ପର୍ଯ୍ୟାବରଣ କ୍ଷେତ୍ରରେ ଦୀର୍ଘସ୍ଥାୟିତ୍ୱ ଓ ଅଭିନବ ପଦକ୍ଷେପ ନିମନ୍ତେ ଟାଟା ଷ୍ଟିଲ ମେରାମଣ୍ଡଳୀକୁ ପର୍ଯ୍ୟାବରଣରେ ଉତ୍କର୍ଷତା ପାଇଁ ସିଆଇଆଇ-ଆଇଟିସି ଦୀର୍ଘସ୍ଥାୟୀତ୍ୱ ପୁରସ୍କାର ୨୦୨୧ରେ ସମ୍ମାନିତ କରାଯାଇଛି ।
ଜାନୁଆରୀ ୩୧ ତାରିଖରେ ଭର୍ଚୁଆଲ ମଂଚରେ ଆୟୋଜିତ ୧୬ତମ ସିଆଇଆଇ-ଆଇଟିସି ଦୀର୍ଘସ୍ଥାୟୀତ୍ୱ ପୁରସ୍କାର ୨୦୨୧ରେ ଟାଟା ଷ୍ଟିଲ ମେରାମଣ୍ଡଳୀ ସେୟାର୍ଡ଼ ସର୍ଭିସେସ ବିଭାଗ ଚିଫ୍ ଶ୍ରୀ ସୁଧୀର ମେହତା ଏହି ପୁରସ୍କାର ଗ୍ରହଣ କରିଥିଲେ । ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ତଥା ଯୋଜନା ଓ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଭାରପ୍ରାପ୍ତ) ଶ୍ରୀ ରାଓ ଇନ୍ଦରଜିତ୍ ସିଂହ, ଏମ୍ ପି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଭିନ୍ନ କମ୍ପାନୀର ପ୍ରତିନିଧିମାନଙ୍କ ସହିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପରିବେଶ ବିଭାଗର ଚିଫ୍ ଶ୍ରୀ ସରୋଜ ବାନାର୍ଜି ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ଏହି ସମ୍ମାନ ପାଇଁ ଶ୍ରୀ ସୁଧୀର ମେହତା ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, “ଓଡ଼ିଶାର ମେରାମଣ୍ଡଳୀ, ମହାରାଷ୍ଟ୍ରର ଖୋପଲି, ଉତର ପ୍ରଦେଶର ସାହିବାବାଦ ଓ ତାମିଲନାଡୁର ହୋସୁରରେ ଅବସ୍ଥିତ ଆମ କାରଖାନାରେ କର୍ପୋରେଟ୍ ଉତ୍କର୍ଷତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ ।
ଏକ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ୍ ସଂସ୍ଥା ଭାବେ ଆମେ ସର୍ବଦା ଦୀର୍ଘସ୍ଥାୟୀ ପଦକ୍ଷେପ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ ଏବଂ ଏହି ପୁରସ୍କାର ଏକ ସବୁଜ ଆସନ୍ତାକାଲି ଓ ଦୀର୍ଘସ୍ଥାୟୀ ମୂଲ୍ୟବୋଧ ସୃଷ୍ଟି ପାଇଁ ଭବିଷ୍ୟତରେ ଆମ ଟିମକୁ ଏକ ନୂତନ ଉଚ୍ଚତାରେ ପହଂଚିବାକୁ ଅନୁପ୍ରେରିତ କରିବ” ।
ଟାଟା ଷ୍ଟିଲ ମେରାମଣ୍ଡଳୀରେ ଦୀର୍ଘସ୍ଥାୟିତ୍ୱ ଓ ଶକ୍ତି ସଂରକ୍ଷଣକୁ ଆମ କାର୍ଯ୍ୟାନ୍ୱୟନରେ ପ୍ରମୁଖ ସ୍ଥାନ ଦିଆଯିବା ସହିତ ଅନ୍ୟତମ ପରିଚିତ ଶକ୍ତି-ଉପଯୋଗୀ ଏବଂ ଇସ୍ପାତ ଉତ୍ପାଦନରେ ଅନ୍ୟତମ ପରିବେଶ-ଅନୁକୂଳ ବ୍ୟବସ୍ଥା କୋକ୍ ଡ୍ରାଏ କ୍ୱୋନଚିଂ (ସିଡିକ୍ୟୁ) ପ୍ରଣାଳୀର ସଂସ୍ଥାପନ, ସବୁଜ ଶକ୍ତିର ବୃଦ୍ଧି ପାଇଁ ଏକ ୨୫୦ ଟିପିଏଚ୍ (ମୋଟ ପେଟ୍ରୋଲିୟମ୍ ହାଇଡ୍ରୋକାର୍ବନ୍) ଗ୍ୟାସ୍ ଚାଳିତ ବଏଲର, ଷ୍ଟିଲ ମେଲଟିଂ ସପ୍ରେ ସ୍କ୍ରାପ୍ ଚାର୍ଜିଂରେ ବୃଦ୍ଧି ଏବଂ ଡିଆରଆଇ (ଡାଇରେକ୍ଟ ରିଡ୍ୟୁସଡ୍ ଆଇରନ୍) ରେ ନିର୍ଦ୍ଧିଷ୍ଟ କୋଇଲା ବ୍ୟବହାରକୁ ହ୍ରାସ ଭଳି ପଦକ୍ଷେପମାନ ଗ୍ରହଣ କରାଯାଇଛି ।
୨୦୧୯ ଆର୍ଥିକ ବର୍ଷରେ ୪୦ ପ୍ରତିଶତ ତୁଳନାରେ ୨୦୨୧ ଆର୍ଥିକ ବର୍ଷରେ ସ୍ୱଚ୍ଛ ଶକ୍ତି ଉତ୍ପନରେ ୮୬ ପ୍ରତିଶତ ବୃଦ୍ଧି ଘଟିଛି ।