ଅସ୍ତଗାମୀ ରବି ଲୋହିତ କିରଣ
ନିମ୍ନଗାର ନୀର ଛୁଏଁ
ସାଙ୍ଗ ସାଥୀ ମେଳେ ପ୍ରିୟା ମୋର ନିତି
ସଞ୍ଜୁଆ ଆସରେ ଯାଏ |
ନାଚି,ଗାଇ,ଖେଳି,ଓଦା ବାଲି ତୋଳି
ନିତି ଗଢ଼େ ବାଲି ଘର
କଳ୍ପନାରେ ମଜ୍ଜି ବୟସ ବରଜି
କ୍ଷଣେ ହୁଏ ସ୍ୱପ୍ନାତୁର |
ନଦୀ ଆର ପଟୁ ଦୁଷ୍ଟ ମଳୟଟା
ପାଣି ଛୁଇଁ ଛୁଇଁ ଆସେ
ମୋ ପ୍ରିୟା ଦେହରୁ ନାଲି ଓଢଣୀଟା
ଅଦୂରରେ ନେଇ ଖୋସେ |
ଖିଲି ଖିଲି ହସି ପ୍ରିୟା ମୋର ଧାଏଁ
ତା’ ଓଢଣୀ ପଛେ ପଛେ
ପାଦର ପାଉଁଜି ମଧୁର ଗୁଞ୍ଜନେ
ପ୍ରତିଧ୍ୱନି ହୋଇ ବାଜେ |
ବୃକ୍ଷ ଆଢୁଆଳେ ରହି ମୁଁ ସହାସ୍ୟେ
ପୁଲ୍ଲକିତ ହୁଏ ନିତି
ଶୀତ ଗଲା ପରେ ବସନ୍ତ ଆସିବ
ବହିବ ଚୋରା ଚଇତି |
ସଖୀ ମେଳେ ପ୍ରିୟା ଫେରି ଯାଏ ଘରେ
କୋମଳ କଟାକ୍ଷ ହାଣି
କହିଯାଏ ସତେ ରସିକ ନଗର
କେବେ କରିବୁ ଘରଣୀ |
ଫୁଲ ସଵାରୀରେ ନେଇଯିବୁ ମୋତେ
ପର୍ଣ୍ଣ କୁଟୀରକୁ ତୋର
ଓଢଣୀ ଫାଙ୍କରୁ ଲୁଚି ଦେଖୁ ଥିବୁ
ସହାସ୍ୟ ବଦନ ମୋର |
ନୂଆ ସଂସାରଟା ଗଢ଼ିବା ସୁଖରେ
ଦୁହେଁ ମିଶି ମନଦେଇ
ପାଶୋରିବା ଯେତେ ବୀରହ ବେଦନା
ମିଳନ ସଙ୍ଗୀତ ଗାଇ |
ନବ ପଲ୍ଲବରେ ପଲ୍ଲବୀ ଉଠିବ
ଶୁଷ୍କ ନିଃସଙ୍ଗ ତରୁ
ଫୁଲ ଫଳ ଭରି ହେବ ରୋମାଞ୍ଚିତ
ହସ ଝରିବ ଅଧରୁ |
✍️ଗୀତାଞ୍ଜଳି ପୃଷ୍ଟି