News
WhatsApp Image 2023-10-04 at 17.25.00
samparksetu

ସତରେ ତୁମେ ଆସ ଭାରି ଅଝଟ ପଣରେ

ତୁମେ ଆସ ପାହାନ୍ତି ପ୍ରହରେ
ନିଘୋଡ଼ ନିଦରେ,ସ୍ବପ୍ନ ଗାଲିଚାରେ
କେବେ ପୁଣି ନିଛାଟିଆ ଖରାବେଳେ,
ଠାକୁର ଘରେ ଅବା ରୋଷଶାଳା ଠାରେ,
କେବେ ପୁଣି ଚମକାଇ ଦିଅ
ଗାଧୁଆ ଘରେ ପାଣିର କଳକଳ ଶବ୍ଦରେ,
କେବେ କେବେ କାର୍ଯ୍ୟାଳୟର
ଟେବୁଲ ଉପରେ
କୁଢ଼ କୁଢ଼ ଫାଇଲର ଗଦା ଭିତରେ l

ତୁମେ ଆସିବାର ସମୟ
କାହାକୁ ବା ଜଣା
ଇଗଲ ଭଳି ଡେଣା ମେଲି ତୁମେ ନିମିଷକେ କରିଦିଅ ବାଟ ବଣା
କରିଦିଅ ବାଟ ବଣା l

କିଛି ଅନାବନା ଶବ୍ଦ ସବୁ ଲହଡ଼ି ଭାଙ୍ଗନ୍ତି
ମନର ଉତ୍ତାଳ ସାଗରରେ
ଅବୋଧ ଶିଶୁଟିଏ ଭଳି
ସତରେ ତୁମେ ଆସ ଭାରି ଅଝଟ ପଣରେ
ଭାରି ଅଝଟ ପଣରେ l

ମନୋଇ ମୌସୁମୀ ଭଳି
କେବେ ବର୍ଷି ଯାଅ ତ କେବେ ପୁଣି
ଦେଖା ଦେଇ ଲୁଚି ଯାଅ
ଅନାବିଳ ଅତ୍ମୀୟତାରେ
ଆଦ୍ୟରୁ ପ୍ରାନ୍ତ ଯାଏ
ହାତ ନ ଛାଡ଼ିବାର
ଗଭୀର ପ୍ରତିଶ୍ରୁତିରେ l

ତୁମରାଣ!! ତୁମେ ମୋ ପ୍ରେମର
ପହିଲି ବସନ୍ତ
ଫଗୁଣର ଫଗୁଭରା ଅନନ୍ତ ଆକାଶ
ତୁମର ସେ ମିଠା ଅନୁଭବ
ମୋତେ କରିଛି ଜଡ଼ରୁ ଜୀବନ୍ତ
ଜଡ଼ରୁ ଜୀବନ୍ତ ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!