News
WhatsApp Image 2023-10-04 at 17.25.00
samparksetu

ସ୍ୱପ୍ନରେ ମୋ ଜଗନ୍ନାଥ

ବର୍ଣ୍ଣ ଶ୍ୟାମଳ ହେଲେ ବି ମୁଖ ମଣ୍ଡଳରେ ଅସାଧାରଣ କାନ୍ତି ଓ ମୃଦୁ ହସଧାରୀ ଭଦ୍ରବ୍ୟକ୍ତି ଜଣଙ୍କ ଆସି ରଙ୍କନିଧି ବାବୁଙ୍କ ସାମ୍ନାରେ ଠିଆ ହୋଇ ପଚାରିଲେ କୁଆଡ଼େ ବାହାରିଲ ବନ୍ଧୁ।ହଠାତ ଚମକି ପଡ଼ିଲେ ରଂକନିଧି ବାବୁ ।ତାଙ୍କ ସାମ୍ନାରେ ଯିଏ ଠିଆ ହୋଇଛନ୍ତି,ସେ ଯେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ତିଳେ ହେଲେ ସନ୍ଦେହ ରହିଲା ନାହିଁ ରଙ୍କନିଧି ବାବୁଙ୍କର।କହିଲେ ସବୁ ଥାଇ ମଧ୍ୟ ଜୀବନର ପରିଣତ ବୟସରେ ଶାନ୍ତି ର ଅଭାବ।ବାହାରିଛି ଶାନ୍ତି ସନ୍ଧାନରେ।ଆମ ଗାଁ ର ହରିକୁ ଦେଖିଲି, ଚାଳ ଘର,ଜମିବାଡ଼ି ସେମିତି କିଛି ନାହିଁ , ଛ ପ୍ରାଣୀ କୁଟୁମ୍ବ , ମୂଲ ଲାଗିଲେ ଘର ଚଳେ।କିନ୍ତୁ କେବେ ମନ ଉଣା ନାହିଁ।ସବୁବେଳେ  ହସହସ ମୁଁହ।ଯାହାକୁ ଦେଖିଲେ ହସିଦଉଥାଏ।ପରିବାରରେ ବେଶ ଭଲ ବୁଝାମଣା ଓ ସୁଖ ଶାନ୍ତି।ସେଇ ଜଗତର ନାଥ ଜଗନ୍ନାଥ ଙ୍କୁ ଡାକି ବେଶ ଖୁସିରେ ଦିନ କାଟେ ।

ସେଥିପାଇଁ ତାକୁ ଦେଖି ଭାବିଲି ଯଦି ହରି ଜଗନ୍ନାଥଙ୍କ ନାଁ ନେଇ ସୁଖ ଶାନ୍ତିରେ ଦିନ କାଟୁଛି ,ତାହେଲେ ମୋତେ ତ ପ୍ରଭୁ ଧନ ରେ ଉଣା କରିନାହାନ୍ତି।ମୁଁ ଯାଇ ତାଙ୍କ ସେଇ ପୁରୀ ଧାମରେ ରହିଲେ , ସବୁଦିନ ଶ୍ରୀ ମନ୍ଦିରରେ ତାଙ୍କୁ  ଦର୍ଶନ କଲେ ମୋତେ ବି ବେଶ ଶାନ୍ତି ମିଳିବ , ସୁଖରେ ଜୀବନର ଶେଷ ସମୟ କଟିଯିବ।

ସ୍ମିତହାସ୍ୟ ଦେଇ ସେ ଭଦ୍ର ବ୍ୟକ୍ତି ଜଣଙ୍କ କହିଲେ , କହୁଛ ପରା ତୁମକୁ  ଭଗବାନ କୋଉଥିରେ ଅଭାବ ରଖିନାହାନ୍ତି।ତାହେଲେ କାଲି ଯୋଉ ଅସହାୟ ବ୍ୟକ୍ତି କାଳ ବୈଶାଖୀ ରେ  ଚାଳ ଉଡ଼ି ଯାଇଛି ବୋଲି ତୁମ ପାଖକୁ କିଛି ନଡ଼ା ସାହାଯ୍ୟ ମାଗିବା ପାଇଁ ଯାଇଥିଲା ତାକୁ ଖାଲି ହାତରେ ଫେରେଇ କାଇଁ ଦେଇ ଥିଲ?ଏଇ କିଛିଦିନ ତଳେ ତମ ଗାଁ ର ପରିଆ ତା ପୁଅକୁ ପଢେଇବା ପାଇଁ କିଛି ପଇସା ସାହାଯ୍ୟ ମାଗିବା ପାଇଁ ଯାଇଥିଲା।ଫସଲ ଅମଳ ହେଲେ ତୁମ ଟଙ୍କା ଫେରେଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା।ତୁମର ସାମର୍ଥ୍ୟ ଥିବା ସତ୍ତ୍ୱେ ତାକୁ ଖାଲିହାତରେ କାଇଁ ଫେରେଇ ଦେଇଥିଲ?

ହରି ଖୁସିରେ ଅଛି ବୋଲି ତା ଖୁସି କୁ ନେଇ ଈର୍ଷ୍ୟାନ୍ବିତ କାଇଁ ହେଲ? ସେ ଦିନ ମଜୁରିଆ ହୋଇ ଖୁସିରେ ରହିପାରୁଛି କିନ୍ତୁ ତୁମେ ଧନ କୁ ନେଇ ଗର୍ବ କରି ଜଗନ୍ନାଥ ଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ  ପୁରୀ ରେ ରହିବା ପାଇଁ ଇଚ୍ଛା ପ୍ରକାଶ କଲ।
ଏଇ ସବୁ  ତୁମ ପାଇଁ ଥିଲାଛୋଟ ଛୋଟ ପରୀକ୍ଷା।ଅନ୍ୟର ଅସୁବିଧାରେ  ନିଜ ସାମର୍ଥ୍ୟ ହିସାବରେ ହାତ ବଢ଼ାଇଲେ, ଦୁଃଖକୁ ବାଣ୍ଟିଲେ ନିଜକୁ ଆତ୍ମତୃପ୍ତି ମିଳେ , ସେ ହିଁ ପ୍ରକୃତ ଖୁସି ।ସବୁଦିନ ନାରାୟଣ ଙ୍କ ଦର୍ଶନ ନୁହେଁ ଦରିଦ୍ର ନାରାୟଣ ଙ୍କ ସେବା ରେ ଖୁସି ଉପଲବ୍ଧି କରିପାରିବ। ପୁରୀ ନୁହେଁ ବରଂ ଗାଁ କୁ ଫେରି ଯାଅ ।ସେଠି ନିଜ ସୁଖ ଖୋଜିବା ପାଇଁ ଅନ୍ୟ ମୁଂହରେ ହସ ଦେଖିବାର କାରଣ ହୁଅ।

ରଙ୍କନିଧି ବାବୁ ଆଶ୍ଚର୍ଯ୍ୟ ହୋଇ ଭଦ୍ର ବ୍ୟକ୍ତିଙ୍କୁ ପଚାରିଲେ ଏ ସବୁ ଘଟଣା ତମେ କେମିତି ଜାଣିଲ?ସେତିକିବେଳେ ଆଖି ଖୋଲି ଗଲା ତାଙ୍କର।ଭଦ୍ର ବ୍ୟକ୍ତି ଙ୍କୁ  ବହୁତ  ଖୋଜିଲେ ।ହେଲେ ପାଇଲେନି।ତାହେଲେ ଟ୍ରେନ ବସି  ପୁରୀ ଯାଉଥିବା ବେଳେ ତାଙ୍କ ଆଖି ଲାଗିଯାଇଥିଲା ,ସେ ସ୍ୱପ୍ନ ଦେଖୁଥିଲେ ଓ ସ୍ବପରେ ସ୍ୱୟଂ କଳlଠାକୁର  ତାଙ୍କ ଅବଗୁଣ ତାଙ୍କୁ କହିଗଲେ!ପର ଷ୍ଟେସନ ରେ ଓଲ୍ହାଇ ପୁଣି ଗାଁ କୁ ଫେରିଆସିଲେ ଅନ୍ୟକୁ ଖୁସିରେ ଦେଖି ହସିବା ପାଇଁ।

✍️ ସ୍ମିତା ମହାନ୍ତି , ରାଉରକେଲା

new life
You might also like
error: Content is protected !!