ଜନ୍ମରୁ ଜୁଇ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ସରକାର କିନ୍ତୁ ଯୋଜନାର କେତେ ସଫଳ ରୂପାୟନ ହେଉଛି ତାହା ନକହିବା ଭଲ। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସାରୁଆଳି ପଞ୍ଚାୟତର ଖୋକସା ଦଳିତ ବସ୍ତିର ଯସୋଦା ମଳିକ। ବର୍ଷେ ତଳେ ଏକଅଙ୍ଗିଆ ବାତ(ପାରିଲିସିସ) ରୋଗରେ ଆକ୍ରାନ୍ତ ହୋଇ ଏବେ ଜଣେ ଭିନ୍ନକ୍ଷମ। ଘରେ ତାଙ୍କର ଦିନ ମଜୁରିଆ ସ୍ବାମୀ, ଶାଶୁ, ଦୁଇ ସନ୍ତାନ। ବାସଘର ଘର ଖଣ୍ଡିଏ ବି ମିଳିନାହିଁ।
ସ୍ବାମୀ ମକରଧ୍ବଜ ମଳିକ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ପରିବାରର ପାଞ୍ଚ ପ୍ରାଣୀଙ୍କ ପେଟ ପୁରିବା କଷ୍ଟ ହୁଏ। ସରପଞ୍ଚ କି ସମିତି ସଭ୍ୟ ଗାଁକୁ ଆସନ୍ତି ହେଲେ କେବେ ସହାୟତାର ହାତ ବଢାଇ ନାହାଁନ୍ତି। ଶିକ୍ଷାର ଅଭାବ ଯୋଗୁଁ କିପରି ସରକାରୀ ସହାୟତା ହାସଲ କରି ହେବ ତାହା ବି ସେ ଜାଣି ନାହାଁନ୍ତି। ଅର୍ଥ ଅଭାବରୁ ଭିନ୍ନକ୍ଷମ ପ୍ରମାଣପତ୍ର କରି ମଧ୍ୟ ପାରୁ ନାହାଁନ୍ତି।
ସେହିପରି ଉକ୍ତ ଗାଁ ର ହିମାଂଶୁ ଗୋଛlୟତ ପରିବାରକୁ ନେଇ ଦଶ ବର୍ଷ ହେଲା ପର ଘରେ ରହିଆସୁଛନ୍ତି। ଘର କହିଲେ ଭୁଲ୍ ହେବ କାରଣ ଘରର ନା ଅଛି କାନ୍ଥ! ନା ଅଛି ଛପର! ସରକାର ଅଗ୍ରାଧିକାର ଭିତ୍ତିରେ ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ଏଠି କିନ୍ତୁ ବ୍ୟତିକ୍ରମ ଦେଖାଯାଇଛି।
ପେସାରେ ଜଣେ ଦିନ ମଜୁରିଆ ଯାହା ରୋଜଗାର କରନ୍ତି ପରିବାର ଚଳାଇବା ସହ ପିଲାଙ୍କ ପାଠପଢା ପାଇଁ ନିଅଣ୍ଟ ହେଉଛି। ଏପରି ପରିସ୍ଥିତିରେ ଘର ଖଣ୍ଡିଏ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ସରକାର ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦମ୍ପତି ଗୁହାରି କରୁଛନ୍ତି।