ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଶ୍ରୀ ସିଦ୍ଧ ବଳରାମ ଜୀଉ ବିଜେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଉପ ଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ସ୍ୱାଗତ ଭାଷଣ ଦେବା ସହ ରଥଯାତ୍ରା ଓ ବାହୁଡାଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରସିଦ୍ଧ ଢେଙ୍କାନାଳ ରଥଯାତ୍ରା ଓ ବାହୁଡା ଯାତ୍ରାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଜୀଉଙ୍କର ପହଣ୍ଡି,ଛେରାପହଁରା, ରଥଟଣା ଓ ଅନ୍ୟାନ୍ୟ ନୀତି ସମୟ ନିର୍ଘ ଅନୁଯାୟୀ ସମାପନ କରାଯିବ । ରଥ ନିର୍ମାଣ ଓ ସାଜ ସଜ୍ଜା ବିଧି ମୁତାବକ କରାଯିବ । ବନ ବିଭାଗ ଠାରୁ ରଥ ନିର୍ମାଣ କାଠ ଦେବୋତ୍ତର ନିର୍ବାହୀ ଅଧିକାରୀ ପ୍ରାପ୍ତ ହୋଇଥିବା ସୂଚନା ଦେଇଥିଲେ । ରଥଟଣା ଯାଉଥିବା ମୁଖ୍ୟ ରାସ୍ତାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ବାହୀ ଅଧିକାରୀ ମୁନିସ୍ପାଲିଟ ଓ ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ରଥଯାତ୍ରା ଓ ବାହୁଡାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଯାଇଥିଲା । ରଥଯାତ୍ରା ସମୟରେ ଆମିଷ ଓ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଗଲା । ରୌଦ୍ରତାପକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇବା ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ କ୍ଲବ ଓ ସମାଜ ସେବୀଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରାଯିବ ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବା ଆଶୁ ଚିକିତ୍ସା
ବ୍ୟବସ୍ଥା ଓ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ଖାଦ୍ୟ ନିରୀକ୍ଷକ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଚାସଢା ଖାଦ୍ୟ ବିକ୍ରି ଉପରେ କଟକଣା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ । ବଜାର ଗୁଡିକୁ ଆଲୋକିକରଣ କରିବା ପାଇଁ ମିଳିତ ପୂଜାକମିଟିର ସଭାପତିଙ୍କୁ ଅନୁରୋଧ କରାଯାଇଥିଲା ।
ରଥଟଣା ସମୟରେ ରାସ୍ତା ପାର୍ଶ୍ଵରେ ଥିବା କେବୁଲ ଓ ଟେଲିଫୋନ ତାରକୁ ଅପସାରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରଥ ଗୁଡିକୁ ଆକର୍ଷଣୀୟ ସାଜସଜ୍ଜା ଓ ନୂତନ କପଡା ଲଗାଇବା ଏବଂ ସାନରଥ ପରିଚାଳନା କମିଟିରେ ସଭ୍ୟଭାମରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଧାରାବିବରଣୀ ପ୍ରଚାର ବ୍ୟବସ୍ଥା କରିବା ଏବଂ ସୂଚନ ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ସ୍ଥିର କରାଯାଇଛି ।
ରଥଯାତ୍ରା ଉପଲକ୍ଷେ ଭଜନ ସମାରୋହ କରାଯାଇ ପରିବେଶକୁ ଆଧ୍ୟାତ୍ମିକ କରାଯିବା ସହିତ ଜଗନ୍ନାଥ ପ୍ରେମୀଙ୍କୁ ଅଧିକ ଭକ୍ତିଭାବ
କରାଯିବ । ରଥଟଣା ସମୟରେ ରାସ୍ତାରେ ଜଳ ସିଞ୍ଚନ ପାଇଁ ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ଉପଦେଷ୍ଠା କମିଟିର ସଭ୍ୟସଭ୍ୟା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।