ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପରିସରରେ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତ୍ତା ଯୋଗାଯୋଗ ସମ୍ମିଳନୀ ‘ସୁମିଳନ’ ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ନେତୃମଣ୍ଡଳୀ ନିରାପତ୍ତା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଠିକାଦାର ଓ ସେମାନଙ୍କ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀ ଅପରେସନ୍ସ ବିଭାଗର ଭାଇସ ପ୍ରେସିଡେଣ୍ଟ ସୁବୋଧ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ନିରାପତ୍ତା ବିଭାଗ ଚିଫ୍ ନିରଜ କୁମାର ସିହ୍ନା, ଟାଟା ଷ୍ଟିଲ ମେରାମଣ୍ଡଳୀ ଲଜିଷ୍ଟିକ୍ ବିଭାଗ ଚିଫ୍ ସୁବ୍ରତ ବସାକ, ନିରାପତ୍ତା ବିଭାଗ ଚିଫ୍ ଅଗମ କୁମାର, ଆଇରନ୍ ମେକିଂ ବିଭାଗ ଚିଫ୍ ଅମିତ କୁମାର ସିଂହ ଏବଂ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ତଥା ଭେଣ୍ଡର ସହଯୋଗୀମାନେ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପ୍ରଥମ ଥର ପାଇଁ ସୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନିରାପତ୍ତା ଉତ୍କର୍ଷ ଯାତ୍ରାରେ ଭେଣ୍ଡର ସହଯୋଗୀ ମାନଙ୍କୁ ସାମିଲ କରିବା ହେଉଛି ଏହାର ପ୍ରଥମ ସଂସ୍କରଣର ବିଷୟବସ୍ତୁ ।
ଏହି ଅବସରରେ ନିରାପତ୍ତା ମାନକରେ ଲଗାତାର ଉନ୍ନତି ଆଣିବା ପାଇଁ ଭେଣ୍ଡର ସହଯୋଗୀଙ୍କ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ସୁବୋଧ ପାଣ୍ଡେ କହିଥିଲେ ଯେ କାରଖାନା ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ରହିଛି । ନିରାପତ୍ତା ଉତ୍କର୍ଷ ଯାତ୍ରାରେ ସମାନ ଭାଗିଦାର ଭାବେ ସେମାନେ ମଧ୍ୟ କାର୍ଯ୍ୟସ୍ଥଳରେ ସବୁ ନିରାପତ୍ତା ମାନକରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ଉଚିତ । ଏହାସହିିତ କାରଖାନା ମଧ୍ୟରେ ହେଉଥିବା ଘଟଣାରୁ ଶିକ୍ଷା ନେଇ ନିରାପତ୍ତା ସଂସ୍କୃତିକୁ ଆଗେଇ ନେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
କାରଖାନାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୩୫ ଭେଣ୍ଡର ସହଯୋଗୀଙ୍କ ପ୍ରାୟ ୯୦ ଜଣ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ସ୍ଥଳୀରେ ସୁରକ୍ଷା ପଦକ୍ଷେପ, ନିରାପତ୍ତା ସମ୍ପର୍କିତ କ୍ଷୁଦ୍ର ମଡେଲ, ନିରାପତ୍ତା ସମ୍ପର୍କିତ ବ୍ୟଙ୍ଗ ନାଟକ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭେଣ୍ଡର, କାଇଜେନ୍ସ, ସୁରକ୍ଷିତ ଚାଳକଙ୍କ ମଧ୍ୟରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।