ ଜରି ଗୋଟେଇ ପେଟ ପୋଷିବା କଥା ।ଆଜି ଏ ବଜାର ଆଜି ଜାଗା ସେ ଜାଗା ବୁଲି ବୁଲି ଏଇଠି ରହି ଯାଇଛି ସାତ ବର୍ଷ ହେଇଗଲାଣି  ।ବୁଢା ବୁଢ଼ୀର କଥା ଶୁଣି ମନ ଭିତର ଟା କାନ୍ଦି ଉଠିଲା ବନା ଉପରେ ମୋର ପ୍ରବଳ ରାଗ ଆସୁଥାଏ କିଛି କହିବାକୁ ସାହସ ନଥିଲା ତଥାପି .. ମୁଁ କହିଲି ପୁଅ ଯଦି ପଚାରୁନି ଆଜି ଆଉ ସେ ଯୁଗ ନାଇଁ ବାପା ମାଙ୍କୁ ନପଚାରିଲେ ତା ନାରେ ପୋଲିସ କେସ କରୁନ ଆଇନ ଅନୁଯାୟୀ ପିତାମାତା ଙ୍କୁ ହଇରାଣ ଗୃହହୀନ କଲେ ଦଣ୍ଡ ବ୍ୟବସ୍ଥା ରହିଛି ।

ଏତିକି କଥା କହିଛି କି ନାଇଁ ମାଉସୀ ମୋତେ ନାଲି ଆଖିରେ ଚାହିଁ ଯାହା କହିଲା ତାହା ଏମିତି କିଛି … କଣ କହିଲୁ ତୁ କି ସାର ହେଇଛୁ ..ବା  କି କଥା କହୁଛୁ ମୋ ପୁଅ ନାଁ ରେ ମୁ କେଏସ  କରିବି ଭାରି ସାହସ ତୋର ..ମୋ ପୁଅକୁ ପୋଲିସ ବାନ୍ଧି ନେବ ମୋ ନାତି ଖାଇବ କଣ ?ତୁ ମାଷ୍ଟର ହେଇ ଏମିତି କହୁଛୁ ମା ହେଇକି ଆଜି ଯାଏ କିଏ ପୁଅ ନାଁ ରେ କେସ କରିଛି ?ବେଶି କହନି ରେ ପୁଅ ଅରେ ମାଉସୀ ମୁଁ କଣ କହୁଛି ଶୁଣ ?ନାଇଁ ନାଇଁ କଣ ଶୁଣେଇବୁ ବା ଥାଉ ମୁଁ ଟିକେ ଦୁରେଇ ଆସିଲି ମାଉସୀର ରାଗ ଦେଖି। ମାଉସୀ ର ଉଗ୍ର ରୁପ ଦେଖି ମଉସା କହିଲେ ତା କଥା ଧରିବୁନି ବାପ ସେ ଏମିତି ତା ପୁଅ ନାରେ କହିବୁ ତ ବାୟାଣୀ ଭଳି ଗାଳି କରି ତୋ ମୁଣ୍ଡ ଖରାପ କରିଦେବ ତା ପୁଅକୁ ସେ ବହୁତ ଭଲ ପାଏ ।ତୁ ଯାଆରେ ପୁଅ ନହେଲେ ସେ ଆଉ କଣ କହିଦବ ।ସେଇଠୁ ଫେରିଲା ବେଳେ ସେମିତି ରାଗ ତମ ତମ ହୋଇ ଚାହିଁ ରହିଥିଲା ମାଉସୀ ।ଘରକୁ ସ୍କୁଲ କାମ ସାରି ଫେରିଲା ପରେ ସେଇ ମାଉସୀ କଥା ମୋ ମନରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ତା ଗାଳି ପାଇଁ ଯେତିକି କଷ୍ଟ ହେଇନି ତାଠୁ ବେଶି କଷ୍ଟ ଏମାନଙ୍କ ସହ ବିତିଥିବା ସମୟ ଆଉ ବିତାଉଥିବା ସମୟ ଆଉ ଏମିତି କୁଳାଙ୍ଗାରପୁଅ କଥା ଭାବି ।

ଏମିତି ବି ମା ଅଛନ୍ତି ନିସ୍ୱାର୍ଥ ଅନ୍ଧ ଭଳି ବାତ୍ସଲ୍ୟତା ବାଣ୍ଟୁ ଥିବା ପିତମାତା। ନିଜ ଜୀବନର ସର୍ବସ୍ବ ଦେଇ ସାରି ଅପରାହ୍ନର ଠିକଣା ଖୋଜୁଥିବା ଏଇ ଅଳିଆ ଗଦାର ପରିବେଷ୍ଟିନି ଭିତରୁ ଏବେ ବି ମାତୃତ୍ବର ପଣତ କାନିଟା ଘୋଡେଇ ରଖିଛି ନିଜର ପୁଅ ପାଇଁ ପୁଅ ଝିଅ ପାଇଁ ଠିକଣା ସାଇତି ଦେଇ ସାରି ନିଜର ଠିକଣା କୁ ହଜେଇ ଦେଇଛି ।ସେ ଭଳି ବାପା ମା ର ପଦ ବନ୍ଦନା କରି ପୂଣ୍ୟ ଅର୍ଜନ କରିବାର ସୌଭାଗ୍ୟ କେଉଁଠୁ ବୁଝିବ ସ୍ୱାର୍ଥ ପର କୁଳାଙ୍ଗାର ପୁତ୍ର । ସବୁ କଥା ଭାବି ସାରି ଆଖି ଛଳ ଛଳ ହୋଇ ଯାଇଥିଲା କାନ୍ଦିବାର କାରଣ ଘରଣୀ ପଚାରିବାରୁ ନିଦ ଆସିବାର ବାହାନା ଦେଖାଇ ଶୋଇଗଲି ।

✍️ଅଜିତ କୁମାର୍ ଦାସ

new life
You might also like
error: Content is protected !!