News
WhatsApp Image 2023-10-04 at 17.25.00
samparksetu

ଦୁଇଆଖି ହରାଇ ଅନ୍ଧ ହେଲେବି ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଦୁଇଟି ଆଖି ହରାଇ ଅନ୍ଧ ହେଲେବି ସ୍ବାବଲମ୍ବୀ ପାଲଟିଛନ୍ତି ୭୦ ବର୍ଷର ବୃଦ୍ଧ। ବାର୍ଦ୍ଧକ୍ୟ ସତେଯେପରି ତାଙ୍କ ପାଖରେ ହାର ମାନିଯାଇଛି। ଦୁନିଆ ଦେଖି ପାରୁନଥିଲେ ମଧ୍ୟ ନିଜ ହାତରେ ଦଉଡି ଓ ପଘା ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ନିଜର ପିଲାଛୁଆ କେହି ନଥିବା ବେଳେ ଦଉଡି ଓ ପଘା ବଟି ଯେତିକି ରୋଜଗାର ହେଉଛି, ସେତିକିରେ ନିଜ ସ୍ତ୍ରୀକୁ ଧରି ଚଳାଇଛନ୍ତି ନିଜର ତେଲଲୁଣ ସଂସାର। ଫଳରେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

ଢେଙ୍କାନାଳ ଜିଲ୍ଲା ଭୁବନ ମାର୍ଥାପୁର ଦଳିତବସ୍ତୀର ଟିକମ ମଳିକ( ୭୦ ) ଜନ୍ମରୁ ଗୋଟିଏ ଆଖି ଅନ୍ଧ। ଅନ୍ୟ ଆଖିଟିରେ ଦୁନିଆ ଦେଖିବା ସହିତ ବିଭାଘର ପରେ ସ୍ତ୍ରୀ ଅହଲ୍ୟାକୁ ଧରି ଚାଲେ ସୁଖଦୁଃଖର ସଂସାର। ଜରି ଅଖାକୁ ବଟି କୂଅ ଦଉଡି, ହଳ ଦଉଡି ଓ ଗାଇଗୋରୁଙ୍କ ପଘା ତିଆରି କରିବା ସହିତ ସାଗ ବିକ୍ରିକରି ବେସ ଦୁଇପଇସା ରୋଜଗାର କରୁଥିଲେ ଟିକମ ମଳିକ।

କିନ୍ତୁ ୪୨ବର୍ଷ ବୟସରେ ତାଙ୍କ ପରିବାର ଉପରକୁ ଘୋଟି ଆସିଲା କଳାବାଦଲ। ଟିକମ ଶୋଇଥିବା ଅବସ୍ଥାରେ ମାଟିଘର ଛାତ ଉପରୁ କାଠପଟା ଖସିପଡି ତାଙ୍କର ଅନ୍ୟ ଆଖିଟି ଚାଲିଗଲା। କିନ୍ତୁ ଦୁଇଟି ଆଖି ହରାଇ ଭାଙ୍ଗି ପଡିନଥିଲେ ଟିକମ। ନିଜ ସ୍ତ୍ରୀ ଆଖିରେ ଦୁନିଆ ଦେଖିବା ସହିତ ପେଟଦୁଇଟି ପୋଷିବା ପାଇଁ ଲାଗିପଡିଥିଲେ ପୂରୁଣା ବେଉଷା ଦଉଡି ଓ ପଘା ତିଆରି ବୃତ୍ତିରେ। ତେବେ ନିଜ ମାଟିଘର ସହିତ ୩୦ବର୍ଷ ତଳୁ ମିଳିଥିବା ଇନ୍ଦିରାଆବାସ ଘରଟି ଭାଙ୍ଗି ଯାଇଥିବାରୁ ଏହାର ମରାମତି ପାଇଁ ଅର୍ଥ ସାଜିଛି ବାଧକ।

ଫଳରେ ଟିକମ ଓ ସ୍ତ୍ରୀ ଅହଲ୍ୟା ଅସମର୍ଥ ପ୍ରକାଶ କରି ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେହିପରି ତାଙ୍କୁ ମିଳିଥିବା ପାଇଖାନାରେ ମଧ୍ୟ ଟାଙ୍କି ନଥିବାରୁ ଟାଙ୍କି ନିର୍ମାଣ ସହିତ ପାଣିର ସୁବିଧା ପାଇଁ ଟିକମ ସରକାରଙ୍କୁ ଗୁହାରୀ ଜଣାଇଛନ୍ତି।

ଅନ୍ଧ ଟିକମ ମଳିକ ପାଇଁ ସରକାରୀ ସହାୟତା ବହୁ ଦୂରରେ। ତିରିଶି ବର୍ଷତଳୁ ମାତ୍ର ୨୧ ହଜାର ଟଙ୍କାରେ ନିର୍ମିତ ଇନ୍ଦିରାଆବାସ ଗୃହଟି ଭାଙ୍ଗି ଜରାଜିର୍ଣ୍ଣ ଅବସ୍ଥାରେ ପଡିଥିବା ବେଳେ ଟିକମକୁ ଆଉ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଫଳରେ ପୁରୁଣା ଭଙ୍ଗା ଘରକୁ ମରାମତି ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ସେହିପରି ଟିକମକୁ ମିଳିଥିବା ପାଇଖାନାରେ ଟାଙ୍କି ନିର୍ମାଣ ସହ ପାଣିର ବ୍ୟବସ୍ଥା ପାଇଁ ମଧ୍ୟ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି। ତେବେ ଅନ୍ଧ ହୋଇ ନିଜେ ସ୍ବାବଲମ୍ବୀ ପାଲଟି ଅନ୍ୟକୁ ବାଟ ଦେଖାଇଥିବାରୁ ମାର୍ଥାପୁର ଗ୍ରାମବାସୀ ଟିକମ ମଳିକ ପାଇଁ ବେସ ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ତେବେ ଏ ସଂପର୍କରେ ଭୁବନ ବିଡିଓ ଡ. କଲ୍ୟାଣ ସୌରଭ ଦାସ କୁହନ୍ତି ଖୁବଶୀଘ୍ର ଫିଲ୍ଡି ଭିଜିଟ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ।

new life
You might also like
error: Content is protected !!