ଜଗତେ ଭାରତ କମଳ ସଦୃଶ୍ୟ
ଉତ୍କଳ ତହିଁ କେଶର
ପ୍ରାଣ ରୁ ଯେ ପ୍ରିୟ ମାତୃଭୂମି ମୋର
ବନ୍ଦଇ ତାର ପୟର
ଜଗତ ର ନାଥ କାଳିଆ ସାଆନ୍ତ
ବିଜେ ହୋଇଛନ୍ତି ଯହିଁ
ଏହି ପରା ସେହି ବୀର ପ୍ରସବିନୀ
ପବିତ୍ର ଉତ୍କଳ ଭୂଇଁ
ଉଡ୍ର ରୁ କଳିଙ୍ଗ କଳିଙ୍ଗୁ ଉତ୍କଳ
ତାପରେ ଓଡ଼ିଶା ନାମ
ପୁରାଣେ ପ୍ରସିଦ୍ଧ ଗରିମା ଯାହାର
ଇତିହାସ ଗାଏ ଗୁଣ
ଏ ମାଟି ସନ୍ତାନ ପଠାଣି ସାମନ୍ତ
ରଖିଲେ ଏମିତି ଯଶ
ବାଉଁଶ ନଳ ରେ ସୂର୍ଯ୍ୟ ଦୂରତା ମାପିଲେ
ଧନ୍ୟ ଧନ୍ୟ କରେ ବିଶ୍ୱ
ଐର ଖାରବେଳ ଅନଙ୍ଗଭୀମ ଯେ
କପିଳେନ୍ଦ୍ର ଗଜପତି
ଉତ୍କଳ ନଭରେ ଅମଳିନ ଜ୍ୟୋତି
ଅମ୍ଳାନ ତାଙ୍କର କୀର୍ତ୍ତି
ଭାଗିରଥୀ ଠାରୁ ଗୋଦାବରୀ ଯାଏ
ଥିଲା ଦିନେ ଯା ବିସ୍ତୃତି
କାଳ ର ପ୍ରଭାବେ ଜନମାନସ ରୁ
ହୋଇଛି ତାର ବିସ୍ମୃତି
କଳିଙ୍ଗ ଯୁଦ୍ଧ ର କରୁଣ ପ୍ରଭାବୁ
ଚଣ୍ଡାଶୋକ ଧର୍ମାଶୋକ
ଏହି ଜାତି ଦିନେ ଶିଖାଇଥିଲା ତ
ସତ୍ୟ ଅଂହିସା ର ପଥ
ମଧୁ ବାରିଷ୍ଟର ଗୋପବନ୍ଧୁ ବାବୁ
ନୀଳକଣ୍ଠ ହରିହର
ମାଳତୀ ନନ୍ଦିନୀ ରମାଦେବୀ ପରା
ସଭିଏଁ ସନ୍ତାନ ତାର
କେଉଁ ଜନମର କି ପୁଣ୍ୟ ପ୍ରସାଦୁ
ଜନମିଲେ ଏ ମାଟିରେ
ଆସରେ ଆସରେ ମୋ ଓଡ଼ିଶାବାସୀ
ଏ ଧୂଳି ବୋଳ ଗାତ୍ରରେ
ତାର ପରଶରେ ଛିଡୁ ତୋ ଶୃଙ୍ଖଳ
କ୍ଷୟ ହେଉ ତୋ ଅବଶ
ଓଡ଼ିଆ ଆମେ ରେ ଗରବରେ କୁହ
ହୋଇ ଚିର ହସହସ
✍️ରାମଚନ୍ଦ୍ର ଭୁତିଆ