ଟାଟା ଷ୍ଟିଲ ଫାଟକ ସମ୍ମୁଖରେ ଦୁର୍ଘଟଣା,ଠିକା ସଂସ୍ଥାର ଦୁଇ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ,ଜଣେ ମୃତ୍ୟୁ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ନିକଟରେ ଥିବା ଟାଟା ଷ୍ଟିଲ କମ୍ପାନୀ ଫାଟକ ସମ୍ମୁଖରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି।ମଧ୍ୟାହ୍ନ ବେଳେ ଏକ ବାଇକ ଯୋଗେ କମ୍ପାନୀ ଭିତରକୁ କାର୍ଯ୍ୟ କରିବାକୁ ଯାଉଥିବା ବେଳେ ଟ୍ରକ ଧକ୍କା ଦେବାରୁ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ଫଳରେ ଏହି ଘଟଣା କୁ ନେଇ ଟାଟା ଷ୍ଟିଲ, ମେରାମଣ୍ଡଳୀ କ୍ୟାମ୍ପାନୀ ଫାଟକ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ କୁଲାଡ଼ ଗ୍ରାମର ପରେଶ ବେହେରା (୨୯), ଓ କାଣ୍ଡସର ଗ୍ରାମର ଲିଙ୍କନ ନାଏକ ଟାଟା ଷ୍ଟିଲକୁ ବି ସିଫ୍ଟ ଡ୍ୟୁଟି କରିବା ପାଇଁ ଯାଇଥିଲେ।ତେବେ ସେମାନେ ଏକ ବାଇକ ରେ କମ୍ପାନୀ ଭିତରକୁ ପ୍ରବେଶ କରୁଥିବା ବେଳେ ଏକ ଟ୍ରକ ତାଙ୍କ ବାଇକ କୁ ପଛ ପଟରୁ ଧକ୍କା ଦେଇଥିଲା।ଫଳରେ ପରେଶ ଟ୍ରକ ଚକ ତଳେ ପେସି ହୋଇଯାଇଥିଲେ।ଘଟଣାସ୍ଥଳ ରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।
ଅନ୍ୟ ପକ୍ଷରେ ଲିଙ୍କନ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନିକଟରେ ଥିବା ସାମଲ କେୟାର କୁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କଣ୍ଟାବଣିଆ ପୁଲିସ ସେଠାରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଥିଲା ।ସୂଚନାଯୋଗ୍ୟ ଯେ ଏହି ଦୁଇ ଯୁବକ ଟାଟା ଷ୍ଟିଲର ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିଲେ ।